ଚନ୍ଦନେଶ୍ୱର/ଭୋଗରାଇ: ଦଶନ୍ଧି ଦଶନ୍ଧି ଲାଗିରହିଥିବା ଓଡ଼ିଶା-ପଶ୍ଚିମବଙ୍ଗ ସୀମାବିବାଦ ପୁଣି କଡ଼ ଲେଉଟାଇଛି। ଆଜି ଓଡ଼ିଶାର ସୀମାନ୍ତ ଗ୍ରାମ ସାହାବାଜିପୁରରେ ପଶ୍ଚିମବଙ୍ଗ ପକ୍ଷରୁ ବେଆଇନ ରାସ୍ତା ନିର୍ମାଣ ବେଳେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ପୁଲିସ ଓ ପ୍ରଶାସନ କାମ ବନ୍ଦ କରିବା ସହ ୨ଟି ଗାଡ଼ି ଜବତ କରିଛି। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ସୀମାନ୍ତରେ ରହିଛି ସାହାବାଜିପୁର ଗାଁ। ଆଜି ପଶ୍ଚିମବଙ୍ଗ ପୂର୍ତ୍ତ ବିଭାଗ ଏବଂ ଦୀଘା-ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ଓଡ଼ିଶା ସୀମାର ୩୦ ଫୁଟ ଭିତରେ ତଥା ସାହାବାଜିପୁରର ୫୭ ନମ୍ବର ରାଜ୍ୟ ରାଜପଥ ନିକଟରେ ବେଆଇନ ଭାବେ ରାସ୍ତା ନିର୍ମାଣ କରୁଥିଲେ।
ଯାହାକୁ ଦେଖି ସାଗର ସାଥୀ କ୍ଲବ୍ର ଭଗବାନ ବେହେରା, ସମିତିସଭ୍ୟ ତରଣୀକାନ୍ତ ସେନାପତି ଓ ସମାଜସେବୀ ଦିଲ୍ଲୀପ କାମିଳାଙ୍କ ସହ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ବିରୋଧ କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଭୋଗରାଇ ଅତିରିକ୍ତ ତହସିଲଦାର ପ୍ରଜ୍ଞାପାରମିତା ଓ ତହସିଲ ସୁପର୍ଭାଇଜର ଗଗନ ସିଂ, ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଓ ବାଟଗ୍ରାମ ରାଜସ୍ବ ନିରୀକ୍ଷକ ବିକାଶ ଗିରି ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଳସାରୀ ସାମୁଦ୍ରିକ ଥାନା ପୁଲିସ ରାସ୍ତା କାମ ବନ୍ଦ କରିବା ସହ ବ୍ୟବହୃତ ରୋଲର୍ ଓ ବେଆଇନ ବାଲି ବୋଝଇ ଡମ୍ପର୍ (ଡବ୍ଲ୍ୟୁବି-୩୧-ଏ-୨୪୨୯)କୁ ଜବତ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ପ୍ରାୟ ୪୦ ବର୍ଷ ହେଲା ଲାଗିରହିଛି। ବିଭିନ୍ନ ସମୟରେ ପଶ୍ଚିମବଙ୍ଗ ପ୍ରଶାସନ ଭୋଗରାଇ ବ୍ଲକ୍ ଅଧୀନ ସାହାବାଜିପୁର ଓ ଉଦୟପୁର ଗାଁ ଭିତରକୁ ପଶି ନିର୍ମାଣ କାମ କରୁଛି ଏବଂ ଜମି ଅକ୍ତିଆର ପାଇଁ ଉଦ୍ୟମ କରୁଛନ୍ତି। ୨୦୨୦ ନଭେମ୍ବରରେ ପଶ୍ଚିମବଙ୍ଗ ପ୍ରଶାସନ ସାହାବାଜିପୁର ଗାଁରେ ପଶି ଲୋକଙ୍କୁ ଉଚ୍ଛେଦ କରିବା ସହ ଉନ୍ନୟନମୂଳକ କାମ ଆରମ୍ଭ କରିଥିଲା। ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ସଂପୃକ୍ତ ଅଧିକାରୀମାନେ ଫେରିଯାଇଥିଲେ। ସେହିପରି ଗତବର୍ଷ ପଶ୍ଚିମବଙ୍ଗ ପ୍ରଶାସନ ସାହାବାଜିପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୨୦ଟି ସିମେଣ୍ଟ ଖୁଣ୍ଟ ପୋତି ଜମି ଅକ୍ତିଆର ଉଦ୍ୟମ କରିଥିଲା। ସେତେବେଳେ ମଧ୍ୟ ଲୋକେ ବିରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/23/dgjdgjgjbcnbn-2026-02-23-01-50-24.jpg)