Father cannot be deprived of custody due to inability to submit birth certificate Photograph: (sambad.in)
କଟକ: ନିଜ ପିତୃତ୍ବ ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ବାପାଙ୍କୁ ଶିଶୁପୁତ୍ରର ଜିମାରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ପତ୍ନୀଙ୍କ ମୃତ୍ୟୁ ସାର୍ଟିଫିକେଟ ଓ ଶିଶୁପୁତ୍ରର ଜନ୍ମ ସାର୍ଟିଫିକଟେ ଦାଖଲ କରିବାରେ ବିଫଳ ହେବାରୁ ସନ୍ତାନର ଜିମା ପାଇବା ପାଇଁ ବାପା ଦାଏର କରିଥିବା ଆବେଦନକୁ ଖାରଜ କରି ଭଦ୍ରକ ପରିବାର ଅଦାଲତ ୨୦୨୨, ଜୁଲାଇ ୭ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ଖାରଜ କରିଛନ୍ତି। ପରିବାର ଅଦାଲତରେ ଆବେଦନକାରୀଙ୍କ ଶ୍ବଶୁର ଦାଖଲ କରିଥିବା ଜବାବରୁ ଶିଶୁପୁତ୍ରର ସେ ବାପା ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା।
ପିତୃତ୍ବର ପ୍ରମାଣ
ପରିବାର ଅଦାଲତ ଏହି ତଥ୍ୟକୁ ବିଚାରକୁ ନ ନେଇ ତଥା ଜନ୍ମ ସାର୍ଟିଫିକେଟ ଦାଖଲ କରାଯାଇ ନଥିବା କାରଣରୁ ଆବେଦନକାରୀଙ୍କ ଦରଖାସ୍ତକୁ ଖାରଜ କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହିତ ଏହାକୁ ଖାରଜ କରିଛନ୍ତି।
ଆହୁରି ପଢ଼ନ୍ତୁ: Governor of West Bengal: ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ପଶ୍ଚିମବଙ୍ଗ ରାଜ୍ୟପାଳ: ରାଷ୍ଟ୍ରପତିଙ୍କ ଗାଁ ଓ ସ୍କୁଲ ପରିଦର୍ଶନ କଲେ
ଏଥି ସହିତ ଆବେଦନକାରୀଙ୍କୁ ଶିଶୁପୁତ୍ରର ଜିମା ହସ୍ତାନ୍ତର କରିବାକୁ ଶିଶୁର ଅଜାଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଘରେ ଶିଶୁକୁ ଅଜା ଯେତେବେଳେ ଚାହିଁବେ ଭେଟି ପାରିବେ।
ଏଥି ପାଇଁ ଅଜା ତାରିଖ ଓ ସମୟ ସଂପର୍କରେ ଆବେଦନକାରୀଙ୍କୁ ଆଗୁଆ ସୂଚନା ଦେବେ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଯଦି ଆବେଦନକାରୀଙ୍କୁ ଶିଶୁର ଜିମା ପ୍ରଦାନ କରା ନ ଯାଏ ତେବେ ଉଭୟ ବାପା-ପୁଅ ପରସ୍ପରର ସ୍ନେହ ମମତାରୁ ବଞ୍ଚିତ ହେବେ।
ମା’ଙ୍କ ମୃତ୍ୟୁ ହେବା ବେଳେ ଶିଶୁଟି ଅତି ଛୋଟ ଥିଲା ଓ ଏବେ ତାକୁ ସାଢେ ୫ବର୍ଷ ବୟସ। ଏଭଳି ସ୍ଥିତିରେ ଶିଶୁର ପସନ୍ଦ ଆକଳନ କରାଯାଇ ପାରିବ ନାହିଁ। ଅଜାଙ୍କୁ ଶିଶୁର ଜିମା ତାର ବାପାଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ବିବାହ ୨୦୧୯ରେ ହୋଇଥିଲା।
ପତ୍ନୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପତ୍ନୀ ଶିଶୁ ସହିତ ବାପଘରେ ଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଦିନଠାରୁ ଶିଶୁପୁତ୍ର ତାର ଅଜାଙ୍କ ଘରେ ରହୁଥିଲା। ପୁଅର ଜିମା ପାଇଁ ଆବେଦନକାରୀ ୨୦୨୧ରେ ଭଦ୍ରକ ପରିବାର ଅଦାଲତରେ ମାମଲା ଦାୟର କରିଥିଲେ। ମାମଲାରେ ଅଜା ଦାଖଲ କରିଥିବା ଜବାବରେ ଆବେଦନକାରୀଙ୍କ ବିବାହ ଓ ଶିଶୁପୁତ୍ରର ଜନ୍ମ ପ୍ରସଂଗ ସ୍ବୀକାର କରାଯାଇଥିଲା।
ଆହୁରି ପଢ଼ନ୍ତୁ:Navjot Kaur : ସିଦ୍ଧୁଙ୍କ ପତ୍ନୀ ନବଜୋତଙ୍କୁ ବହିଷ୍କାର କଲା କଂଗ୍ରେସ୍
କିନ୍ତୁ ଆବେଦନକାରୀ ପତ୍ନୀଙ୍କ ମୃତ୍ୟୁ ସାର୍ଟିଫିକେଟ ଓ ପୁଅର ଜନ୍ମ ସାର୍ଟିଫିକେଟ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ। ଏହାପରେ ପରିବାର ଅଦାଲତ ଆବେଦନକାରୀଙ୍କ ଦରଖାସ୍ତକୁ ୨୦୨୨, ଜୁଲାଇ ୭ରେ ଖାରଜ କରିଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Follow Us