Ex CM Naveen Pattnaik Photograph: (sambad.in)
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ମହାନତା ଦେଖାଇଛନ୍ତି। ରାଜ୍ୟରେ ଥିବା ଗରିବଙ୍କ କଥା ଚିନ୍ତା କରିଛନ୍ତି। ଗରିବମାନଙ୍କୁ କିଛି ଆର୍ଥିକ ସହାୟତା ମିଳିଲେ ସେ ଖୁସି ହେବେ ବୋଲି ଚିନ୍ତା କରିଛନ୍ତି। ତେଣୁ ସେ ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତ୍ତି ନେଇଛନ୍ତି। ବିଜୁ ଜନତା ଦଳ (ବିଜେଡି) ସଭାପତି ବର୍ଦ୍ଧିତ ଦରମା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବର୍ଦ୍ଧିତ ଦରମା ଗରିବଙ୍କ ସେବାରେ ବିନିଯୋଗ କରାଯାଉ।
ସୂଚନାଯୋଗ୍ୟ, ବିଧାୟକଙ୍କର ବହୁଦିନର ଦାବି ନିକଟରେ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ପୂରଣ ହୋଇଛି। ସେମାନଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଇଛି। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍ସନରେ ବି ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍ ବିଧାନସଭାରେ ପାରିତ ହୋଇଛି। ୨୦୨୪ ଜୁନ୍ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ। ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ। ଆଉ ବିଧାନସଭାରେ ବିଲ୍ ଆଣିବାକୁ ପଡ଼ିବ ନାହିଁ। ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂଶୋଧିତ ହୋଇଥିଲା। ୨୦୧୭ ମସିହା ସଂଶୋଧନ ପରେ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ। ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା। ଏବେ ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଛି। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ମୋଟ୍ ୩.୪୫ ଲକ୍ଷ ଟଙ୍କା ମିଳିବ। ଏହା ବାଦ୍ ସେମାନେ ବିଧାନସଭା ଅଧିବେଶନ ଓ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବା ପାଇଁ ସିଟିଂ ଆଲାଉନ୍ସ ମଧ୍ୟ ପାଇବେ। ଭତ୍ତା ମଧ୍ୟରେ ଅଛି ନିର୍ବାଚନମଣ୍ଡଳୀ ଭତ୍ତା ୭୫ ହଜାର, ଯାତାୟାତ ଭତ୍ତା ୫୦ ହଜାର, ପତ୍ରପତ୍ରିକା ପାଇଁ ୧୦ ହଜାର, ବିଦ୍ୟୁତ୍ ବିଲ୍ ୨୦ ହଜାର, ବ୍ୟକ୍ତିଗତ ଗସ୍ତ ଭତ୍ତା ୫୦ ହଜାର, ଚିକିତ୍ସା ଭତ୍ତା ୩୫ ହଜାର ଓ ଟେଲିଫୋନ୍ ଭତ୍ତା ୧୫ ହଜାର।
ଆହୁରି ପଢ଼ନ୍ତୁ: Bhadrak Politics: ମୁଁ ‘ବିଜେଡି’ରେ ଅଛି, ଆମ ନେତା ନବୀନ ପଟ୍ଟନାୟକ: ପ୍ରଫୁଲ୍ଲ ସାମଲ
ମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମା ୪୧ ହଜାରରୁ ବଢ଼ି ୧ ଲକ୍ଷ ଟଙ୍କା ହୋଇଛି। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମୁଖ୍ୟମନ୍ତ୍ରୀ ମାସିକ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ପାଇବେ। ସେହିପରି କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ମୂଳ ଦରମା ଯଥାକ୍ରମେ ୯୬ ହଜାର ଓ ୯୪ ହଜାର ଟଙ୍କା ହୋଇଛି। ଭତ୍ତା ମିଶାଇଲେ ସେମାନେ ମାସକୁ ପ୍ରାୟ ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ବୈଠକ ପାଇଁ ଅତିରିକ୍ତ ସିଟିଂ ଆଲାଉନ୍ସ ପାଇବେ। ବାଚସ୍ପତି ଓ ଉପବାଚସ୍ପତି ଦରମା ଓ ଭତ୍ତା ବାବଦକୁ ପାଖାପାଖି ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ। ପୂର୍ବତନ ବିଧାୟକମାନଙ୍କ ମାସିକ ପେନ୍ସନ ରାଶି ବି ବୃଦ୍ଧି କରାଯାଇଛି। ସେମାନଙ୍କ ମାସିକ ମୂଳ ପେନ୍ସନ ୩୦ ହଜାର ଟଙ୍କାରୁ ବଢ଼ି ୮୦ ହଜାର ଟଙ୍କା ହୋଇଛି। ୫ ବର୍ଷରୁ ଅଧିକ ସମୟ ବିଧାୟକମାନେ ଭାବେ ନିର୍ବାଚିତ ହୋଇଥିଲେ ପ୍ରତି ଅତିରିକ୍ତ ବର୍ଷ ପାଇଁ ବାର୍ଷିକ ୩ ହଜାର ଟଙ୍କା ଲେଖାଏଁ ଅଧିକ ପେନ୍ସନ ମିଳିବ। ସେମାନଙ୍କ ଚିକିତ୍ସା ଭତ୍ତା ବାବଦରେ ମାସିକ ୨୫ ହଜାର ଟଙ୍କା ମିଳିବ। ପ୍ରଥମ ଥର ପାଇଁ ପୂର୍ବତନ ବିଧାୟକମାନଙ୍କୁ ମାସିକ ଗସ୍ତ ଖର୍ଚ୍ଚ ବାବଦରେ ୧୨,୫୦୦ ଟଙ୍କା ମିଳିବ।
ଆହୁରି ପଢ଼ନ୍ତୁ: Neglect: କିଭଳି କାର୍ଯ୍ୟକାରୀ ହେଉଛି ସରକାରୀ ଯୋଜନା? କେମିତି ଚଳୁଛନ୍ତି ଏହି ବୃଦ୍ଧା
ପୂର୍ବତନ ବିଧାୟକଙ୍କ ପେନ୍ସନ୍ ବି ବୃଦ୍ଧି
ଏ ସଂକ୍ରାନ୍ତରେ ତିନିଟି ବିଲ୍ ବିଧାନସଭାରେ ପାରିତ ହୋଇଛି। ଏଗୁଡ଼ିକ ହେଲା ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନ୍ସନ ସଂଶୋଧନ ବିଲ୍-୨୦୨୫, ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ୍-୨୦୨୫ ଏବଂ ଓଡ଼ିଶା ବିଧାନସଭା ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ଭତ୍ତା ସଂଶୋଧନ ବିଲ୍-୨୦୨୫। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଏହି ବିଲ୍ଗୁଡ଼ିକ ବିଧାନସଭାର ସଦସ୍ୟ, ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକମାନଙ୍କ ଦରମା, ଭତ୍ତା ଓ ପେନ୍ସନ ବାବଦକୁ ଆସିଛି। ବିଧାୟକମାନଙ୍କର ଦରମା ଶେଷ ଥର ପାଇଁ ୨୦୧୭ରେ ସଂଶୋଧନ ହୋଇଥିଲା। ଏହା ଭିତରେ ସଂସଦର ସଦସ୍ୟ ଏବଂ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା ସଂଶୋଧିତ ହୋଇ ବହୁ ଗୁଣା ବଢ଼ିଛି। ଦରମା ଓ ପେନସନ୍ ବୃଦ୍ଧି ପାଇଁ ବିଧାୟକ ଓ ପୂର୍ବତନ ବିଧାୟକମାନେ ବହୁବାର ଅନୁରୋଧ କରି ଆସୁଥିଲେ। ଏହି ସଂଶୋଧିତ ବିଲ୍ରେ ନିୟମ ରଖାଯାଇଛି ଯେ ଏଣିକି ବିଧାୟକ ଏବଂ ଅନ୍ୟମାନଙ୍କର ଦରମା ପ୍ରତି ୫ବର୍ଷରେ ଥରେ ବୃଦ୍ଧି ପାଇବ। ଏଥିପାଇଁ ବିଧାନସଭାରେ ଆଲୋଚନା ନହୋଇ ସରକାରୀ ବିଜ୍ଞପ୍ତି ଦ୍ବାରା ବୃଦ୍ଧି କରାଯାଇପାରିବ। ଏହି ବିଲ୍କୁ ବିଧାୟକ ଭାସ୍କର ମଢ଼େଇ, ସନାତନ ବିଜୁଳି, ପୂର୍ଣ୍ଣଚନ୍ଦ୍ର ସେଠୀ, ଗଣେଶ୍ବର ବେହେରା, ଦାଶରଥୀ ଗମାଙ୍ଗୋ, ସନ୍ତୋଷ କୁମାର ଖଟୁଆ, ରାମଚନ୍ଦ୍ର କାଡ଼ାମ, ଭାଦବ ହାଁସଦା, ପ୍ରମିଳା ମଲ୍ଲିକ ପ୍ରମୁଖ ସମର୍ଥନ କରିଥିଲେ। ସର୍ବସମ୍ମତିକ୍ରମେ ବିଲ୍ ପାରିତ ହୋଇଥିଲା।
Follow Us