ହରିହର ନାୟକ 

ଭଦ୍ରକ: ବିଦାୟୀ ବର୍ଷରେ ଭଦ୍ରକଜିଲ୍ଲା ରାଜନୀତି ଅତ୍ୟନ୍ତ ରୋଚକ ମୋଡ଼ ନେଲା। ୪ ବ୍ଲକ୍‌ ଅଧ୍ୟକ୍ଷଙ୍କ ସମେତ ଅନେକ ବିଜେଡି ଛାଡ଼ିଦେଲେ। ବର୍ଷ ଶେଷକୁ ଓଡ଼ିଶା ସାମନାରେ ଯେଉଁ ଚିତ୍ରଟି ଜଳଜଳ ହୋଇ ଦଶୁଛି, ତାହା ହେଲା- ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କ୍ଷମତା, ପ୍ରଭାବ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠନେତା ପ୍ରଫୁଲ୍ଲ ସାମଲଙ୍କ ରାଜନୈତିକ ଅସହାୟତା। ଏହି ରାଜନୈତିକ ପରିବର୍ତ୍ତନର ପ୍ରଭାବ ୨୦୨୬ରେ ଆହୁରି ନାଟକୀୟ ମୋଡ଼ ନେଇପାରେ।  

Advertisment

Zero Night Celebration: ସବୁ ଗଡ଼ବଡ଼ କରିଦେଲା ଗୁରୁବାର… ନୂଆବର୍ଷ ଭୋଜି ଫିକାଫିକା, ଜିରୋ ନାଇଟ୍ ସେଲିବ୍ରେସନରେ ଆମିଷ ମାଡ଼

୨୦୨୪ ନିର୍ବାଚନରେ ଧାମନଗର, ଭଦ୍ରକ ସଦର ଆସନ ବିଜେପି ଖାତାକୁ ଯାଇଥିଲା।  ଭଣ୍ଡାରିପୋଖରୀ ଓ ଚାନ୍ଦବାଲିରେ ବାଜିମାତ୍ କରିଥିଲା ବିଜେଡି। ଅପରପକ୍ଷରେ ବାସୁଦେବପୁର ନିର୍ବାଚନମଣ୍ଡଳୀ ଦଖଲ କରିଥିଲା କଂଗ୍ରେସ। ରାଜନୈତିକ ସମୀକ୍ଷକଙ୍କ ମତରେ, ୨୦୨୫ ମସିହାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଭାବ ପୂର୍ବଭଳି ବଳବତ୍ତର ରହିଥିଲା। ଆଉ ସବୁଥିଲା ସ୍ଥିତାବସ୍ଥା। ବର୍ଷର ଶେଷଆଡ଼କୁ ବିଜେଡି ଶିବିର ଧ୍ବସ୍ତବିଧ୍ବସ୍ତ ଆଡ଼କୁ ଗତିକଲା ଓ ବିଜେପିର ଶକ୍ତି ବୃଦ୍ଧି ଘଟିଲା। ମନମୋହନ ସାମଲ ବିଜେପି ସିଭାପତି ଭାବେ ପୁନଃଦାୟିତ୍ବ ଗ୍ରହଣ କରିବାପରେ ନିଜ ଜିଲ୍ଲାରୁ ବିଜେଡି ଶିବିରକୁ ପ୍ରଥମେ ମୂଳପୋଛ ଯୋଜନାରେ ଅଛନ୍ତି।

ଚର୍ଚ୍ଚାରେ ୪ ବ୍ଲକ୍‌ ଅଧ୍ୟକ୍ଷଙ୍କ ବିଜେଡି ତ୍ୟାଗ 
ମନମୋହନଙ୍କ ପ୍ରଭାବ, ପ୍ରଫୁଲ୍ଲ ଅସହାୟ
ପୂର୍ବଭଳି ସଂଘର୍ଷ କରୁଛି କଂଗ୍ରେସ 

ଇତିମଧ୍ୟରେ ଭଦ୍ରକ, ବନ୍ତ, ଭଣ୍ଡାରିପୋଖରୀ ଓ ବାସୁଦେବପୁରର ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି। ଏହି ରାଜନୈତିକ ପଟ୍ଟ ପରିବର୍ତ୍ତନ ଯୋଗୁ କ୍ଷତିଗ୍ରସ୍ତ ହୋଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ। ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ; ଯାହାଙ୍କ ଦୁଇପୁଅ ଲୁଲୁ ସାମଲ ଓ ଜୁଲୁ ସାମଲ ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବ ଜିଲ୍ଲାରେ ଶାସକ ବିଜେପିର ଶକ୍ତି ବୃଦ୍ଧି କରିଛି। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ରଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ଅଧିକ ଫାଇଦା ମିଳିଛି। ଯେ କୌଣସି ମୁହୂର୍ତ୍ତରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡିକୁ ମୁହଁ ମୋ଼ଡି ପଦ୍ମ ଧରିପାରନ୍ତି। ଏଭଳି ଚର୍ଚ୍ଚା ବର୍ଷ ଶେଷରେ ଜୋର ଧରିଛି।  ଯଦି ଏମିତି ହୁଏ, ବିଜେଡି ରାଜନୈତିକ ସ୍ତରରେ ଭୀଷଣ କ୍ଷତିଗ୍ରସ୍ତ ହେବ।  ବିଜେଡି ସ୍ଥିତି ଏମିତି ହୋଇଛି ଯେ ଆଗାମୀ ଦିନରେ ବିଜେଡି ଜିଲ୍ଲା ସଭାପତି କିଏ ହେବେ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମଧ୍ୟରୁ ଦଳ କାହାକୁ ଜଣକୁ ସଭାପତି କରିପାରେ ବୋଲି କୁହାଯାଉଛି। 

New Year: ନୂଆବର୍ଷକୁ ଚାରିଆଡ଼େ ସ୍ବାଗତ, ଜଗା ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭିଡ଼

ତେବେ ଜିଲ୍ଲାରେ ବିଜେଡି-ବିଜେପି ଛକାପଞ୍ଝା ଲାଗି ରହିଥିବା ବେଳେ କଂଗ୍ରେସ ନିଜର ଅସ୍ତିତ୍ବ ଖୋଜୁଛି। ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ଅଶୋକ ଦାସ କଂଗ୍ରେସରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ହେଲେ ଭଣ୍ଡାରିପୋଖରୀ ନିର୍ବାଚନଣ୍ଡଳୀରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁତ୍ର ଯୁବନେତା ନବଜ୍ୟୋତି ପଟ୍ଟନାୟକ ନିଜର ସ୍ଥିତି ଜାହିର କରି ରଖିଛନ୍ତି। ଭଣ୍ଡାରିପୋଖରୀରେ କଂଗ୍ରେସର ସ୍ଥିତି ସୁଦୃଢ଼ କରିବା ଲାଗି ନବଜ୍ୟୋତି ପଟ୍ଟନାୟକ ପ୍ରସ୍ତୁତି ଜୋର କରିଛନ୍ତି।  କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଅସିତ୍ ପଟ୍ଟନାୟକ ଓ କଂଗ୍ରେସରେ ନୂଆ କରି ଜିଲ୍ଲା ସଭାପତି ହୋଇଥିବା ନଳିନୀକାନ୍ତ ମହାନ୍ତି ଜୋର ଲଗାଇଛନ୍ତି। ରାଜନୈତିକ ସମୀକ୍ଷକ ପୂର୍ବାନୁମାନ କରୁଛନ୍ତି, ଆଗାମୀ ଦିନରେ ଭଦ୍ରକ ଜିଲ୍ଲାରେ ରାଜନୈତିକ ସମୀକରଣ ବଦଳିପାରେ।