କଟକ: ବିଜେଡି ରାଜ୍ୟ ଉପସଭାପତି ପଦରୁ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଆଜି ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ରରେ ଦେବାଶିଷ ଯାହା ଲେଖିଛନ୍ତି ସେଥିରେ ତାଙ୍କର ତୀବ୍ର ଅସନ୍ତୋଷ ପ୍ରତିଫଳିତ ହେବା ସହିତ ପୁଣି ଥରେ ଦଳ ଭିତରେ ହଟଚମଟ ସୃଷ୍ଟି ହୋଇଛି। ଦେବାଶିଷ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଉପସଭାପତି ପାହ୍ୟା ପଦବି (ବରିଷ୍ଠ ନାଗରିକ ସେଲ୍) ତାଙ୍କ ପାଇଁ ଏକପ୍ରକାର ଅପମାନ ସଦୃଶ। ଏହା କୌଣସି ଅମଲାତାନ୍ତ୍ରିକ ନିଷ୍ପତ୍ତି ଓ ଦାୟିତ୍ବ ଭଳି ମନେ ହେଉଛି। ତେଣୁ ଏହି ପଦବିରେ ରହିବାକୁ ସେ ଇଚ୍ଛୁକ ନୁହନ୍ତି।
ବିଜେଡିର ବର୍ତ୍ତମାନ ସ୍ଥିତି ସଂପର୍କରେ ଅତ୍ୟନ୍ତ କଠୋର ଭାଷାରେ ମନ୍ତବ୍ୟ ଦେଇ ଦେବାଶିଷ କହିଛନ୍ତି ଯେ ଏବେ ଏହା ଏକ ବ୍ୟୁରୋକ୍ରାଟିକ୍ ଦଳ ହେଇଗଲାଣି। ନବୀନ ପଟ୍ଟନାୟକଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ଥିଲେ ବି ତାଙ୍କୁ ନବୀନଙ୍କ ସହ ଭେଟିବାକୁ ଦିଆଯାଉ ନାହିଁ। ନବୀନ ବାବୁଙ୍କର ପାଖଲୋକଙ୍କର ଦଳ ଭିତରେ ସ୍ଥାନ ନାହିଁ। ନୂଆପଡ଼ା ଉପନିର୍ବାଚନରେ ଅଞ୍ଚଳ ବାହାରର ପ୍ରାର୍ଥୀ କରାଯିବା ନିଷ୍ପତ୍ତି ନବୀନ ବାବୁଙ୍କର ନୁହେଁ ବୋଲି ଦର୍ଶାଇଛନ୍ତି। ତେବେ ନବୀନ ବାବୁ ଥିବା ଯାଏଁ ସେ ବିଜେଡି ଛାଡ଼ିବେ ନାହିଁ ବୋଲି ଦେବାଶିଷ ସ୍ପଷ୍ଟ କରିଛନ୍ତି। ଦେବାଶିଷ ନବୀନଙ୍କ ପାଖକୁ ପଠାଇଥିବା ଚିଠିକୁ ଏକ୍ସରେ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିସହିତ ଦଳ ଭିତରେ ଚାଲିଥିବା ଅସନ୍ତୋଷ ନେଇ ନବୀନଙ୍କୁ ସୂଚାଇ ଦେଇଛନ୍ତି।
ଦଳର ଉପସଭାପତି ପଦରୁ ଇସ୍ତଫା
ଏହି ପଦ ଅପମାନଜନକ ଓ ଅମଲାତାନ୍ତ୍ରିକ
ବିଜୁ ଓ ନବୀନଙ୍କ ବିଶ୍ବସ୍ତଙ୍କ ପାଇଁ ଦଳରେ ସ୍ଥାନ ନାହିଁ
ନୂଆପଡ଼ା ପ୍ରାର୍ଥୀ ଚୟନ ନବୀନ କରି ନାହାନ୍ତି
‘ବିଶ୍ବ ଶାନ୍ତି ନୁହେଁ, ରାଜନୈତିକ ପକ୍ଷପାତ’
ସେ ଲେଖିଛନ୍ତି ଯେ ଯେଉଁମାନେ ନବୀନଙ୍କ ଲମ୍ବା ରାଜନୈତିକ କ୍ୟାରିୟରରେ ତାଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇଥିଲେ ସେମାନଙ୍କ ପାଇଁ ମଧ୍ୟ ଦଳରେ କୌଣସି ସ୍ଥାନ ଥିବା ଭଳି ମନେହେଉନି। ବର୍ତ୍ତମାନ ବିଜେଡିରେ ବିଜୁ ଲିଗାସି ଏବଂ ତାହାକୁ ନବୀନ ବାବୁ ଯେଉଁଭଳି ଭାବେ ଆଗେଇ ନେଇଥିଲେ ତାହାର ବ୍ୟତିକ୍ରମ ହୋଇଥିଲା ବେଳେ ନୂଆଧରଣର ଚିନ୍ତାଧାରା, ଆଦର୍ଶ ଓ କାର୍ଯ୍ୟପ୍ରଣାଳୀ ଦେଇ ଦଳ ଗତି କରୁଛି। ନବୀଙ୍କ ପ୍ରତି ତାଙ୍କର ବିଶ୍ବାସ ଥିଲେ ବି ସେ ଏପ୍ରକାର କାର୍ଯ୍ୟକଳାପ ଯୋଗୁଁ ନିରୁତ୍ସାହିତ ମନେ କରୁଛନ୍ତି। ଗତ ସାଧାରଣ ନିର୍ବାଚନରେ ଦଳର ପରାଜୟ ସଂକ୍ରାନ୍ତରେ ଦେବାଶିଷ ଲେଖିଛନ୍ତି ଯେ ଗତବର୍ଷର ନିର୍ବାଚନ ଫଳାଫଳ ପରଠୁ ଦଳ ତାହାର ପରାଜୟର କାରଣ ସ୍ବୀକାର କରିପାରୁନାହିଁ କି ଏହାର ପ୍ରତିକାର ମଧ୍ୟ କରିପାରୁନାହିଁ।
ଭି କେ ପାଣ୍ଡିଆନଙ୍କ ନାଁ ନନେଇଥିଲେ ବି ତାଙ୍କୁ ଇଙ୍ଗିତ କରି ସେ କହିଛନ୍ତି, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ବେ ଆମକୁ ପରାଜୟର ସାମନା କରିବାକୁ ପଡ଼ିଥିଲା। ୨୦୨୪ ନିର୍ବାଚନର ପରାଜୟ ପଛର କାରଣକୁ କେହି କୁହନ୍ତୁ କି ନ କୁହନ୍ତୁ, କିନ୍ତୁ ଏହା ବିଷୟରେ ପ୍ରତ୍ୟେକ ବିଜେଡି ନେତା ଓ କର୍ମୀ ଜାଣିଛନ୍ତି। ତେଣୁ ଦଳକୁ ଦୁର୍ବଳ କରୁଥିବା କୌଣସି ବ୍ୟକ୍ତିଙ୍କୁ ଆପଣ ଦଳରୁ ବାହାର କରିପାରିବେ ବୋଲି ଆମର ଆଶା ଅଛି। ତେଣୁ ଦଳର ସାମ୍ପ୍ରତିକ ସ୍ଥିତିକୁ ସମ୍ଭାଳିବା ପାଇଁ ସଭାପତି ଧ୍ୟାନ ଦିଅନ୍ତୁ ବୋଲି ଦେବାଶିଷ ଅନୁରୋଧ କରିଛନ୍ତି।
Follow Us