ମାଲକାନଗିରି: ସାମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ସାରା ଜିଲ୍ଲାରେ ଏବେ କୋକୂଆ ଭୟ। ଲୋକେ ଭୟଭିତ ନହେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତା ୨୮ ଓ ୨୯ ତାରିଖ ବାତ୍ୟାର ପ୍ରଭାବ ଜିଲ୍ଲାରେ ପଡୁଥିବାରୁ କେହି ଘରୁ ପଦାକୁ ନବାହାରିବା ପାଇଁ ଏକ ପ୍ରକାର ସୂଚନା ପ୍ରଦାନ କରାଯାଇଛି। ଏପରିକି ସ୍କୁଲ,କଲେଜ ଓ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ଏହି ଦୁଇ ଦିନ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜିଲ୍ଲାରେ କୌଣସି ପରିସ୍ଥିତିକୁ ମୁକାବିଲା କରିବାପାଇଁ ୯ଟି ଅଗ୍ନିଶମ ବିଭାଗ ଏବଂ କୋରାପୁଟରୁ ଆସିଥିବା ଆଉ ଚାରୋଟି ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମଚାରୀ ସଜାଗ ରହିଛନ୍ତି। ଜିଲ୍ଲାର ବିଶେଷକରି ମୋଟୁ,କାଲିମେଳା,ପଡିଆ ସମେତ ମାଲକାନଗିରି ,ବଣ୍ଡାଘାଟି,ଚିତ୍ରକୋଣ୍ଡା ଅଞ୍ଚଳରେ ବାତ୍ୟାର ପ୍ରଭାବ ବିଶେଷ ଭାବେ ପଡ଼ିବ।

ଆହୁରି ପଢ଼ନ୍ତୁ:Vegetable Prices Surge In Bhubaneswar: ରାଜଧାନୀ ପନିପରିବା ଦର ଉପରେ ସରକାରଙ୍କ କଡ଼ା ନଜର ଥିବା ଯୋଗାଣ ମନ୍ତ୍ରୀଙ୍କ ଆଶ୍ୱାସନା

ଯାହାକୁ ନେଇ ସେହି ଅଞ୍ଚଳର ସମସ୍ତ ସରକାରୀ ଅଧିକାରୀ ୨୪ ଘଣ୍ଟା ଆଲର୍ଟ ରହିବ ପାଇଁ କୁହାଯାଇଛ। ଜିଲ୍ଲାରେ ଯଦି କୌଣସି ସ୍ଥାନ ଭୂସ୍ଖଳନ କିମ୍ବା ଅନ୍ୟ କୌଣସି ଅପ୍ରତିକର ଘଟଣା ଘଟେ ତେବେ ତୁରନ୍ତ ହେଲପ୍ ଲାଇନ ନମ୍ବର ୧୦୭୭ ଏବଂ ଟେଲିଫୋନ ନମ୍ବର ୦୬୮୬୧୨୩୧୩୭୨କୁ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛନ୍ତି। ଜିଲ୍ଲାପାଳଙ୍କ ଏନଆଇସି କଠୋରୀରେ କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରାଯାଇଛି। ଜିଲ୍ଲାପାଳ ନିଜେ ଏହି ରୁମରେ ବସି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ଲାଇନ ବିଭାଗର କର୍ମଚାରୀମାନେ ମଧ୍ୟ ଏହି କଣ୍ଟ୍ରୋଲ ରୁମରେ ବସିଛନ୍ତି। ସେହିପରି ଜିଲ୍ଲାର ୨୫୩ ଜଣ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଉଛି। ଯେଉଁମାନେ ଆସନ୍ତା ୧୦ ଦିନ ମଧ୍ୟରେ ଡେଲିଭେରି କରିବେ। ସମସ୍ତଙ୍କୁ ମା’ ଗୃହରେ ସୁରକ୍ଷିତ ଭାବେ ରଖାଯାଇଛି।

ଏନେଇ ସୋମବାର ସିଡିଏମଓ ସମେତ ଅନ୍ୟ ମେଡିକାଲ କର୍ମଚାରୀଙ୍କୁ ନେଇ ଜରୁରୀ ବୈଠକ ଡାକିଛନ୍ତି। ଯେ କୌଣସି ମୁହର୍ତ୍ତରେ ଗୁରୁତର ଅବସ୍ଥା ହେଲେ ଡାକ୍ତର ଉପସ୍ଥିତ ରହିବାକୁ କୁହାଯାଇଛି। ସେହିପରି ସମସ୍ତ ଆମ୍ବୁଲେନସ ଏବଂ ମେଡିକାଲରେ ଜେନେରେଟରର ବ୍ୟବସ୍ଥା କରାଯାଇଛି। ସମସ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ବାତିଲ କରାଯାଇଛି। 

ଭୂସ୍ଖଳନ ହେଲେ ତୁରନ୍ତ ମରାମତି

ସମସ୍ତେ ନିଜ ନିଜ ଅଞ୍ଚଳରେ ସଜାଗ ରହିଛନ୍ତି। ବିଶେଷକରି ବଣ୍ଡାଘାଟି ଏବଂ ଚିତ୍ରକୋଣ୍ଡାର ଦୁର୍ଗମ ଅଞ୍ଚଳରେ ଭୁସ୍ଖଳନ ହେଉଥିବାରୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। 

ଆହୁରି ପଢ଼ନ୍ତୁ:Cyclone montha towards coastal areas: ବାତ୍ୟା ମୋନ୍ଥା ଯୋଗୁ ବହୁ ଟ୍ରେନ୍ ବାତିଲ୍, ଭୁବନେଶ୍ବରରୁ ୩ ଟ୍ରେନ୍, ଦେଖନ୍ତୁ ତାଲିକା

ଯଦି ଭୂସ୍ଖଳନ ହୁଏ ତେବେ ତୁରନ୍ତ ଏହାର ମରାମତି କରିବା ପାଇଁ ଗାଡି ଏବଂ ଲୋକ ପ୍ରସ୍ତୁତ ରହିଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ସାମ୍ଭାବ୍ୟ ବାତ୍ୟାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି। ସୋମବାର ସନ୍ଧ୍ୟାରୁ ହିଁ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ହେବା ନେଇ ଆଶଂକା କରାଯାଇଛି। ତେବେ ବାତ୍ୟା ଜିଲ୍ଲାରେ କିପ୍ରକାର ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା।

ପ୍ରେମେନ୍ଦ୍ର ପରିଚ୍ଛା