ଦଶରଥପୁର: ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ୍‌ର ପାଲଟପୁର ପଞ୍ଚାୟତରେ ପିଇବା ପାଣିରେ ରହିଛି ମାତ୍ରାଧିକ ଲିଡ୍‌, କ୍ୟାଡ୍‌ମିୟମ, ଆର୍ସେନିକ୍‌, ମାଙ୍ଗାନିଜ୍‌, ଆଇରନ୍‌ ଭଳି ମାରାତ୍ମକ ରାସାୟନିକ ଦ୍ରବ୍ୟ। ୧୬୦ଟି ନଳକୂଅରୁ ସଂଗୃହୀତ ଜଳ ନମୁନାରୁ ୯୦ଟିରେ ଏସବୁ ଉପାଦାନ ରହିଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଏହା ହିଁ ଏଠାରେ କିଡ୍‌ନି ରୋଗ (ସିକେଡି) ଓ କ୍ୟାନ୍‌ସର (କର୍କଟ) ବ୍ୟାପିବାର କାରଣ ବୋଲି ଜଣାପଡ଼ିଛି।

Advertisment

Ranji Trophy: ପରାଜୟ ଏଡ଼ାଇବାକୁ ଓଡ଼ିଶାର ସଂଘର୍ଷ

ସୂଚନାଯୋଗ୍ୟ, ‘ସମ୍ବାଦ’ରେ ଏ ସଂପର୍କିତ ସ୍ବତନ୍ତ୍ର ଖବର ଗତ ୧୦ ତାରିଖରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ପହଞ୍ଚି ତନାଘନା କରିଥିଲେ। ପାନୀୟଜଳ ବିଭାଗ ପକ୍ଷରୁ ପଞ୍ଚାୟତର ୮୨୭ଟି ସରକାରୀ ଓ ଘରୋଇ ନଳକୂପରୁ ଜଳ ନମୁନା ଭୁବନେଶ୍ବର ଲାବୋରେଟୋରି ନିଆଯାଇଥିଲା। ଇତିମଧ୍ୟରେ ୧୬୦ଟିର ଜଳ ନମୁନା ପରୀକ୍ଷଣ ହୋଇ ରିପୋର୍ଟ ଆସିଛି। ଏଥିରୁ ୯୦ଟିର ପାଣିରେ ଉପରୋକ୍ତ ବିଷାକ୍ତ ରାସାୟନିକ ପଦାର୍ଥ ରହିଛି ବୋଲି ପାନୀୟଜଳ ନମୁନା ପରୀକ୍ଷକ ପ୍ରଶାନ୍ତ କୁମାର ବିଶ୍ବାଳ କହିଛନ୍ତି। ଏସବୁ ନଳକୂଅରେ ଖୁବ୍‌ଶୀଘ୍ର ଷ୍ଟିକର୍‌ ଲଗାଯିବ।

୧୬୦ ନଳକୂପ ପାଣିରୁ ୯୦ଟିରେ ବିଷାକ୍ତ ନମୁନା
ଆଉ ୬୬୭ ପାଣି ରିପୋର୍ଟକୁ ଅପେକ୍ଷା

ଅବଶିଷ୍ଟ ନଳକୂଅର ଜଳ ପରୀକ୍ଷା ରିପୋର୍ଟ ଦୁଇରୁ ତିନିଦିନ ମଧ୍ୟରେ ଆସିଯିବ ବୋଲି ସେ ଜଣାଇଛନ୍ତି। ଉଦ୍‌ବେଗର ବିଷୟ ହେଉଛି, ଏସବୁ ନଳକୂଅ ପାଣିକୁ ଏବେ ମଧ୍ୟ ଲୋକେ ବ୍ୟବହାର କରୁଛନ୍ତି, ଯାହା ସଂପୂର୍ଣ୍ଣ ଭାବେ ପିଇବା ଓ ରୋଷେଇ ଅନୁପଯୋଗୀ। ବର୍ଷବର୍ଷ ଧରି ଏହି ବିଷାକ୍ତ ଉପାଦାନ ଥିବା ପାଣି ପିଇବା ଦ୍ବାରା ଗତ ୧୦ ବର୍ଷ ମଧ୍ୟରେ ଏହି ପଞ୍ଚାୟତରେ କ୍ୟାନ୍‌ସର ଓ କିଡ୍‌ନି ରୋଗରେ ୧୨୦ରୁ ଅଧିକ ଲୋଙ୍କ ଜୀବନ ଯାଇଛି। ବର୍ତ୍ତମାନ ୧୨ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏହି ପାଣିକୁ ଦୀର୍ଘକାଳୀନ ବ୍ୟବହାର ଯୋଗୁଁ କ୍ୟାନ୍‌ସର, କିଡ୍‌ନି ସହ ଜଣ୍ଡିସ୍‌ ଓ ପେଟ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। 

Ganja Seized: ଚାଲାଣ ପୂର୍ବରୁ ପୁଲିସ ଧରିପକାଇଲେ ୧କୁଇଣ୍ଟାଲ ଗଞ୍ଜେଇ

ଅନ୍ୟପଟେ ପଞ୍ଚାୟତରେ ୩ଟି ବୋରୱେଲ୍‌ ଥିଲେ ମଧ୍ୟ ଦୁଇଟି ଅଚଳ ହୋଇପଡ଼ିଛି। କେବଳ ଗୋଟିଏ ‘ବସୁଧା’ ପ୍ରକଳ୍ପରୁ ୩ଟି ୱାର୍ଡରେ ପାଣି ଯୋଗାଇ ଦିଆଯାଉଛି। ଦୁଇଟି ପ୍ରକଳ୍ପ ଅଚଳ ଥିବାରୁ ବାକି ୯ଟି ୱାର୍ଡରେ ଲୋକେ ନଳକୂଅ ପାଣି ପିଇଆସୁଛନ୍ତି। ପ୍ରଶାସନ ପକ୍ଷରୁ ଏସବୁ ନଳକୂଅ ଜଳ ବ୍ୟବହାର ନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସପ୍ତାହେ ହେବ ଟ୍ୟାଙ୍କର ଯୋଗେ ଦୈନିକ ୧୬ ହଜାର ଲିଟର ପାଣି ଯୋଗାଇ ଦିଆଯାଉଛି। ଜନସଂଖ୍ୟା ତୁଳନାରେ ତାହା ପର୍ଯ୍ୟାପ୍ତ ହେଉନାହିଁ। ଦୈନିକ ୩୨ ହଜାର ଲିଟର ଜଳ ଆବଶ୍ୟକ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି। ତେବେ ଅସଂପୂର୍ଣ୍ଣ ପାଣି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଠିକାସଂସ୍ଥା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପାଇପ୍‌ ବିଛା ଚାଲିଛି। କାମ ସରିବାକୁ ଅତିକମ୍‌ରେ ଆଉ ୩ମାସ ଲାଗିବ ବୋଲି ପାନୀୟଜଳ ବିଭାଗ ପକ୍ଷରୁ ସୂଚନା ମିଳିଛି।