ଅନୁଗୁଳ: ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ୍ଣ ଅନୁଗୁଳଜିଲ୍ଲା। ସାତକୋଶିଆର ଜୈବ ବିବିଧତା ଭରା ଜଙ୍ଗଲ ହେଉ କି ଦୁର୍ଲଭ ବୃକ୍ଷରାଜିର ସମ୍ଭାର ଥିବା ମନ୍ଦରଗିରି ପାହାଡ଼, ସବୁବେଳେ ଏହା ଆୟୁର୍ବେଦ ଚିକିତ୍ସକଙ୍କ ଆକର୍ଷଣର କାରଣ ସାଜିଛି। ଦେଶରେ ୩ଟି ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ହେବା ନେଇ କେନ୍ଦ୍ର ବଜେଟ୍‌ରେ ଘୋଷଣା ହେବା ପରେ ପୁଣି ଚର୍ଚ୍ଚାରେ ଅନୁଗୁଳର ବିରଳ ଔଷଧୀୟ ବୃକ୍ଷଲତାର ଭଣ୍ଡାର। ଆୟୁର୍ବେଦ ଚିକିତ୍ସା ନେଇ ଏଠାରେ ଥିବା ସମ୍ଭାବନାକୁ ସରକାର ସୁଯୋଗରେ ପରିଣତ କରିବା ନେଇ ଆଶା ବାନ୍ଧିଲେଣି ଅନୁଗୁଳବାସୀ। ବହୁଦିନ ଧରି ଅବହେଳାର ଶିକାର ହୋଇ ରହିଥିବା ଅନୁଗୁଳ ଜିଲ୍ଲାରେ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ସ୍ଥାପନ କରି ଡବଲ୍‌ ଇଞ୍ଜିନ୍‌ ସରକାର ହକ୍‌ ଦେବାକୁ ଦାବି ଉଠିଛି। 

Advertisment

Education: ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ

ଅନୁଗୁଳ ଜିଲ୍ଲାରେ ପ୍ରାୟ ୧୨୦୦ ପ୍ରକାରର ଔଷଧୀୟ ବୃକ୍ଷଲତା ଓ ଗୁଳ୍ମ ରହିଛି। ସାତକୋଶିଆ ସହିତ ମନ୍ଦରଗିରି ଓ ମାଲ୍ୟଗିରି ପର୍ବତରେ ବହୁ ବିରଳ ଔଷଧୀୟ ବୃକ୍ଷର ସନ୍ଧାନ ପାଇଛନ୍ତି ଗବେଷକ। ଅନୁଗୁଳ ଜିଲ୍ଲାରେ ୧୩ ପ୍ରକାରର ଆଦିମ ଜନଜାତି ବାସ କରନ୍ତି। ଏହି ଆଦିମ ଜନଜାତି ରୋଗ ଉପଶମ ପାଇଁ ଏଠାକାର ଜଙ୍ଗଲରେ ଥିବା ଔଷଧୀୟ ବୃକ୍ଷ ବ୍ୟବହାର କରି ଆସୁଛନ୍ତି। ଏମିତିକି ଅନୁଗୁଳ ଜିଲ୍ଲାରେ ବିଲୁପ୍ତପ୍ରାୟ ୪୧ଟି ବିରଳ ପ୍ରଜାତିର ଔଷଧୀୟ ବୃକ୍ଷ ରହିଛି। ଏଣୁ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ସ୍ଥାପନ ହେଲେ ଏସବୁ ଔଷଧୀୟ ବୃକ୍ଷ ସଂରକ୍ଷଣ ହେବା ସହ ରୋଗ ଉପଚାରରେ ବେଶ୍ ସହାୟକ ହୋଇପାରିବ ବୋଲି କୁହାଯାଉଛି। ଉଦ୍ଭିଦ ବିଜ୍ଞାନୀ ଡ. ଗୌରୀଶଙ୍କର ଯୁଗ ପ୍ରକାଶ ଜେନା କହିଛନ୍ତି, ଆୟୁର୍ବେଦ ପ୍ରତିଷ୍ଠାନ ପାଇଁ ଅନୁଗୁଳ ଜିଲ୍ଲାରେ ଉପଯୁକ୍ତ ପରିବେଶ ଓ ଭିତ୍ତିଭୂମି ରହିଛି। ଏଠାରେ ଥିବା ବିରଳ ଔଷଧୀୟ ବୃକ୍ଷଲତା ଆୟୁର୍ବେଦ ଚିକିତ୍ସାକୁ ବେଶ୍‌ ସହାୟକ ହୋଇପାରିବ।  ବିଶେଷକରି ଗବେଷଣା ଓ ସଂରକ୍ଷଣ ଦିଗରେ ଅନୁଗୁଳ ପ୍ରକୃଷ୍ଟ ସ୍ଥାନ ବୋଲି ସେ କହିଛନ୍ତି।

Congress Questions: ବାଣିଜ୍ୟ ଚୁକ୍ତି ନେଇ କେନ୍ଦ୍ରକୁ କଂଗ୍ରେସର ୪ ପ୍ରଶ୍ନ

ରାଜସ୍ବ ଦେବା କ୍ଷେତ୍ରରେ ସବୁବେଳେ ଆଗରେ ରହୁଥିବା ଅନୁଗୁଳ ଏ ପର୍ଯ୍ୟନ୍ତ ନିଜର ଉପଯୁକ୍ତ ହକ୍‌ ପାଇନି। ଏହି ଜିଲ୍ଲାରେ ଏ ପର୍ଯ୍ୟନ୍ତ କୌଣସି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ନିର୍ମାଣ ହୋଇପାରିଲାନି। ଜାତୀୟସ୍ତରରେ ପ୍ରତିଷ୍ଠାନ ବି ନାହିଁ। ଚିକିତ୍ସା ଭିତ୍ତିଭୂମି ମଧ୍ୟ ଦୁର୍ବଳ। ଏଣୁ ବିଳମ୍ବରେ ହେ‌ଲେ ବି ଆୟୁର୍ବେଦ ପ୍ରତିଷ୍ଠାନ ସ୍ଥାପନ କରିବାକୁ ସାଧାରଣରେ ଦାବି ଉଠିଛି। କାରଣ ମନ୍ଦରଗିରି ପାହାଡ଼ ଔଷଧୀୟ ବୃକ୍ଷର ମାହାତ୍ମ୍ୟ ସାରା ଦେଶ ଜାଣିଛି। ଅନୁଗୁଳରେ ଆୟୁର୍ବେଦ ପ୍ରତିଷ୍ଠାନ ସ୍ଥାପନ କରିବାକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଦାବି ରଖିବେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର ଦେଶରେ ୩ଟି ଆୟୁର୍ବେଦ ପ୍ରତିଷ୍ଠାନ ଖୋଲିବାକୁ ଯାଉଥିଲା ବେଳେ ଏଥିରୁ ଗୋଟିଏ ପ୍ରତିଷ୍ଠାନ ଅନୁଗୁଳ ଜିଲ୍ଲାରେ ସ୍ଥାପନ ହେବା ଦରକାର। ଏ ଦିଗରେ ପଦକ୍ଷେପ ନେବାକୁ ସେ ସରକାରଙ୍କ ପାଖରେ ଯୁକ୍ତି ରଖିବେ।