ଭୁବନେଶ୍ବର: ବିଜେଡିରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ବିବାଦ ଘନେଇଲାଣି। ଏପରି ଅତର୍କିତ କାର୍ଯ୍ୟାନୁଷ୍ଠାନକୁ ଦଳର ଅନେକ ନେତା ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହା ପଛରେ ବଡ଼ ଯୋଜନା ଥିବା ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଅରବିନ୍ଦ ଆଜି ବିଜେଡି ମୁଖିଆଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ପଛରେ ଯେଉଁ ଦୁର୍ନୀତି ଓ ବିଶ୍ବାସଘାତକତାର ଆରୋପ ଲଗାଯାଇଛି, ତାହାର ପ୍ରମାଣ ଦିଆଯାଉ।
PMAY: ଗରିବ ଅସହାୟଙ୍କ ପାଇଁ ଆବାସ ଯୋଜନା ସାତସପନ
ଗତକାଲି ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ ପରେ ବିଜେଡି ଭିତରେ ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଛି। ଅରବିନ୍ଦ ଆଜି ନିର୍ବାଚନମଣ୍ଡଳୀକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦଳୀୟ କର୍ମୀମାନେ ତାଙ୍କୁ ଜୋର୍ଦାର ସ୍ବାଗତ କରିଥିଲେ। ସେଠାରେ ଅରବିନ୍ଦ କହିଥିଲେ, ଦେଢ଼ ବର୍ଷ ହେଲା ମୁଁ ବିଧାୟକ ହୋଇଛି। ମୋ ପାଖରେ ଅଖଣ୍ଡ କ୍ଷମତା ନାହିଁ ଯେ ଦୁର୍ନୀତି କରିବି। ମୁଁ ଦୁର୍ନୀତିକୁ ସବୁବେଳେ ବିରୋଧ କରେ। ଏହି ଅଭିଯୋଗକୁ ଗ୍ରହଣ କରୁନାହିଁ। ଯଦି ଦୁର୍ନୀତି ହୋଇଛି, ତେବେ ପ୍ରମାଣ ଦିଅନ୍ତୁ। କାହା ସହ ବିଶ୍ବାସଘାତ କରିଛି, ତା’ର ବି ପ୍ରମାଣ ଦେବାକୁ ପଡ଼ିବ। ଆମେ ଗଣତନ୍ତ୍ରରେ ଅଛୁ। ତେଣୁ ଯିଏ ଯେ କୌଣସି କଥା କହିପାରିବେ। ହେଲେ ଯାହା କହିବେ, ତାକୁ ପ୍ରମାଣିତ କରିବାକୁ ପଡ଼ିବ। ମୁଁ କୌଣସି ଦଳବିରୋଧୀ କାର୍ଯ୍ୟ କରିନାହିଁ। ଦଳର ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଛି। ନିଲମ୍ବନ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇନି। ଏଣୁ କାହିଁକି ନିଲମ୍ବନ କରାଗଲା, ତାହା କହିବା ଦରକାର। ତେବେ ନିଲମ୍ବନକୁ ନେଇ ମୁଁ ବ୍ୟସ୍ତ ବିବ୍ରତ ନୁହେଁ। ମୁଁ ଏବେ ବି ପାଟକୁରା ବିଧାୟକ। ପାଟକୁରାବାସୀଙ୍କ ସହ ରହିଛି ଓ ରହିବି।
ଦଳ ପରିଚାଳନା ନେଇ ଅସନ୍ତୋଷ ତେଜୁଛି
ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର କିଛି ଦିନ ହେବ ନିଜ ରାଜନୈତିକ ଅଭିଯାନକୁ ଜୋରଦାର କରିଥିଲେ। ୨୦୨୬ରେ ଓଡ଼ିଶା ରାଜନୀତିରେ ଅନେକ ନୂଆ ଘଟଣା ଘଟିବ ବୋଲି ବିଜୟ ପୂର୍ବରୁ ଗଣମାଧ୍ୟମରେ କହିଥିଲେ। ବିଜୟ ଏବେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ନେତାଙ୍କ ସହ ଆଲୋଚନା କରୁଛନ୍ତି ଏବଂ ବିଭିନ୍ନ ଦଳର ବରିଷ୍ଠ ନେତା ତାଙ୍କୁ ଘରେ ଭେଟୁଛନ୍ତି। ବିଜୟଙ୍କ ଏହି ଅଭିଯାନରେ ଚେକ୍ ଦେବାକୁ ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଗୋଟିଏ ମହଲରେ ଆକଳନ କରାଯାଉଛି। ଏ ସମ୍ପର୍କରେ ଅରବିନ୍ଦ କହିଛନ୍ତି, ବାପାଙ୍କୁ ମୋ ସହ ଯୋଡ଼ିବା ଭୁଲ୍ ହେବ। ବାପା ଆଗରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିଲେ ଏବଂ ଏବେ ବି ଯାଇ ଲୋକଙ୍କ ସହ ଆଲୋଚନା କରୁଛନ୍ତି। ସେ ତାଙ୍କ କାମ କରୁଛନ୍ତି। ବିଜୟ ମହାପାତ୍ର ମଧ୍ୟ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଚାଲି ନଜାଣି ବାଟର ଦୋଷ ପରି ଘଟଣା ଘଟିଛି। ନିଲମ୍ବନ ପଛରେ କିଛି ଅଦୃଶ୍ୟ ଶକ୍ତି ଥାଇପାରେ। ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ପ୍ରମାଣିତ କରିବା ଦରକାର। ନିଲମ୍ବନ ପଛରେ ଷଡ୍ଯନ୍ତ୍ର ଥାଇପାରେ।
Business : ବଢ଼ୁଛି ବାଣିଜ୍ୟିକ ନିଅଣ୍ଟ: ଡିସେମ୍ବରରେ ଆମଦାନି ୮.୮% ବୃଦ୍ଧି, ରପ୍ତାନିରେ ମାତ୍ର ୧.୮୬
ଅନ୍ୟତମ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଦଳର କାର୍ଯ୍ୟଧାରାକୁ ନେଇ ଲଗାତାର ଅସନ୍ତୋଷ ପ୍ରକାଶ କରୁଥିଲେ। କେନ୍ଦୁଝରକୁ ବିଜେଡି ଅବହେଳା କରିଛି ବୋଲି ସେ ଆରୋପ ଲଗାଇବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ରହିବେ ବୋଲି ଖୋଲାଖୋଲି ଘୋଷଣା କରିଥିଲେ। ହେଲେ ଦଳର କାର୍ଯ୍ୟଧାରାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିବାରେ ସେ ଆଦୌ ପ୍ରଥମ ନେତା ନୁହନ୍ତି। କେନ୍ଦୁଝର ଜିଲ୍ଲାର
ଅନ୍ୟତମ ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଲଗାତାର ବିଜେଡିର ପରିଚାଳନା ନେଇ ଅସନ୍ତୋଷ ଜାହିର କରୁଛନ୍ତି। ନବୀନଙ୍କ ପରେ ବିଜେଡିରେ ଦ୍ବିତୀୟ କ୍ଷମତାକେନ୍ଦ୍ର ସାଜିଥିବା ଭିକେ ପାଣ୍ଡିଆନଙ୍କ ଉପସ୍ଥିତିକୁ ସେମାନେ ତୀବ୍ର ସମାଲୋଚନା କରୁଛନ୍ତି। ପୂର୍ବତନ ବିଧାୟକ ଭୂପିନ୍ଦର ସିଂହ ଓ ଲତିକା ପ୍ରଧାନ ମଧ୍ୟ ଦଳର କାର୍ଯ୍ୟକୁ ନେଇ ବିଷୋଦ୍ଗାର କରୁଛନ୍ତି। କିଛି ଯୁବ ନେତା ବାରମ୍ବାର ମେଳି କରି ଦଳକୁ ଅଡ଼ୁଆରେ ପକାଉଛନ୍ତି। କିନ୍ତୁ ସେସବୁ କ୍ଷେତ୍ରରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିଲା ବେଳେ ସନାତନଙ୍କୁ କେଉଁ ମାପକାଠିରେ ନିଲମ୍ବନ କରାଗଲା, ତାହା ବୁଝାପଡ଼ୁ ନାହିଁ। ସବୁଠାରୁ ବଡ଼ କଥା ହେଲା, ଅସନ୍ତୋଷ ପ୍ରକାଶ କରୁଥିବା କୌଣସି ନେତାଙ୍କୁ ନବୀନ ନିବାସ ଡକାଯାଇ ଆଲୋଚନା କରିବାକୁ ଦଳର ସଭାପତି ଉଚିତ ମଣୁ ନାହାନ୍ତି। ବିଜେଡିରେ ଏହା ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।
Follow Us