ଫୁଲବାଣୀ: ପୁଲିସ ବି ଅସୁରକ୍ଷିତ। ଫୁଲବାଣୀ ଟାଉନ୍‌ ଥାନା କନେଷ୍ଟବଳ ମନୋରଞ୍ଜନ ସାବତଙ୍କୁ ଆଜି ଦୁଇଜଣ ଯୁବକ ବିଚ୍‌ ରାସ୍ତାରେ ଉଦୁଉଦିଆ ଖରାବେଳେ ସର୍ବସାଧାରଣଙ୍କ ସାମ୍ନାରେ ମୁଥ, ଗୋଇଠା ମାରି ଲହୁଲୁହାଣ କରିବା ସହ ଛୁରିମାଡ଼ ବି କରିଛନ୍ତି। ସହରର ଜନଗହଳିପୂର୍ଣ୍ଣ ସାଇମନ୍ଦିର ରାସ୍ତାରେ ଘୋଷାଡ଼ି ତଳେ ପକାଇ କୁଦଦେବା ଓ ଜନସାଧାରଣ ଦେଖଣାହାରୀ ସାଜିବା ଘଟଣା ଆଲୋଡ଼ନ ଖେଲାଇଦେଇଛି। ସେମାନେ ତାଙ୍କୁ ରାସ୍ତା ଉପରେ ପକାଇ ବେକ, ଛାତି ଓ ମୁହଁକୁ ଗୋଇଠା, ମୁଥ ମାରିବା ସହ ତଳେପକାଇ କୁଦିଥିଲେ, ଯାହାର ଭିଡ଼ିଓ ମଧ୍ୟ ଗଣମାଧମରେ ପ୍ରସାରିତ ହେଉଛି।

Advertisment

Convocation: ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି

ଏନେଇ ଟାଉନ ଥାନାରେ କେସ୍‌ ନମ୍ବର ୬୨ରେ ଏକ ମାମଲା ରୁଜୁ ସହ ଦୁଇ ଅଭିଯୁକ୍ତ ସାଲୁଙ୍କୀସାହିର ସନ୍ତୋଷ ପ୍ରଧାନ ଓ ଅଞ୍ଜନ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୁଲିସ କନେଷ୍ଟବଳ ମନୋରଞ୍ଜନ ଆଜି ସାଦା ପୋଷାକରେ ଥିବାବେଳେ କୌଣସି କାରଣକୁ ନେଇ ଦୁଇ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।

କନେଷ୍ଟବଳଙ୍କୁ ଘୋଷାଡ଼ି 
ଗୋଇଠା ଓ ମୁଥମାଡ଼, ୨ ଗିରଫ
ଲୋକେ ସାଜିଲେ ଦେଖଣାହାରୀ

ଉଭୟ ଉତ୍‌କ୍ଷିପ୍ତ ହୋଇ ମନୋରଞ୍ଜନଙ୍କୁ ଗଳାଧକ୍କା ଦେଇ ତଳେ ପକାଇଦେଇଥିଲେ। ମନଇଚ୍ଛା ତାଙ୍କୁ ଛେଚିବା ସହ ସହ ଛୁରିରେ ବି ଆକ୍ରମଣ କରିବାକୁ ପଛାଇ ନଥିଲେ। ଉପସ୍ଥିତ ଲୋକେ ଚୁପ୍‌ଚାପ ଏହି ଦୃଶ୍ୟ ଦେଖୁଥିବା ବେଳେ କେହି ବି ଉଦ୍ଧାର କରିବାକୁ ସାହସ କରିନଥି‌ଲେ। କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ମନୋରଞ୍ଜନଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହତ ପୁଲିସ କନେଷ୍ଟବଳଙ୍କ ପତ୍ନୀ ମଧ୍ୟ ଜଣେ ପୁଲିସ କର୍ମଚାରୀ।

Horoscope 2026 February 28: ଜାଣନ୍ତୁ ଆଜିର ରାଶିଫଳ

ତେବେ ଅନ୍ୟକୁ ସୁରକ୍ଷା ଯୋଗାଇବା ପାଇଁ ନିୟୋଜିତ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଏଭଳି ପ୍ରାଣାନ୍ତକ ଆକ୍ରମଣ ଘଟଣା ଏବେ ପୁଲିସର କାର୍ଯ୍ୟଦକ୍ଷତା ଓ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଲଗାଇଛି। କେବଳ ମାଓ ଦମନରେ ବର୍ତ୍ତମାନ କନ୍ଧମାଳ ପୁଲିସ ବ୍ୟସ୍ତ ରହୁଥିବା ବେଳେ ଏହାର ସୁଯୋଗ ନେଇ ଅସାମାଜିକ ତତ୍ତ୍ବ ମୁଣ୍ଡ ଟେକିବା ଆରମ୍ଭ କରିଥିବା ଭଳି ମନେ ହେଉଛି। ବିଗତ କିଛି ବର୍ଷ ଧରି ଫୁଲବାଣୀ ସହରରେ ଡ୍ରଗ୍‌ସ, ଗଞ୍ଜେଇ ଏବଂ ଚୋରାମଦ କାରବାର ବଢ଼ିବା ସହ ଚୋରି, ଡକାୟତି ମଧ୍ୟ ବୃଦ୍ଧି ପାଇଛି। ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତିକୁ ସଜାଡ଼ିବା ଦିଗରେ ମଧ୍ୟ ପୁଲିସ ଧ୍ୟାନ ଦେଉ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।