CM Mohan Charan Majhi announces Vande Mataram will celebrate in every district. Photograph: (sambad.in)
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପୂର୍ବାହ୍ଣରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ଏହି ପର୍ବକୁ ଓଡ଼ିଶା ସରକାର ବ୍ୟାପକ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସରକାର ‘ବନ୍ଦେ ମାତରମ୍’ ଉତ୍ସବକୁ ପ୍ରତି ଜିଲ୍ଲାରେ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ସ୍ତରରେ ‘ବନ୍ଦେ ମାତରମ୍’ ପାଳନ କରାଯିବ। ସେହିପରି ପ୍ରତ୍ୟେକ ସାଂସ୍କୃତିକ କେନ୍ଦ୍ରରେ ଏହି ପର୍ବ ପାଳନ କରାଯିବ।
‘ବନ୍ଦେ ମାତରମ୍’ ରାଷ୍ଟ୍ରପ୍ରେମ, ବୀରତାର ଏକ ଶକ୍ତିଶାଳୀ ପ୍ରତୀକ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ପ୍ରାଙ୍ଗଣରେ ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଯୋଗଦେଇ ସାମୂହିକ 'ବନ୍ଦେ ମାତରମ୍' ଗାନରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେ କହିଥିଲେ, ବନ୍ଦେ ମାତରମ୍ କେବଳ ଏକ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ଏକ ଶକ୍ତିଶାଳୀ ପ୍ରତୀକ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହା ଦେଶବାସୀଙ୍କ ମନରେ ଅପୂର୍ବ ଉତ୍ସାହ ଓ ଜାଗୃତି ସୃଷ୍ଟି କରିଥିଲା। ଆମେ ସମସ୍ତେ ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମରେ ସାମିଲ ହେବା। ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନମାନେ ଏଥିରେ ଅଂଶଗ୍ରହଣ କରନ୍ତୁ। ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରିବାର ଏହା ଏକ ସୁବର୍ଣ୍ଣ ସୁଯୋଗ। ମୋର ଦୃଢ଼ ବିଶ୍ୱାସ, ଆଗାମୀ ଦିନରେ ଏହି ଅଭିଯାନ ରାଷ୍ଟ୍ରବାଦକୁ ଏକ ନୂଆ ସଂଜ୍ଞା ଦେବାରେ ସଫଳ ହେବ ଏବଂ ଭାରତ ମାତାର ଗୌରବକୁ ବିଶ୍ୱ ଦରବାରରେ ପରିବ୍ୟାପ୍ତ କରିବ।
ଆହୁରି ପଢ଼ନ୍ତୁ: Poaching: ବନ୍ୟଜନ୍ତୁ ଶିକାର ପାଇଁ ପାହାଡ଼ ଉପରେ ବିଦ୍ୟୁତ୍ ତାର, ଜଳିଗଲେ ଦୁଇ ଯୁବକ
‘ବନ୍ଦେ ମାରତମ୍’ ଏକ ପବିତ୍ର ସଂକଳ୍ପ: ମୋଦୀ
ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବନ୍ଦେ ମାତରମ୍ କେବଳ ଏକ ଶବ୍ଦ ନୁହେଁ - ଏହା ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ପବିତ୍ର ସଂକଳ୍ପ। ସେ ଏହା ମଧ୍ୟ କହିଛନ୍ତି ଯେ ‘ବନ୍ଦେ ମାତରମ୍’ ଭାରତ ମାତାଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଶବ୍ଦ ଆମକୁ ଆମର ଇତିହାସ ସହିତ ଯୋଡେ, ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ ଏବଂ ଆମର ଭବିଷ୍ୟତକୁ ଏହି ବିଶ୍ୱାସ କରିବାର ସାହସ ଦିଏ ଯେ, କୌଣସି ସଂକଳ୍ପ ପୂରଣ କରିବା ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଆମ ପାଇଁ ଅପହଞ୍ଚ ନୁହେଁ।
ଆହୁରି ପଢ଼ନ୍ତୁ: ନିଜ ଭାରତୀୟ କ୍ୟାମ୍ପସ୍ ପାଇଁ Scholarship ଘୋଷଣା କଲା ଏହି ବିଦେଶୀ ବିଶ୍ବବିଦ୍ୟାଳୟ
ନଭେମ୍ବର ୭ ତାରିଖ ଏକ ଐତିହାସିକ ଦିନ
‘ବନ୍ଦେ ମାତରମ୍’ର ସାମୂହିକ ଗାନକୁ ଅଭିବ୍ୟକ୍ତିର ସୀମା ବାହାରେ ଏକ ପ୍ରକୃତ ଅନନ୍ୟ ଅଭିଜ୍ଞତା ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଯେ, ଅନେକ ସ୍ୱର ମଧ୍ୟରେ ଏକ ଅନନ୍ୟ ତାଳର ଉଦ୍ଭବ ହୋଇଥିଲା, ଏକ ଏକୀକୃତ ସ୍ୱର, ଏକ ସହଭାଗୀ ରୋମାଞ୍ଚ ଏବଂ ଏକ ଅବିଚ୍ଛିନ୍ନ ପ୍ରବାହ ଦେଖାଦେଇଥିଲା। ସେ ସେହି ସ୍ୱରସମୂହ ଓ ସମନ୍ୱୟର ତରଙ୍ଗ ବିଷୟରେ କହିଲେ, ଯାହା ହୃଦୟକୁ ଉତ୍ସାହ ଓ ଶକ୍ତିରେ ଭରିଦେଇଥିଲା। ନଭେମ୍ବର ୭ ତାରିଖ ଏକ ଐତିହାସିକ ଦିନ, କାରଣ ଦେଶ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପାଳନ କରୁଛି। ଏହି ପବିତ୍ର ଅବସର ଆମର ନାଗରିକମାନଙ୍କୁ ନୂତନ ପ୍ରେରଣା ଏବଂ ଶକ୍ତି ପ୍ରଦାନ କରିବ। ଇତିହାସର ପୃଷ୍ଠାରେ ଏହି ଦିନକୁ ସ୍ମରଣ କରିବା ପାଇଁ, ‘ବନ୍ଦେ ମାତରମ୍’ ପାଇଁ ଏକ ବିଶେଷ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ୍ ଜାରି କରାଯାଇଛି।
Follow Us