Photograph: (CLTI)
ଭୁବନେଶ୍ବର: ଯୁକ୍ତ୨ ଥିଓରି ପରୀକ୍ଷା ପ୍ରଶ୍ନପତ୍ର ବଣ୍ଟନରେ ସୃଷ୍ଟି ହେଉଥିବା ବିଭ୍ରାଟ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପଦକ୍ଷେପ ନେଇଛି। ଫେବ୍ରୁଆରି ୧୮ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ କେଉଁ ବିଷୟରେ କେତେ ସଂଖ୍ୟକ ପ୍ରଶ୍ନପତ୍ର ଆବଶ୍ୟକ ରହିଛି ତାହାର ତଥ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ପ୍ରଦାନ କରିବେ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗ ସମେତ ପତ୍ରବିନିମୟ (କରେସପଣ୍ଡେନ୍ସ) କୋର୍ସରେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ରହିଛନ୍ତି ତାହାର ତାଲିକା ପରୀକ୍ଷା କେନ୍ଦ୍ର, ପରୀକ୍ଷା ଉପ-କେନ୍ଦ୍ର, ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) ଅନୁଯାୟୀ ପରିଷଦ ନିକଟରେ ଦାଖଲ କରାଯିବ। ୫ଟି ବର୍ଗରେ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଗ୍ରହ ହେବ। ୨୦୨୪ରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ରେଗୁଲାର (ଆର), ୨୦୨୪-୨୦୨୩ରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ରେଗୁଲାର/ଏକ୍ସ-ରେଗୁଲାର (ଆର/ଇ), ୨୦୨୩ରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ୍ସ-ରେଗୁଲାର (ଇ), ୨୦୨୨ରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ୍ସ-ରେଗୁଲାର (ଇଏକ୍ସ), ୨୦୨୪ ପର୍ଯ୍ୟନ୍ତ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ କେତେ ସଂଖ୍ୟକ ପରୀକ୍ଷାର୍ଥୀ ରହିଛନ୍ତି ତାହାର ତଥ୍ୟ ସଂଗୃହୀତ ହେବ। ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ସହ ପ୍ରଶ୍ନପତ୍ର ସଂଖ୍ୟା ଯେପରି ଠିକ୍ ରୁହେ ସେଥିପ୍ରତି ଦୃଷ୍ଟି ଦିଆଯିବ।
‘ଏବେଠୁ କହିଦେେଲ ପ୍ରଶ୍ନପତ୍ର କମ୍/ବେଶି ହେଲେ ଆମେ ଦାୟୀ ନୁହେଁ’
ଉପ ପରୀକ୍ଷା କେନ୍ଦ୍ର ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକ ଫେବ୍ରୁଆରି ୨ ସୁଦ୍ଧା କେସ୍ ନମ୍ବର ରେକର୍ଡ (ସିଏନ୍ଆର) ତଥ୍ୟ ପ୍ରଦାନ କରିବେ। ଟ୍ୟାଗ୍ ହୋଇଥିବା ବିଦ୍ୟାଳୟଗୁଡ଼ିକ ପରୀକ୍ଷା କେନ୍ଦ୍ରକୁ ଫେବ୍ରୁଆରି ୩ ସୁଦ୍ଧା ଏବଂ ଉପକେନ୍ଦ୍ରଗୁଡ଼ିକ ଫେବ୍ରୁଆରି ୫ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡ଼ିକ ନିକଟରେ ସିଏନ୍ଆର ଦାଖଲ କରିବେ। ସେହିପରି ପ୍ରଶ୍ନପତ୍ର ତଥ୍ୟଗୁଡ଼ିକ ଫେବ୍ରୁଆରି ୨ ସୁଦ୍ଧା ବିଦ୍ୟାଳୟଗୁଡ଼ିକ ଉପକେନ୍ଦ୍ରକୁ, ୫ ସୁଦ୍ଧା ଉପକେନ୍ଦ୍ରଗୁଡ଼ିକ ମୁଖ୍ୟ ପରୀକ୍ଷା କେନ୍ଦ୍ର ନିକଟରେ ଦାଖଲ କରିବେ। ଟ୍ୟାଗ୍ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୩ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକ ୭ ତାରିଖ ସୁଦ୍ଧା ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍)ରେ ତଥ୍ୟ ଦାଖଲ କରିବେ। ଧାର୍ଯ୍ୟ ସମୟ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡ଼ିକ ପଦକ୍ଷେପ ନେବା ସହ ତଥ୍ୟ ସଂଗ୍ରହ କରି ଇଏମ୍ଏଚ୍କୁ ଦେବେ। ଯଦି କୌଣସି ବିଦ୍ୟାଳୟ, ଉପ ପରୀକ୍ଷା କେନ୍ଦ୍ର କିମ୍ବା ପରୀକ୍ଷା କେନ୍ଦ୍ର ଭୁଲ୍ ତଥ୍ୟ ଦେଇଥାନ୍ତି କିମ୍ବା ବିଳମ୍ବରେ ତଥ୍ୟ ପ୍ରଦାନ କରିବେ ସେଥିପାଇଁ ପରିଷଦ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ଇଏମ୍ଏଚ୍ ସୁପରଭାଇଜର ସମସ୍ତ ପରୀକ୍ଷା କେନ୍ଦ୍ର ତଥ୍ୟକୁ ଏକାଠି କରି ଆବଶ୍ୟକ ପ୍ରଶ୍ନପତ୍ର ପାଇଁ ପରିଷଦ ନିକଟରେ ଆବେଦନ କରିବେ।
Digital India: ଡିଜିଟାଲ ନିଶାରେ ଯୁବପିଢ଼ି: ବୟସ ଆଧାରିତ କଟକଣା ପାଇଁ ପ୍ରସ୍ତାବ
ପ୍ରଶ୍ନପତ୍ର ଗ୍ରହଣ ସମୟରେ ସୁପରଭାଇଜରମାନେ ଦେଇଥିବା ତଥ୍ୟ ଓ ପଠାଯାଇଥିବା ପ୍ରଶ୍ନପତ୍ରକୁ ଭଲ ଭାବେ ଯାଞ୍ଚ କରିବେ। ଯଦି କୌଣସି ବିଷୟରେ ପ୍ରଶ୍ନପତ୍ର କମ୍, ଅଧିକ କିମ୍ବା ଆଦୌ ପଠାଯାଇ ନ ଥିବା ନଜରକୁ ଆସେ ତେବେ ସଙ୍ଗେ ସଙ୍ଗେ ଇ-ମେଲ୍ ମାଧ୍ୟମରେ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟି ଆକର୍ଷଣ କରାଇବେ। କେବଳ ଇଏମ୍ଏଚ୍ ସୁପରଭାଇଜର ହିଁ ପ୍ରଶ୍ନପତ୍ର କମ୍ ସମ୍ପର୍କରେ ପରିଷଦକୁ ଇ-ମେଲ୍ ମାଧ୍ୟମରେ ଅବଗତ କରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
Follow Us