ରେମୁଣା: ୨ ଦିନ ତଳେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ଶ୍ରୀଜଙ୍ଗ ହାଇସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ବ୍ୟାଗ୍ରୁ ବନ୍ଧୁକ ମିଳିବା ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଆଜି ରେମୁଣା ହାଇସ୍କୁଲରେ ଏକ ଛାତିଥରା ଘଟଣା ଘଟିଛି। ପ୍ରେମ ଜନିତ କାରଣରୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଖଣ୍ଡାରେ ହାଣିଛି ଦଶମ ଶ୍ରେଣୀ ଛାତ୍ର। ଏପରି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଛାତ୍ର ଜଣକ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ସୂଚନା ମୁତାବକ, ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ରେମୁଣା ହାଇସ୍କୁଲ ପରିସରରେ ପିଏମ୍ଶ୍ରୀ ଉତ୍ସବ ଚାଲିଥିଲା। କେତେକ ବିଦ୍ୟାର୍ଥୀ ସଭାକକ୍ଷରେ ବସିଥିବା ବେଳେ ଆଉ କେତେକ ମଉଜମଜଲିସ୍ କରୁଥିଲେ। ଏହି ସମୟରେ ଜଣେ ନବମ ଶ୍ରେଣୀ ଛାତ୍ର ସ୍କୁଲ ପରିସରରେ ଥିବା ଶୌଚାଳୟ ଆଡ଼କୁ ଯାଉଥିବା ବେଳେ ଦଶମ ଶ୍ରେଣୀର ଛାତ୍ର ଜଣକ ଅଚାନକ ପହଞ୍ଚି ତାଙ୍କୁ ଖଣ୍ଡାରେ ହାଣି ପକାଇଥିଲା। ଆକ୍ରମଣରେ ନବମ ଶ୍ରେଣୀ ଛାତ୍ରଙ୍କ ହାତ ପାପୁଲି ଓ ମୁଣ୍ଡର ପଛପାର୍ଶ୍ବରେ ଗଭୀର ଆଘାତ ଲାଗିଛି। ଚିତ୍କାର ଶୁଣି ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମେତ ଆଖପାଖ ଲୋକ ଦୌଡ଼ି ଆସି ଗୁରୁତର ଛାତ୍ରଙ୍କୁ ଏଫ୍ଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଭଳି କାଣ୍ଡ ଘଟାଇବା ପରେ ଦଶମ ଶ୍ରେଣୀ ଛାତ୍ର ଜଣକ ରେମୁଣା ଥାନାରେ ଆତ୍ମସମର୍ପଣ କରିଥିଲା।
Silver drops by 85 thousand rupees: ରୁପା ୮୫ ହଜାର କମିଲା: ସୁନା ଦର ୯ ହଜାର ହ୍ରାସ
ପୁଲିସ କହିବା ଅନୁସାରେ, ଦଶମ ଶ୍ରେଣୀ ଛାତ୍ର ଜଣକ ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ପ୍ରେମ କରୁଥିଲା। ପରେ ସେହି ଛାତ୍ରୀ ଜଣକ ନିଜ ସହପାଠୀ ନବମ ଶ୍ରେଣୀ ଛାତ୍ରଙ୍କ ସହିତ ପ୍ରେମ ସଂପର୍କ ରଖିଥିଲେ। ଏହା ଜାଣିବା ପରେ ଦଶମ ଶ୍ରେଣୀ ଛାତ୍ର ଜଣକ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ଏହାକୁ ନେଇ ଉଭୟ ଛାତ୍ରଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା। ଆଜି ବିଦ୍ୟାଳୟରେ ଉତ୍ସବ ଚାଲିଥିବା ବେଳେ ପ୍ରେମରେ ବିଫଳ ହୋଇଥିବା ଛାତ୍ର ଜଣକ ମାରଣାସ୍ତ୍ର ଧରି ସ୍କୁଲକୁ ଆସିଥିଲା। ଏଥିରେ ଆହୁରି ୪ରୁ ୫ ଜଣ ପିଲା ସଂପୃକ୍ତ ଥିବା ସିସିଟିଭି ଫୁଟେଜ୍ରୁ ସ୍ପଷ୍ଟ ହୋଇଛି ବୋଲି ପୁଲିସ କହିଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ଏଯାଏଁ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।
ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ସୋର: ଟିଉସନ୍ରୁ ଫେରିବା ବେଳେ ଜଣେ ନାବାଳିକା ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏନେଇ ବାଲେଶ୍ବର ଜିଲ୍ଲା ସୋର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସୋର ଅଞ୍ଚଳର ଏକ ମିଠା ଦୋକାନୀଙ୍କ ଝିଅ ଯୁକ୍ତ ୨ ପଢ଼ୁଛନ୍ତି। ଛାତ୍ରୀଜଣକ ଆଜି ଅପରାହ୍ଣରେ ଟିଉସନ୍ ଯାଇଥିଲେ। ଟିଉସନ୍ ସାରି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଗୁଡ଼ଛକ ନିକଟରେ ସ୍ଥାନୀୟ ଅଞ୍ଚଳର ଦୀପକ କୁମାର ବେହେରା ଓ କମଳାକାନ୍ତ ପଣ୍ଡା ନାମକ ୨ ଅଭିଯୁକ୍ତ ତାଙ୍କୁ ଏକୁଟିଆ ପାଇ ଗଣଦୁଷ୍କର୍ମ କରିଥିଲେ। ନାବାଳିକାଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଆସିଯିବାରୁ ଅଭିଯୁକ୍ତ ଦ୍ବୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରିବାର ଲୋକେ ପୀଡ଼ିତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଚିକିତ୍ସା କରାଇବା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ କେସ୍ ନମ୍ବର ୯୭/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
CBI vs CBI: ସିବିଆଇ ବନାମ ସିବିଆଇ: ନିଜ ଏଏସ୍ଆଇ ବିରୋଧରେ ମାମଲା ରୁଜୁ
ବ୍ଲାକ୍ମେଲ୍ରୁ ଜୀବନ ହାରିଲେ ଛାତ୍ରୀ
ଦଶମନ୍ତପୁର: ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କଲେ। ରାଜି ନ ହେବାରୁ ପୁରୁଷବନ୍ଧୁଙ୍କ ସହ ଫଟୋ ଯୋଡ଼ି ଭାଇରାଲ୍ କରିବାର ଭୟ ଦେଖାଇଲେ। ମାନସିକ ଯନ୍ତ୍ରଣା ଅସହ୍ୟ ହେବାରୁ ଶେଷରେ ଜୀବନ ହାରିଛନ୍ତି କଲେଜ ଛାତ୍ରୀ। ଏପରି ଅଭାବନୀୟ ଘଟଣା ଘଟିଛି ଦଶମନ୍ତପୁର ବ୍ଲକ୍ ଗାଦିଆଗୁଡ଼ା ପଞ୍ଚାୟତ ବଗେଇପଦର ଗାଁରେ। ଥାନାରେ ପରିବାର ଲୋକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ବ୍ଲାକ୍ମେଲ କରୁଥିବା ସମୟର ମୋବାଇଲ କଲ୍ ରେକର୍ଡକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଥିବା ଥାନା ଅଧିକାରୀ ଚରଣ ସିଂ ମାଝୀ ସୂଚନା ଦେଇଛନ୍ତି। ସେମିଳିଗୁଡ଼ା ମହାବିଦ୍ୟାଳୟରେ ପଢ଼ୁଥିବା ଏହି କଲେଜ ଛାତ୍ରୀଙ୍କୁ ଗାଁର ୪ ଦୁର୍ବୃତ୍ତ ଗତ କିଛି ଦିନ ତଳେ ଫୋନ କରିଥିଲେ। ପୁରୁଷବନ୍ଧୁଙ୍କ ସହ ତୁମ ଫଟୋ ଆମ ପାଖରେ ଅଛି, ଆମ ସହ ଶାରୀରିକ ସମ୍ପର୍କ ନ ରଖିଲେ ଚାରିଆଡ଼େ ଭାଇରାଲ୍ କରି ଦେବୁ ବୋଲି କହି ଚେତାବନୀ ଦେଇଥିଲେ। ଛାତ୍ରୀ ଜଣଙ୍କ ନେହୁରା ହୋଇ କହିଥିଲେ, କୌଣସି ପୁଅ ସହ ମୋର ସମ୍ପର୍କ ନାହିଁ, ମିଥ୍ୟା ପ୍ରଚାର କରନାହିଁ। ନଚେତ ତୁମମାନଙ୍କ ପାଇଁ ମୁଁ ଜୀବନ ହାରିଦେବି। କିନ୍ତୁ ଦୁବୃର୍ତ୍ତମାନେ ସବୁବେଳେ ଫୋନ କରି ମାନସିକ ଚାପ ଦେବାରୁ ଶୁକ୍ରବାର ନିଜ ଘରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୋବାଇଲ କଲ ରେକର୍ଡ ପ୍ରମାଣକୁ ଆଧାର କରି ପରିବାର ଲୋକ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଉଲ୍ଲେଖ କରିଛନ୍ତି।
Follow Us