ରାଜକନିକା: ପରିବାର ପ୍ରତିପୋଷଣ ପାଇଁ ଥାଇଲାଣ୍ଡ ଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ୬ଜଣ ଯୁବକ ସେଠାରେ ଫସି ଯାଇଛନ୍ତି। ଚାରିମାସ ହେଲା ସେମାନଙ୍କୁ ଟଙ୍କା ମିଳିନାହିଁ। ଏପରି କି ପାଞ୍ଚଦିନ ଧରି ସେମାନେ ଭୋକଉପାସରେ ରହିଛନ୍ତି। ଶେଷରେ ଅସହାୟ ହୋଇ ୬ଯୁବକ ଘରକୁ ଫେରିବା ଲାଗି ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରି ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

Advertisment

ଶତକ ହାସଲରେ ରାଇନା ଏକମାତ୍ର ଭାରତୀୟ

ରାଜକନିକା ବ୍ଲକ୍‌ ଜୟନଗର ପଞ୍ଚାୟତ ଅନ୍ତର୍ଗତ କୁଜିପୁର ଗାଁର ଉମାକାନ୍ତ ସାହୁଙ୍କ ପୁଅ ଯଶୋବନ୍ତ ସାହୁ, ନୂଆଗାଁର ରବୀନ୍ଦ୍ର ମଲିକଙ୍କ ପୁଅ ଜୟନ୍ତ ମଲିକ, ବରାଡ଼ିଆ ପଞ୍ଚାୟତ ଉପୁଳାଇ ଗାଁର ଫକୀରଚରଣ ରାଉତଙ୍କ ପୁଅ ପ୍ରଶାନ୍ତ ରାଉତ, କାଟଣାବଣିଆ ପଞ୍ଚାୟତ ଅଧୀନ କାଟଣାବଣିଆ ଗାଁର ହରିହର ବେହେରାଙ୍କ ପୁଅ ହେମନ୍ତ ବେହେରା ଓ ଚାନ୍ଦବାଲି ବ୍ଲକ୍‌ କୌଡ଼ିଆପାଳ ଗାଁର ସନାତନ ସାହୁଙ୍କ ପୁଅ ମନୋରଞ୍ଜନ ସାହୁ ଗତବର୍ଷ ଅଗଷ୍ଟ ମାସରେ ଥାଇଲାଣ୍ଡ ଯାଇଥିଲେ। ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳର ଦୁଇଜଣ ମାଲିକ ଓମ୍‌ ପ୍ରକାଶ ଓ ଜୟ ପ୍ରକାଶ ପ୍ଲାଏଉଡ୍‌ କାମ ପାଇଁ ସେମାନଙ୍କୁ ଟୁରିଷ୍ଟ ଭିସାରେ ଥାଇଲାଣ୍ଡର ଚୋନ୍‌ବୁରି ଅଞ୍ଚଳକୁ ନେଇଥିଲେ। ସେମାନଙ୍କୁ ମାସିକ ୨୫ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେଠାରେ ଯୁବକମାନଙ୍କୁ ତିନିମାସ ଠିକ୍‌ ଭାବେ ପ୍ରାପ୍ୟ ଦିଆଯାଇଥିଲା। ଏହାପରେ ଗତ ଚାରିମାସ ହେବ ସେମାନଙ୍କୁ ଟଙ୍କା ଦିଆଯାଉ ନାହିଁ।

Police Reserve Barracks: ପୁଲିସ ରିଜର୍ଭ ବାରାକ୍‌ରୁ ଅଟକ ଯୁବକ ଚମ୍ପଟ: ୨ ପୁଲିସ କର୍ମଚାରୀ ନିଲମ୍ବିତ

 ଏପରି କି, ଯୁବକମାନଙ୍କ ନିକଟରୁ ପାସ୍‌ପୋର୍ଟ ଛଡ଼ାଇ ନିଆଯାଇଥିଲା ବେଳେ ପାଞ୍ଚଦିନ ହେବ ଖାଇବାକୁ ଦିଆଯାଉ ନାହିଁ। ଭୋକଉପାସରେ ପଡ଼ିରହିଥିବା ୬ ଓଡ଼ିଆ ଶ୍ରମିକଙ୍କ ପାଖରେ ଆଉ ଟଙ୍କାଟିଏ ବି’ ନାହିଁ।  ଘରକୁ ଫେରାଇ ଆଣିବା ପାଇଁ ସରକାର ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି। ଏହି ଖବର ପାଇବା ପରେ କୁଜିପୁର ଗାଁର ଯଶୋବନ୍ତଙ୍କ ଘରେ କାନ୍ଦବୋବାଳି ପଡ଼ି ଯାଇଛି। ଘରେ ଚୁଲି ଜଳୁନି। ସ୍ୱାମୀଙ୍କ ଏଭଳି ଅବସ୍ଥା ସମ୍ପର୍କରେ ଜାଣିବା ପରେ ପତ୍ନୀ ମିନତି ସାହୁ କାନ୍ଦିକାନ୍ଦି କହିଛନ୍ତି ଯେ ଆମେ ଗରିବ ଲୋକ। ବୁଢ଼ା ବାପା-ମା’ଙ୍କ ସହ ତିନି କୁନିକୁନି ପିଲାଙ୍କୁ ଭଲରେ ଖାଇବାକୁ ଦେବା ପାଇଁ ସ୍ବାମୀ ବିଦେଶ ଯାଇଥିଲେ। ସେ ସେଠାରେ ଭୋକଉପାସରେ ରହୁଛନ୍ତି। ଚାରି ମାସ ହେବ ଘରେ ଟଙ୍କାଟିଏ ନାହିଁ। ସରକାର ସ୍ବାମୀଙ୍କୁ ଫେରାଇ ଆଣିବା ସହିତ ତାଙ୍କ ପ୍ରାପ୍ୟ ପ୍ରଦାନର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ସେହିପରି ପ୍ରଶାନ୍ତଙ୍କ ଘରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।