Photo: Sambad
ରାଇରଙ୍ଗପୁର/ଗୋରୁମହିଷାଣୀ: ବର୍ଷାଋତୁରେ ବି ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ୍ କୁଲେଇଶିଳା ଗ୍ରାମ ପଞ୍ଚାୟତର କଳସିଭଙ୍ଗାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଉକ୍ତ ଗ୍ରାମରେ ୬୦ରୁ ଅଧିକ ପରିବାର ବାସ କରନ୍ତି। ପାନୀୟ ଜଳ ନିମନ୍ତେ ଗ୍ରାମରେ ପୂର୍ବରୁ ୩ଟି ନଳକୂପ ଏବଂ ଗୋଟିଏ ସୋଲାର ପାନୀୟ ଜଳ ପ୍ରକଳ୍ପ ଥିଲା। ସେଥି ମଧ୍ୟରୁ ୨ ଟି ନଳକୂପରୁ ଗୋଳିଆ ପାଣି ବାହାରୁଥିବା ବେଳେ ଗୋଟିଏ ନଳକୂପରୁ ଅଳ୍ପ ପାଣି ବାହାରୁଛି।
ଗ୍ରାମବାସୀ ନଳକୂପରୁ ବାହାରୁଥିବା ଗୋଳିଆ ପାଣି ପିଇବା ଯୋଗୁଁ ନାନା ପ୍ରକାରର ପେଟଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେପଟେ ପାନୀୟ ଜଳ ପାଇଁ ସରକାରଙ୍କ ବିଭିନ୍ନ ପ୍ରକଳ୍ପ କରୁଥିଲେ ମଧ୍ୟ ସେଥିରୁ ବଞ୍ଚିତ ଅଛନ୍ତି କଳସିଭଙ୍ଗା ଗ୍ରାମବାସୀ। ଗ୍ରାମରେ ତିନୋଟି ନଳକୂପ ଥିଲା ବେଳେ ସେ ଗୁଡିକରୁ ଗୋଳିଆ ପାଣି ବାହାରୁ ଥିବାରୁ ପିଇବା ସମ୍ଭବ ନୁହେଁ ଯେଉଁଥିପାଇଁ ଗୋଟିଏ ମାତ୍ର ନଳକୂପ ଠିକ୍ ଅଛି ତେବେ ସେଥିରୁ ମଧ୍ୟ ଗୋଟିଏ ବାଲଟି ପାଣି ଭର୍ତ୍ତି ପାଇଁ ବହୁ ସମୟ ଲାଗୁଥିବା ଅଭିଯୋଗ କରିଛନ୍ତିି ଗ୍ରାମବାସୀ।
ସୋଲାର ପାନୀୟ ଜଳ ପ୍ରକଳ୍ପ ମଧ୍ୟ ମରାମତି କରାଯାଉନାହିଁ। ଗ୍ରାମର ମୁଖିଆ ରାମ ମୁର୍ମୁ ଏନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ନିକଟରେ ମଧ୍ୟ ମରାମତି ପାଇଁ ଦାବି କରିଥିଲେ। ବିଡ଼ିଓ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ଇଲେକ୍ସନ ସରିଲେ ମରାମତି କରାଯିବ କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଇଲେକ୍ସନ ସରି ଦୁଇ ମାସ ହେବାକୁ ବସିଲାଣି କିନ୍ତୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା।
ଏହିଖବର ପଢ଼ନ୍ତୁ: ପୁଣି ବିବାଦରେ ଶିଖରଚଣ୍ଡୀ ପାନୀୟ ଜଳ ପ୍ରକଳ୍ପ
ଏନେଇ ଗ୍ରାମର ସାକର ହାଁସଦା, ଦୁଃଖୁ ମୁର୍ମୁ, ମାତୁ ମୁର୍ମୁ, ରାମଦାସ ମାଝି, ଦୁର୍ଗା ଟୁଡୁ, ପିରୁ ହାଁସଦା, ମଧୁସୂଦନ ମୁଣ୍ଡା ଯଥାଶୀଘ୍ର ମରାମତି ଓ ପିଇବା ପାଣି ସମସ୍ୟା ଦୂର କରିବା ପାଇଁ ସରପଞ୍ଚକୁ ଦାବି ପତ୍ର ଦେଇଛନ୍ତି। ଏଣୁ ଯଥାଶୀଘ୍ର ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଭୂତଳ ଜଳକୁ ବିଷାକ୍ତ କରୁଛି ଉତ୍ତାପ
Follow Us