କେନ୍ଦ୍ରାପଡ଼ା/ଗରଦପୁର: କେନ୍ଦ୍ରାପଡ଼ାଜିଲ୍ଲା ଗରଦପୁର ବ୍ଲକ୍‌ ତଥା କୁଦାନଗରୀ ଥାନା ଅନ୍ତର୍ଗତ ବାରେଣୀ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ହୃଦୟବିଦାରକ ଘଟଣା ଘଟିଛି। ଦୋକାନ ଭିତରେ ଶୋଇଥିବା ବେଳେ ଜଣେ ପରିବା ବ୍ୟବସାୟୀ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ମୃତ ବ୍ୟବସାୟୀ ଜଣକ ହେଉଛନ୍ତି ଗରଦପୁର ବ୍ଲକ୍‌ କଳାବୁଦା ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ସୁବାସ ମଳିକ(୪୬)। ପୋଡ଼ି ହୋଇ ସୁବାସଙ୍କ ମୃତ୍ୟୁ ଘଟିଥିଲା ବେଳେ ଦୋକାନ ବାହାରପଟୁ ବନ୍ଦ ରହିବା ଘଟଣା ସନ୍ଦେହ ସୃଷ୍ଟି କରିଛି। ଯୋଜନାବଦ୍ଧ ଭାବେ ଦୋକାନରେ ନିଆଁ ଲଗାଯାଇ ସୁବାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକ ଏ ନେଇ କୁଦାନଗରୀ ଥାନାରେ ଏତଲା ଦେଇଛନ୍ତି। ତେବେ ପୁଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବାକୁ ନେଇ ବାରେଣୀ ବଜାରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିବା ସହିତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି କରି ପୁଲିସ ବିରୋଧରେ ନାରାବାଜି କରିଥିଲେ। 

Advertisment

Aravali Case : ସୋମବାର ଆରାବଳୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ପ୍ରତିବାଦରେ ରାସ୍ତାରୋକ, ଥାନା ଘେରାଉ

ସୂଚନାନୁଯାୟୀ, ମୃତ ସୁବାସ ବାରେଣୀ ବଜାରର ଏକ ଆଜବେଷ୍ଟସ୍‌ ଘରେ ପରିବା ସହିତ ଗ୍ୟାସ୍‌ ରିଫିଲି˚, ଖୁଚୁରା ପେଟ୍ରୋଲ୍‌ ବ୍ୟବସାୟ କରନ୍ତି। ଗତକାଲି ରାତିରେ କଳାବୁଦା ନିକଟ ଏକ ଘରୋଇ ମଣ୍ଡପରେ ସେ ଭୋଜି ଖାଇଥିଲେ। ସେଠାରୁ ରାତି ପ୍ରାୟ ୧୧ଟାରେ ଘରକୁ ଫେରି ଖାଦ୍ୟ ଦେବା ପରେ ଦୋକାନକୁ ଶୋଇବା ପାଇଁ ଯାଇଥିଲେ। ଆଜି ଭୋର୍‌ ପ୍ରାୟ ୪ଟାରେ ମନ୍ଦିର ପୂଜକ ନଳିନୀକାନ୍ତ ପଣ୍ଡା ଦୋକାନ ଜଳୁଥିବା ଦେଖି ସୁବାସଙ୍କ ବାପା ଅରକ୍ଷିତ ମଳିକଙ୍କୁ ଖବର ଦେଇଥିଲେ। ଅରକ୍ଷିତ ଓ ଅନ୍ୟ ପରିବାର ଲୋକ ପହଞ୍ଚିଲା ବେଳକୁ ସୁବାସ ନିଆଁରେ ଜଳି ଯାଇଥିବା ଦେଖିବାକୁ ପାଇଥିଲେ।

Nimapara Mahotsav: ୨୫ତମ ନିମାପଡ଼ା ମହୋତ୍ସବ ଉଦଯାପିତ: ମନ ମୋହିଲା ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ମତୁଆଲା ହେଲେ ହଜାର ହଜାର ଦର୍ଶକ...

ବାହାରପଟୁ ବନ୍ଦ ଥିବା ଦୋକାନଘର ଲୁହା ଗ୍ରିଲ୍‌ ଖିଡ୍‌କି ଖୋଲି ଭିତରକୁ ପଶିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହା ଏକ ହତ୍ୟା ଘଟଣା ବୋଲି ବାରେଣୀ ବଜାର ବ୍ୟବସାୟୀମାନେ ଅଭିଯୋଗ ଆଣି ଗରଦପୁର-କୋରୁଆ ମୁଖ୍ୟରାସ୍ତାରେ ଟାୟାର୍‌ ଜାଳି ବହୁ ସମୟ ଅବରୋଧ କରିଥିଲେ। ପରେ କୁଦାନଗରୀ ଥାନା ଘେରାଉ କରି ସୁବାସଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। କୁଦାନଗରୀ ଓ ପାଟକୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। କୁଦାନଗରୀ ଥାନାଧିକାରୀ ଅରବିନ୍ଦ ଶରଣ ମହାନ୍ତି କହିଛନ୍ତି ଯେ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରାଯାଉଛି।