ସାକ୍ଷୀଗୋପାଳ: କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିର  ପବିତ୍ର ଅବସରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବଙ୍ଗୀୟ ତନ୍ତ୍ରପୀଠ ମା’ ଦକ୍ଷିଣ କାଳୀଙ୍କ ପୀଠରେ ପବିତ୍ର କାଳୀପୂଜା ଅନୁଷ୍ଠିତ ହେବ। ବର୍ଷସାରା ଏହି ପୀଠରେ ମା ଦକ୍ଷିଣ କାଳୀଙ୍କ ପଟ୍ଟି ପୂଜା ହୋଇଥାଏ । ବର୍ଷକରେ ଏହି ପବିତ୍ର ଅବସରରେ ମା’ଙ୍କ  ପୀଠରେ ମା’ ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୁଏ ।  

Advertisment

ମା’ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।  ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସନ୍ତା ୨୧ତାରିଖ ପୂର୍ବାହ୍ନ ୯ ଟା ଠାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମା’ ଦକ୍ଷିଣ କାଳୀଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିବାର ମହାର୍ଘ୍ୟ ସୁଯୋଗ ଲାଭ କରିବେ। 

ଚଳିତ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ଅବସରରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ କାଳୀକା ପଡିଆରେ ମାଟି ଅନୁକୂଳ ହୋଇଥିଲା । ନିକଟସ୍ଥ ଦାଣ୍ଡ ସାହିର ପୂର୍ଣଚନ୍ଦ୍ର ମହାରଣାଙ୍କ ସମେତ ୩ ଜଣ ମା’ ଦକ୍ଷିଣକାଳୀ ଓ ମହାଦେବଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ  କରିଥିଲେ। ଆସନ୍ତା ୨୦ତାରିଖ ସୋମବାର  ଅପରାହ୍ନରେ ମା’ ଓ ମହାଦେବଙ୍କ ମୂର୍ତ୍ତିରେ ମସ୍ତକ ସଂଯୋଗ କରାଯିବ। ରାତ୍ର ସମୟରେ ମାଟି ନିର୍ମିତ ଅଳଙ୍କାର ଲାଗି କରାଯିବ। ମଧ୍ୟ ରାତ୍ରରେ ଭୋଗ ପରେ ପହୁଡ଼ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ:JMM self-respect awakened: ଆରଜେଡିର ଅପମାନ ଜଗାଇଲା ଝାଡ଼ଖଣ୍ଡର ସ୍ୱାଭିମାନ

୨୦  ତାରିଖରେ ମୂର୍ତ୍ତି  ପ୍ରଲେପନ କରା ଯିବ । ପୀଠରେ ମୁରୁଜ ପଡିବା ପରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ଆସ୍ଥାନରେ ବିରାଜମାନ କରିବେ । ମଧ୍ୟ ରାତ୍ରରେ ଘଟ ଆନୟନ, ଘଟ ସ୍ଥାପନ, ଘଟ ପୂଜା, ସଂସ୍କାର, ଚକ୍ଷୁଦାନ, କୁଷ୍ମାଣ୍ଡ ବଳି, ଜୀବନ୍ୟାସ, ଷୋଡଶ ଉପଚାର ପୂଜା ଵିଧି, କୋଠ ଭୋଗ, କୋଟି ଯୋଗିନୀ ପୂଜା, ବଳୀ, ବଳୀ ଧୂପ, ବଡ଼ ସିଂହାର ବେଶ, ପହୁଡ଼, ଶାନ୍ତି ହୋମ ଓ ପୀଠ ବିସର୍ଜନ ଅନୁଷ୍ଠିତ ହେବ।

ମା’ ଦକ୍ଷିଣକାଳୀଙ୍କ ଅନ୍ୟ ୨ ଭଉଣୀ ସମଜାଜ ପୁରର ମା’ ଉଗ୍ରତାରା ଓ ବୀରପ୍ରତାପପୁରର ମା’ କାମରୁପାଙ୍କ ପୀଠରେ ମଧ୍ୟ ସମାନ ଧରଣର ପୂଜା ନୀତି ଅନୁଷ୍ଠିତ ହେବ । ଆସନ୍ତା ୨୧  ତାରିଖ ମଧ୍ୟ ରାତ୍ରରେ ମା’ ଦକ୍ଷିଣକାଳୀ  ମହା ଆଡମ୍ବରରେ ଏକ ବିଶାଳ  ଶୋଭାଯାତ୍ରାରେ  ବିସର୍ଜନ ନିମନ୍ତେ ବାହାରିବେ । ମା’ଙ୍କର ଅନ୍ୟ ୨ ଭଉଣୀ ସମଜାଜ ପୁରର ମା୩ ଉଗ୍ରତାରା ଓ ବୀର ପ୍ରତାପ ପୁରର ମା’ କାମରୂପା ଏକ ମିଳିତ ଶୋଭାଯାତ୍ରାରେ ଯାଇ ଭଗବାନ ପୁର ଗ୍ରାମ ନିକଟରେ ଭାର୍ଗବୀ ନଦୀର କାଳୀ ଘାଟରେ ପହଞ୍ଚିବେ । ସେଠାରେ ପଣା ପୂଜା ପରେ ମା’ ଙ୍କୁ ଭାର୍ଗବୀ ନଦୀରେ ବିସର୍ଜନ କରାଯିବ।

ଆହୁରି ପଢ଼ନ୍ତୁ:Modi-Amit Shah perform their best: ବିହାର ନିର୍ବାଚନରେ ମୋଦୀଙ୍କର ୧୨, ଅମିତ ଶାହଙ୍କର ୨୫ ସାଧାରଣ ସଭା

କିପରି ଆରମ୍ଭ ହେଲା ମା’ଙ୍କର ପୂଜା ?

ପୂର୍ବେ ଏଠାରେ କାଳୀ ପୂଜା ନ ଥିଲା। ତତ୍କାଳୀନ ବଙ୍ଗୀୟ ନବାବଙ୍କ ଶାସନ ସମୟରେ ଉତ୍ପୀଡ଼ନର ଶିକାର ହୋଇ ଭଗବାନ ଚକ୍ରବର୍ତ୍ତୀ ନାମକ ବଙ୍ଗୀୟ ବ୍ରାହ୍ମଣ ପରିବାର ଏଠାକୁ ଚାଲି ଆସିଥିଲେ। ସେମାନେ ୩ ଭାଇ ଥିଲେ। ସେମାନଙ୍କ ଗୃହ ଦେବତା କାଳୀ ଥିଲେ। ୩ ଭାଇ ଏହି ତିନୋଟି ଗ୍ରାମରେ ରହିଥିଲେ। ସେମାନେ ଏଠାରେ କାଳୀ ପୂଜା ଆରମ୍ଭ କରିଥିଲେ। ସେବେଠାରୁ ଏହି ୩ ଗ୍ରାମରେ କାଳୀ ପୂଜା ହୋଇଆସୁଛି। 

ଅଶୋକ ବେହେରା

 puri | Dakhina Kali | Biragobindapur