Construction of 5 mega drinking water supply projects slows down Photograph: (sambad.in)
ନବରଙ୍ଗପୁର: ଗତ ୬ବର୍ଷ ହେବ ଜିଲ୍ଲାରେ ୧୦ଟି ବ୍ଲକ ପାଇଁ ୫ଟି ସ୍ଥାନରେ ୧୦୫୩.୦୯କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି। ଦିଆଯାଇଥିବା ଧାର୍ଯ୍ୟସମୟରେ ଠିକା ସଂସ୍ଥା କାମ ସାରି ନଥିବାରୁ ୫ଟି ପ୍ରକଳ୍ପ ଜେଏମସି-ଜେୱିଲ୍, ଜିଭିପିଆର ଇଂଜିନିୟର ଲିମିଟେଡ ଓ ଏଲ ଏଣ୍ଡଟି ଲିମିଟେଡକୁ ୧୦କୋଟି ୮୪ଲକ୍ଷର ଦଣ୍ଡବିଧାନ ଜରିମାନା ଦେବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ବାରମ୍ବାର ସମୀକ୍ଷା କରି କଡା ତାଗିଦ ଓଜରିମାନାକୁ ଖାତିର କରୁ ନାହାନ୍ତି।
ଆସନ୍ତା ୨୦୨୬-ଫେବ୍ରୁଆରିରେ ପଂଚାୟତିରାଜ ଓ ଗ୍ରାମ୍ୟ ଜଳଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ୨ଟି ପ୍ରକଳ୍ପକୁ ଉଦଘାଟନ କରିବେ ବୋଲି ଘୋଷଣା କରିଛନ୍ତି। ଜିଲ୍ଲାର ୧୮୯ଟି ପଂଚାୟତର ୮୫୫ଟି ରାଜସ୍ବ, ୩୨୭୨ଟି ପଡାଗାଁର ୧୩ଲକ୍ଷ ୨୨ହଜାର ଜନସଂଖ୍ୟା, ୩ଲକ୍ଷ୯ହଜାର୩୩୫ଟି ଘର ପାଇଁ ଏବେ ୧୮,୮୨୨ଟି ନଳକୂଅ, ୫୧୪ଟି ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ରହିଛି।
ଜିଲ୍ଲାରେ ଥିବା ସମୁଦାୟ ୪୧୭୨ଟି ଜନବସତି ଭିତରୁ ପ୍ରାୟ ୪୦୫ଟି ପାଇପ ଜଳ ଯୋଗାଣ ପ୍ରକଳ୍ପରୁ ପାଣି ଘରକୁ ଘର ଯୋଗାଯାଉଛି। ୨୦ହଜାର ଘର ଏଥିରୁ ଫାଇଦା ପାଇଥାନ୍ତି। କିନ୍ତୁ ବାକି ଜନବସତିରେ ଥିବା ୨ ଲକ୍ଷ ୭୯ ହଜାର ଘର ନଳକୂଅ କିମ୍ବା କୂଅ ଉପରେ ନିର୍ଭର କରିଥାନ୍ତି।
ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଇନଟେକ୍ ୱେଲ କରି ଲମତାଗୁଡାରୁ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁ୍ଣ୍ଟି ବ୍ଲକରେ ପାଣି ଯୋଗାଯିବ। ୨ବ୍ଲକର ୪୦ଟି ପଂଚାୟତର ୧୦୧ଗାଁ ୩୮୬୦୯ଘରକୁ ପାଣି ଯୋଗାଇବା ପାଇଁ ୧୪୯କୋଟି ୩୯ଲକ୍ଷରେ ନିର୍ମାଣ କାମ ୨୦୧୯ଅଗଷ୍ଟରେ ଆରମ୍ଭ ହୋଇ ୨୦୨୩ରେ ସରିବାକୁ ଧାର୍ଯ୍ୟ ହୋଇଥିଲା। ଏହି ପ୍ରକଳ୍ପରେ ୮୮ଗାଁରେ କାମ ସରିଛି।
