ଭୁବନେଶ୍ବର/ଖଣ୍ଡପଡ଼ା/କଣ୍ଟିଲୋ : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ନୟାଗଡ଼ରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ବେପାରୀକୁ ଗିରଫ କରିଛି। ସେ ହେଲା, ଖଣ୍ଡପଡ଼ା ଥାନା ଅଧୀନ କଣ୍ଟିଲୋ ଛାମୁସାହି ପାଟଣାର ହରପ୍ରସାଦ ପୃଷ୍ଟି। ଆଜି ତାକୁ ନୟାଗଡ଼ କୋର୍ଟରେ ହାଜର କରାଇବା ପରେ ଜେଲ୍‌କୁ ପଠାଇ ଦିଆଯାଇଛି। ତା’ଠାରୁ ଏସ୍‌ଟିଏଫ୍‌ ପାଖାପାଖି ୧କେଜି ୧୯୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି।

Advertisment

ଏସ୍‌ଟିଏଫ୍ ଡିଏସ୍‌ପି ଏସ୍‌.ଏନ୍ ରଥଙ୍କ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଶା କାରବାର ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏକ ଟିମ୍ କଣ୍ଟିଲୋ ନାରାୟଣୀ ପୀଠରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ହରପ୍ରସାଦକୁ ଧରିଥିଲା ଟିମ୍‌। ଯାଞ୍ଚ ବେଳେ ତା’ଠାରୁ ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା। ତା’ପରେ ତାକୁ ଗିରଫ କରାଯାଇଥିଲା। ତା’ ନିକଟରୁ ଏକ ବାଇକ୍ ମଧ୍ୟ ଜବତ କରିଛି। ହରପ୍ରସାଦ କେଉଁଠାରୁ ବ୍ରାଉନ୍‌ସୁଗାର ଆଣିଥିଲା ଓ କାହାକୁ ଦେବାକୁ ଯୋଜନା କରିଥିଲା, ସେନେଇ ଏସ୍‌ଟିଏଫ୍ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ। ଏ ସଂପର୍କରେ ତଦନ୍ତ ଚାଲିଥିବା ଏସ୍‌ଟିଏଫ୍ ପକ୍ଷରୁ କୁହାଯାଇଛି।
ତେବେ ୨୦୨୦ ମସିହାରୁ କ୍ରାଇଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏପର୍ଯ୍ୟନ୍ତ ୬୮କିଲୋରୁ ଅଧିକ ବ୍ରାଉନ୍‌ସୁଗାର, ୨୦୨ ଗ୍ରାମ କୋକେନ୍‌, ୧୧୧ କୁଇଣ୍ଟାଲ ଗଞ୍ଜେଇ ଓ ୭୫୦ ଗ୍ରାମ୍‌ ଅଫିମ ଜବତ କରିଛି। ଏହି ସବୁ ମାମଲାରେ ୧୬୬ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି।