ଭୁବନେଶ୍ବର: ଏକ ଛୋଟ ଆଦିବାସୀ ଗ୍ରାମରୁ ରାଇସିନା ହିଲ୍ର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ଜୀବନ ଯାତ୍ରା ସାମ୍ପ୍ରତିକ ଭାରତର ସବୁଠାରୁ ପ୍ରେରଣାଦାୟୀ କାହାଣୀ। ଏହା ଗଣତନ୍ତ୍ରରେ ରୂପାନ୍ତରିତ କ୍ଷମତା ଏବଂ ଅଧ୍ୟବସାୟର ସାମର୍ଥ୍ୟକୁ ପ୍ରତିପାଦିତ କରୁଛି। ସରଳତା ଓ ନିଷ୍ଠାପରତା ଦ୍ବାରା ଆଭୂଷିତ ରାଷ୍ଟ୍ରପତି ଦେଶକୁ ଦେଖାଇ ଦେଇଛନ୍ତି ଯେ ପ୍ରକୃତ ନେତୃତ୍ବ ସେବା ଓ ସ୍ବଚ୍ଛତାରୁ ସୃଷ୍ଟି ହୁଏ। ଏହା ଯୁବ, ମହିଳା ଓ ଆଦିବାସୀ ସମ୍ପ୍ରଦାୟକୁ ଅନୁପ୍ରାଣିତ କରିଚାଲିଛି। ବିଧାନସଭା ଗୃହରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ଐତିହାସିକ ବୋଲି ସୂଚାଇ ଆଜି ଏମିତି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ରାଷ୍ଟ୍ରପତି ଆମ ବିଧାନସଭାରୁ ତାଙ୍କର ସକ୍ରିୟ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। କଠୋର ଅଧ୍ୟବସାୟ ଓ ତ୍ୟାଗ ଫଳରେ ଦେଶର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଛନ୍ତି। ନା ସେ ନିଜ ଜନ୍ମଭୂମିକୁ ଭୁଲିଛନ୍ତି, ନା କର୍ମଭୂମିକୁ। ମୟୂରଭଞ୍ଜର ଆଦିବାସୀ ପଲ୍ଲୀ ଉପରବେଡ଼ା ଗ୍ରାମର ସାଧାରଣ ସାନ୍ତାଳୀ ପରିବାରରେ ଜନ୍ମିତ ଶ୍ରୀମତୀ ମୁର୍ମୁ କେବେ ବି ଜୀବନରେ ହାର ମାନି ନାହାନ୍ତି। ସଂଘର୍ଷ କରି ରାଜନୀତିରେ ସଫଳ ହେବା ଏବଂ ଦେଶର ସର୍ବୋଚ୍ଚ ଆସନରେ ପହଞ୍ଚିବା ସଂଯୋଗ ନୁହେଁ। ବରଂ ଏହା କଠୋର ତପସ୍ୟା ଏବଂ ଈଶ୍ୱରଙ୍କ ଆଶୀର୍ବାଦର ଫଳ।
ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଏହି ପବିତ୍ର ଗୃହରେ ଦିନେ ନିