Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ

Advertisment

ମାଓ ଦମନ ନେଇ କନ୍ଧମାଳ ପୁଲିସକୁ ବଡ଼ ସଫଳତା ମିଳିଛି। ଗତକାଲି କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଗୁମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି...

ମାଓ ଦମନ ନେଇ କନ୍ଧମାଳ ପୁଲିସକୁ ବଡ଼ ସଫଳତା ମିଳିଛି। ଗତକାଲି କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଗୁମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି...

success for Kandhamal police

success for Kandhamal police Photograph: (sambad.in)

ଫୁଲବାଣୀ: ମାଓ ଦମନ ନେଇ କନ୍ଧମାଳ ପୁଲିସକୁ ବଡ଼ ସଫଳତା ମିଳିଛି। ଗତକାଲି କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଗୁମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଗୁରୁବାର ଚକାପାଦ ଥାନା ଅନ୍ତର୍ଗତ ରାଣୀକିଆରି ଓ ଭାଲିଙ୍ଗିଆ ଜଙ୍ଗଲରେ ଟପ୍‌ ମାଓନେତା ଗଣେଶ ଉଇକେ (୬୯) ସମେତ ୪ ଜଣ ମାଓବାଦୀ ନିପାତ୍‌ ହୋଇଥିବା ସୂଚନା ମିଳିଛି।

କନ୍ଧମାଳ ଏସ୍‌ପି ହରିଶ ବିସିଙ୍କ ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଚକାପାଦ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତ ବିଭିନ୍ନ ଜଙ୍ଗଲ ଏବଂ ବେଲଘର ଥାନା ଅନ୍ତର୍ଗତ ଗୁମା ଜଙ୍ଗଲରେ ଏ ପର୍ଯ୍ୟନ୍ତ ବି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି। 

ଆହୁରି ପଢ଼ନ୍ତୁ: Encounter:ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୪ ମାଓବାଦୀ ନିହତ, କୋଟିଏ ଟଙ୍କାର ପୁରସ୍କାର ରାଶି ଥିବା ଗଣେଶ ଉଇକେ ମୃତ 

ଚକାପାଦ ବନାଞ୍ଚଳରେ ସର୍ଚ୍ଚ ଅପରେସନ ଜାରି

ଏସବୁ ଅଞ୍ଚଳରେ ମାଓ ଶିବିର ଧ୍ବଂସ କରାଯିବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ଏସ୍‌ଓଜି, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌ ଏବଂ କନ୍ଧମାଳ ପୁଲିସକୁ ନେଇ ଗଠିତ ମୋଟ ୨୩ଟି ଟିମ୍‌ ଗଞ୍ଜାମ ଜିଲ୍ଲାର ରମ୍ଭା ବନାଞ୍ଚଳ ଏବଂ କନ୍ଧମାଳ ଜିଲ୍ଲାର ଚକାପାଦ ବନାଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି କନ୍ଧମାଳ ଏସ୍‌ପି  କହିଛନ୍ତି।

ଗୁରୁବାର ଚକାପାଦ ରାଣିକିଆରି ଓ ଭାଲିଙ୍ଗିଆ ଜଙ୍ଗଲରୁ ଗଣେଶ ଉଇକେ ସମେତ ମୋଟ ୪ ଜଣ ମାଓବାଦୀଙ୍କ ମୃତ ଦେହ ମିଳିଛି। ତେବେ ଟପ୍‌ ମାଓନେତା ଗଣେଶର ମୃତଦେହ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ମୃତ ୪ ଜଣ ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଥିବା କଥା ଜଣାପଡ଼ିଛି। 

ତେବେ କେକେବିଏନ୍‌ ମାଓ ଡିଭିଜନର ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ଉଇକେକୁ ନିପାତ କରି ପୁଲିସ ବଡ଼ ସଫଳତା ପାଇଛି। ପୁଲିସ ସେମାନଙ୍କଠାରୁ ୨ଟା ଇନ୍‌ସାସ୍‌ ରାଇଫଲ ଏବଂ ଗୋଟିଏ ୩୦୩ ରାଇଫଲ ଜବତ କରିଛି। ଓଡ଼ିଶା ପୁଲିସ ଗଣେଶ ଉଇକେ ନାମରେ ୧ ‌କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ‌

ଗଣେଶ ନାମରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ରେ ଶତାଧିକ ମାମଲା ରହିଛି। ଗଣେଶର ନିଜ ଘର ତେଲେଙ୍ଗାନାର ନାଲ୍‌ଗୋଣ୍ଡା ଜିଲ୍ଲା ଅନ୍ତର୍ଗତ ପୁଲେମାଲା ଗ୍ରାମରେ ବୋଲି ଜଣାପଡ଼ିଛି। ଅନ୍ୟପଟେ, ଗଣେଶର ନିଧନ ଖବରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଖୁସି ବ୍ୟକ୍ତକରି ନିଜ ଏକ୍‌ସ ହ୍ୟାଣ୍ଡେଲ୍‌ରେ ଟୁଇଟ୍‌ କରିଛନ୍ତି ଏବଂ ଓଡ଼ିଶା ପୁଲିସକୁ ପ୍ରଶଂସା ଜଣାଇଛନ୍ତି।

ଗତକାଲି ସୁରକ୍ଷା କର୍ମୀ ବେଲଘର ଥାନା ଅନ୍ତର୍ଗତ ଗୁମା ଜଙ୍ଗଲରେ ଏନ୍‌କାଉଣ୍ଟର କରି ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ୍‌କୁ ନିପାତ କରିଥିଲା। ଉଭୟଙ୍କ ମୁଣ୍ଡ ଉପରେ ୨୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଆସନ୍ତା ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଓଡ଼ିଶା ସମେତ ସମଗ୍ର ଦେଶକୁ ମାଓମୁକ୍ତ କରାଯିବା ନେଇ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଣ୍ଟ ଧାର୍ଯ୍ୟ କରିଛନ୍ତି। ଏହାକୁ ଆଖି ଆଗରେ ରଖି ପୁଲିସ ଆଣ୍ଟି ନକ୍ସଲ ଅପରେସନକୁ ଜୋରଦାର କରିଛି। ଅନେକ ସ୍ଥାନରେ ମାଓବାଦୀମାନେ ସ୍ବେଚ୍ଛାକୃତ ଭାବେ ପୁଲିସ ନିକଟରେ ଆତ୍ମସମର୍ପଣ କରି ସରକାରଙ୍କ ବିଭିନ୍ନ ଥଇଥାନ ସୁବିଧା ସୁଯୋଗର ଲାଭ ଉଠାଉଛନ୍ତି।

ଆହୁରି ପଢ଼ନ୍ତୁ: Satya Vihar Apartment Fire: ସତ୍ୟ ବିହାରସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବାସିନ୍ଦା ଆତଙ୍କିତ

ଛତିଶଗଡ଼ରେ ଆଣ୍ଟି ନକ୍ସଲ ଅପରେସନ ‌କଡ଼ାକଡ଼ି ହେବା ଫଳରେ ଓଡ଼ଶାର କନ୍ଧମାଳ ଜିଲ୍ଲା ଏବେ ମାଓ ହଟ୍‌ସ୍ପଟ୍‌ ପାଲଟିଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଶହେ ପାଖାପାଖି ମାଓବାଦୀ ଆତ୍ମଗୋପନ କରିଥିବା ନେଇ ପୂର୍ବରୁ କନ୍ଧମାଳ ଏସ୍‌ପି ସୂଚନା ଦେଇଥିଲେ।

ରିପୋର୍ଟ: ରଞ୍ଜନ ପ୍ରଧାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe