ମନୋଜ କୁମାର ରାଉଳ
ଯାଜପୁର: ବିଜେଡିର ଗଡ଼ କୁହାଯାଉଥିବା ଯାଜପୁର ଜିଲ୍ଲାରେ ଦଳର ସ୍ଥିତି ଟଳମଳ। ନୂଆ ସରକାର ଆସିବାର ମାତ୍ର ୫୦୦ ଦିନରେ ଦୁର୍ଗ ଭୁଶୁଡ଼ିବା ଆରମ୍ଭ କରିଛି। ହାତରୁ ବ୍ଲକ୍ ଅଧ୍ୟକ୍ଷ ପଦ ଖସୁଛି। ୱାର୍ଡରୁ ପଞ୍ଚାୟତ, ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ତୃଣମୂଳସ୍ତରରେ ବିଜେଡି ନେତା, କର୍ମୀମାନେ ବିଜେପିମୁହାଁ ହୋଇଛନ୍ତି। ଜିଲ୍ଲାର ୭ ବିଧାନସଭା କ୍ଷେତ୍ରରେ ବିଜେଡିର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। କୋରେଇ, ସୁକିନ୍ଦା, ବଡ଼ଚଣା ଓ ଧର୍ମଶାଳା ବିଧାୟକଙ୍କ ଉଦ୍ୟମରେ ବିଜେପି ନିଜ ସଙ୍ଗଠନର କାୟା ବିସ୍ତାର କରିବାରେ ଆପାତତଃ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ଗତ ନିର୍ବାଚନରେ ୭ଟି ଯାକ ବିଧାନସଭା ଆସନରେ ଅମାନତ ହରାଇଥିବା କଂଗ୍ରେସ ଦଳ ପୂର୍ବଭଳି ମାଟି କାମୁଡ଼ି ପଡ଼ିଛି। ସାଂଗଠନିକ କାର୍ଯ୍ୟକ୍ରମ ଓ ନେତୃତ୍ବ ସଙ୍କଟ କଂଗ୍ରେସକୁ ଆଗକୁ ବଢ଼ିବାକୁ ଦେଉନାହିଁ।
୨୦୦୪ରେ କୋରେଇ ବିଧାନସଭା ଆସନରୁ ପ୍ରଥମଥର ପାଇଁ ବିଜୟ ଲାଭ କରିଥିଲା ବିଜେପି। ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ସ୍ବର୍ଗୀୟା ସଞ୍ଚିତା ମହାନ୍ତି। ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବିଜେଡି ଏକାକି ଆଧିପତ୍ୟ ବଜାୟ ରଖି ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାର ସମସ୍ତ ବିଧାନସଭା ଆସନ ଓ ଲୋକସଭା ଆସନ ପୋଛି ନେଇଥିଲା। ୨୦୨୪ ସାଧାରଣ ନିର୍ବାଚନ ବେଳକୁ ସ୍ଥିତି କିନ୍ତୁ ଓଲଟପାଲଟ ହୋଇଗଲା। ବିଜେଡିରେ ପାଣ୍ଡିଆନଙ୍କ ପ୍ରବେଶ ଓ ପ୍ରଭାବ ବଢ଼ିବା ସହିତ ଜିଲ୍ଲାର କେତେକ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ବଦଳାଯିବା ଜିଲ୍ଲା ରାଜନୀତି ଗଣିତ ବଦଳାଇଦେଲା। ଦଳ ଭିତରେ ଗୋଷ୍ଠୀକନ୍ଦଳ ତୀବ୍ର ହେଲା। ପରିଣାମ ହେଲା ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିକୁ ବଡ଼ଚଣା, ଧର୍ମଶାଳା, ସୁକିନ୍ଦା, କୋରେଇ ଭଳି ଗୁରୁତ୍ବପୂର୍ଣ୍ଣ ଆସନରେ ପରାଜୟ ଭୋଗିବାକୁ ପଡ଼ିଲା। ଲୋକସଭା ଆସନ ମଧ୍ୟ ବିଜେପି ହାତକୁ ଚାଲିଗଲା।
New Year: ସ୍ମାର୍ଟଫୋନ୍-ସୋସିଆଲ ମିଡିଆ ଶେଷ କଲା ପାରଂପରିକ ‘ନୂଆବର୍ଷ ଗ୍ରିଟିଙ୍ଗ୍ କାର୍ଡ’ର ଚାହିଦା
ଏବେ ଧର୍ମଶାଳା, ବଡ଼ଚଣା, ବରୀ ଓ କୋରେଇରେ ବିଜେଡିର ଅଧିକାଂଶ ନେତା ଓ ନିର୍ବାଚିତ ପ୍ରତିନିଧି ବିଜେପିରେ ମିଶିବା ପରେ ସଂଗଠନ ମଜଭୁତ ହୋଇଛି। ବରୀ, ବଡ଼ଚଣା ଓ ଧର୍ମଶାଳାରେ ବ୍ଲକ୍ ଅଧ୍ୟକ୍ଷ ବିଜେପି ସହିତ ଅଛନ୍ତି। ଅନ୍ୟ ବ୍ଲକ୍ରେ ବି ଏହାର ପ୍ରଭାବ ପଡ଼ିଲାଣି। ଖୁବ୍ଶୀଘ୍ର ଜିଲ୍ଲା ପରିଷଦ ସଦସ୍ୟ ବି ବିଜେପି ଆଡ଼କୁ ଢଳିବେ। ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି ବିଜେପି। ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଏବେ କେବଳ କୋରେଇ ଓ ଯାଜପୁର ଆସନରେ ନିଜକୁ ସୀମିତ ରଖିଛନ୍ତି। ସେହିଭଳି ପ୍ରୀତିରଞ୍ଜନ ଘଡ଼ାଇ ନିଜ ନିର୍ବାଚନମଣ୍ଡଳୀ ଛାଡ଼ିଦେଲେ ଅନ୍ୟଠି ମୁଣ୍ଡ ପୂରାଉ ନାହାନ୍ତି। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ଯାଜପୁର ସଦର ବିଧାୟିକା ସୁଜାତା ସାହୁ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ନିଜ ପରିସରକୁ ସଙ୍କୁଚିତ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବଡ଼ଚଣାର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଲୋକଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଏମାନଙ୍କ ଭୂମିକା ଜିଲ୍ଲା ରାଜନୀତିରେ ବିଶେଷ ପ୍ରଭାବ ଅବଶ୍ୟ ରଖିବ। ତେବେ ବିଜେଡିର ଏହି ଘଡ଼ିସନ୍ଧି ସମୟରେ କଂଗ୍ରେସ ଦଳ ଯେଉଁ ଫାଇଦା ଉଠାଇବା କଥା ତାହା ଉଠାଇ ପାରୁନାହିଁ। ବିଜେଡିରୁ ମୁହଁ ଫେରାଉଥିବା ନେତା, କର୍ମୀ କେହି ମଧ୍ୟ କଂଗ୍ରେସମୁହାଁ ହେଉନାହାନ୍ତି। ନେତୃତ୍ବ ସଙ୍କଟକୁ ଏଥିପାଇଁ ଦାୟୀ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/01/dgdadgzvcvvc-2026-01-01-03-18-41.jpg)