କୋଷାଗୁମୁଡା ବ୍ଲକ ଦେଇ ପ୍ରବାହିତ ଇନ୍ଦ୍ରାବତୀ ନଦୀର ଘାଟବାସୁଲିରେ ଇନଟେକୱେଲ କରି ବରଗାଁରୁ ଏହି ବ୍ଲକର ଅଧାରୁ ଅଧିକ ପଂଚାୟତରେ ପାନୀୟ ଜଳଯୋଗାଣ କରିବାର ଯୋଜନା ରହିଛି। କୋଷାଗୁମୁଡାର ୧୧ଟି ପଂଚାୟତ ୫୪ଗାଁର ୨୧୬୭୫ଘରକୁ ପାଣି ଯୋଗାଇବା ପାଇଁ ୯୯କୋଟି ୧ଲକ୍ଷରେ ନିର୍ମାଣ କାମ ୨୦୧୯ଅଗଷ୍ଟରେ ଆରମ୍ଭ ହୋଇ ୨୦୨୩ରେ ସରିବାକୁ ଧାର୍ଯ୍ୟ ହୋଇଥିଲା। ୫୩ଗାଁରେ କାମ ସରିଛି।
୨୦୨୩ରେ ସରିଥାନ୍ତା ନିର୍ମାଣ କାର୍ଯ୍ୟ
ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଇନଟେକ୍ ୱେଲ କରି ପାପାଡାହାଣ୍ଡି ବ୍ଲକର ଚାନ୍ଦିଲରେ ପାଣି ଜମା ଟ୍ୟାଙ୍କ କରି ସେଠାରୁ ପାପାଡାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡାବ୍ଲକର ଅଧା ପଂଚାୟତରେ ବିତରଣ ହେବ। ଏହି ତିନି ବ୍ଲକର ୪୦ଟି ପଂଚାୟତର ୧୬୦ଗାଁର ୬୬୪୭୩ଘରକୁ ପାଣି ଯୋଗାଇବା ପାଇଁ ୪୦୩କୋଟି୯୪ଲକ୍ଷରେ ନିର୍ମାଣ କାମ ୨୦୧୯ଅଗଷ୍ଟରେ ଆରମ୍ଭ ହୋଇ ୨୦୨୩ରେ ସରିବାକୁ ଧାର୍ଯ୍ୟ ହୋଇଥିଲା। ୫ଗାଁରେ କାମ ସରିଛି।
ଇନ୍ଦ୍ରାବତୀ ନଦୀର ଟିକିରାଛୁଆଁରେ ଇନଟେକୱେଲ କରି ଡାବୁଗାଁ ବ୍ଲକର ଜବାଗୁଡାରୁ ଡାବୁଗାଁ ଓ ଝରିଗାଁ ବ୍ଲକରେ ପାନୀୟ ଜଳଯୋଗାଣ କରିବାର ଯୋଜନା ରହିଛି। ଦୁଇ ବ୍ଲକର୨୪ ପଂଚାୟତର ୧୩୫ଗାଁ ୩୮୬୦୫ଘରକୁ ପାଣି ଯୋଗାଇବା ପାଇଁ ୨୬୧କୋଟି ୨୭ଲକ୍ଷରେ ନିର୍ମାଣ କାମ ୨୦୨୩ଅଗଷ୍ଟରେ ଆରମ୍ଭ ହୋଇ ୨୦୨୫ ମେ’ମାସରେ ସରିବାକୁ ଧାର୍ଯ୍ୟ ହୋଇଛି।
ଚନ୍ଦାହାଣ୍ଡି ବ୍ଲକର ବେହେରାମୁଣ୍ଡା ଠାରେ ତେଲନଦୀରେ ଇନଟେକ୍ ୱେଲ କରି ବରିଗୁଡା ଠାରେ ପାଣି ଜମା ଟ୍ୟାଙ୍କ କରି ସେଠାରୁ ଚନ୍ଦାହାଣ୍ଡି ବ୍ଲକରେ ବିତରଣ କରାଯିବ।ତେବେ ଏଯାଏଁ ଇନଟେକୱେଲ ନିର୍ମାଣ ହୋଇନି।
ଆହୁରି ପଢ଼ନ୍ତୁ:Bangladesh : ବାଂଲାଦେଶ ସ୍ଥିତି ଅଣାୟତ୍ତ, ୟୁନୁସ ସରକାରଙ୍କୁ ୨୪ ଘଣ୍ଟାର ଅଲଟିମେଟମ୍ ଦେଲେ ଆନ୍ଦୋଳନକାରୀ
ଚନ୍ଦାହାଣ୍ଡି ବ୍ଲକର ୧୩ଟି ପଂଚାୟତର ୮୬ଗାଁ ୧୮୬୬୪ଘରକୁ ପାଣି ଯୋଗାଇବା ପାଇଁ ୧୩୯କୋଟି ୪୮ଲକ୍ଷରେ ନିର୍ମାଣ କାମ ୨୦୧୯ଅଗଷ୍ଟରେ ଆରମ୍ଭ ହୋଇ ୨୦୨୧ରେ ସରିବାକୁ ଧାର୍ଯ୍ୟ ହୋଇଥିଲା। ଏବର୍ଷ ଗ୍ରୀଷ୍ମରେ ଗ୍ରାମବାସୀ ମାନେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Follow Us