ଛତ୍ରପୁର: ଦିଲ୍ଲୀରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିଲା ସାଇବର୍ ଠକେଇର ଏକ ବଡ଼ ଧରଣର ନେଟ୍ୱର୍କ। ଦିଲ୍ଲୀରୁ ମାଷ୍ଟରମାଇଣ୍ଡ୍ ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ନେଟ୍ୱର୍କକୁ ଚଳାଇଥିବା ବେଳେ ଏଥିପାଇଁ ମୁଖ୍ୟ ଏଜେଣ୍ଟ୍କୁ ବି ନିଯୁକ୍ତି ଦେଇଥିଲା। ମଧ୍ୟସ୍ଥିଙ୍କ ମାଧ୍ୟମରେ ବ୍ୟାଙ୍କ୍ରେ ଜମାଖାତା ଖୋଲାଯାଉଥିଲା। ଏହାପରେ ମାଷ୍ଟରମାଇଣ୍ଡ୍ ରଜତ ଉକ୍ତ ଜମାଖାତାଗୁଡ଼ିକୁ ବିଭିନ୍ନ ପ୍ରକାର ଅନଲାଇନ୍ ଗେମ୍ ଓ ଠକେଇରେ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା। ଦୁଇବର୍ଷ ଧରି ଚାଲିଥିବା ଏହି ନେଟ୍ୱର୍କକୁ ଛତ୍ରପୁର ପୁଲିସ ଠାବ କରିବାରେ ସଫଳ ହୋଇଛି। ନେଟ୍ୱର୍କର ମୁଖ୍ୟ ଏଜେଣ୍ଟ୍ ରମ୍ଭା ଥାନା କୁଜିଢ଼େପ ଗ୍ରାମର ପବିତ୍ର ପ୍ରଧାନ ଓ ତିନିଜଣ ମଧ୍ୟସ୍ଥି ଛତ୍ରପୁର ଗଣେଶନଗର ପ୍ରଥମ ଲାଇନ୍ର କେ.ଅନୀଲ୍ ପାତ୍ର, ନୀଳକଣ୍ଠସାହିର ଗଗନ ଦଳାଇ ଏବଂ ହୁମ୍ମାର ସଙ୍କର୍ଷଣ ସାହୁ ଏଭଳି ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।
କେସ ନମ୍ବର ୭୮୦ରେ ଏକ ମାମଲା ରୁଜୁ ସହ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ପୁଲିସର ଏକ ଟିମ୍ ଦିଲ୍ଲୀ ଯିବ। ଅଭିଯୁକ୍ତମାନଙ୍କଠାରୁ ୨ଟି ବ୍ୟାଙ୍କ୍ ଜମାଖାତା, ୫ଟି ମୋବାଇଲ୍, ଗୋଟିଏ ଏଟିଏମ୍ କାର୍ଡ ଓ ଗୋଟିଏ ଆଧାରକାର୍ଡ ଜବତ ହୋଇଛି। ୨ଟି ଯାକ ବ୍ୟାଙ୍କ୍ ଜମାଖାତାରେ ୮ ଲକ୍ଷ ଟଙ୍କା ନେଣଦେଣ ହୋଇଛି। ଏନେଇ ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼େଇ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପବିତ୍ର ଦୁଇବର୍ଷ ହେଲା ଫେସବୁକ୍ ଦ୍ବାରା ଦିଲ୍ଲୀର ରଜତ ସହ ଯୋଗାଯୋଗରେ ରହିଥିଲା। ପବିତ୍ର ଗଞ୍ଜାମ ଅଞ୍ଚଳର କିଛି ମଧ୍ୟସ୍ଥିଙ୍କ ମାଧ୍ୟମରେ ୭୦ରୁ ୮୦ ଜଣ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବ୍ୟାଙ୍କ୍ ଜମାଖାତା ଖୋଲିଥିଲା। ଏଥିପାଇଁ ହିତାଧିକାରୀଙ୍କ ଆଧାରକାର୍ଡ଼କୁ ବ୍ୟବହାର କରି ସିମ୍ ଆଣି ବିଭିନ୍ନ ବ୍ୟାଙ୍କ୍ରେ ଜମାଖାତା ଖୋଲାଯାଇଥିଲା। ଉକ୍ତ ଜମାଖାତାଗୁଡ଼ିକୁ ପବିତ୍ର କୋରିୟରରେ ରଜତ ପାଖକୁ ପଠାଉଥିଲା। ଗୋଟିଏ ଜମାଖାତା ପିଛା ପବିତ୍ରକୁ ରଜତ ୧୮ହଜାର ଟଙ୍କା ଦେଉଥିବା ବେଳେ ପବିତ୍ର ସେଥିରୁ ୭ହଜାର ଟଙ୍କା ରଖି ୧୧ହଜାର ମଧ୍ୟସ୍ଥିମାନଙ୍କୁ ଦେଉଥିଲା। ମଧ୍ୟସ୍ଥିମାନେ ଆକାଉଣ୍ଟଧାରୀମାନଙ୍କୁ ୩ରୁ ୫ହଜାର ଟଙ୍କା ଦେଇ ବାକି ଟଙ୍କା ରଖୁଥିଲେ। ଉକ୍ତ ଜମାଖାତାଗୁଡ଼ିକୁ ରଜତ ଠକେଇ ପାଇଁ ବ୍ୟବହାର କରୁଥିଲା।
ମୁଖ୍ୟ ଏଜେଣ୍ଟ୍ ସମେତ ୪ ଗିରଫ
ବ୍ୟାଙ୍କ୍ ଜମାଖାତା, ମୋବାଇଲ, ଏଟିଏମ୍ କାର୍ଡ ଜବତ
ଦିଲ୍ଲୀରୁ ମାଷ୍ଟରମାଇଣ୍ଡ୍ ଚଳାଇଥିଲା ନେଟ୍ୱର୍କ
ଛତ୍ରପୁର ଅଂଚଳର ଦିଲୀପ କୁମାର ଭୋଲାଟି ଓ କେ. ମଣିକାନ୍ତ ରାଓଙ୍କ ଦୁଇଟି ଜମାଖାତା ଗତମାସ ୨୬ ଓ ୨୭ ତାରିଖରେ ଛତ୍ରପୁରର ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ଶାଖାରେ ଖୋଲାଯାଇଥିଲା। ସେତେବେଳେ ସେମାନେ ଇ-ମେଲ୍ ଠିକଣା ଦେଇଥିବା ବେଳେ ଅନ୍ଲାଇନ୍ ଯୋଗେ ଲକ୍ଷ ଲକ୍ଷ ଟଙ୍କାର ଦେଣନେଣ ହେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ଉଭୟ ବ୍ୟାଙ୍କ୍କୁ ଯାଇ ଡୁପ୍ଲିକେଟ ଜମାଖାତା ବାହାର କରିବା ବେଳେ ଲକ୍ଷାଧିକ ଟଙ୍କା ସେମାନଙ୍କ ଖାତାକୁ ଆସୁଛି ଓ ପୁଣି ଉଠାଯାଉଥିବା ଜାଣିବାକୁ ପାଇଥିଲେ। ଫଳରେ ଉଭୟ ମିଶି ଛତ୍ରପୁର ଥାନାର ଦ୍ବାରସ୍ଥ ହେବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ପବିତ୍ର ମାଧ୍ୟମରେ ପୂରା ନେଟ୍ୱର୍କ ଚାଲିଥିବା ବେଳେ ସେ ତିନିଜଣ ମଧ୍ୟସ୍ଥି ମାଧ୍ୟମରେ ଜମାଖାତା ଖୋଲିଥିଲା।
Asia Cup : ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ ନକଭି, ପୁରସ୍କାର ଗ୍ରହଣ କରିବାକୁ ମନାକଲା U-19 ଭାରତୀୟ ଦଳ
ପବିତ୍ର ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ମଧ୍ୟସ୍ଥିମାନେ ଲକ୍ଷାଧିକ ଟଙ୍କା ପାଉଥିଲେ। କିନ୍ତୁ ଆକାଉଣ୍ଟ୍ଧାରୀମାନେ ଏହି ଠକେଇ ବିଷୟରେ ଅବଗତ ହୋଇପାରୁ ନଥିଲେ। ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତ ଆକାଉଣ୍ଟ୍ଧାରୀଙ୍କ ବିଷୟରେ ବି ତଥ୍ୟ ସଂଗ୍ରହ କରାଯିବ ବୋଲି ଏସ୍ଡିପିଓ କହିଛନ୍ତି। ପବିତ୍ର ବି ଏହି ଠକେଇ ବିଷୟରେ ପୁଲିସ ଆଗରେ ସଂପୂର୍ଣ୍ଣ ତଥ୍ୟ ଉଗାରିଛି। ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତ ଥିଲେ ।
Follow Us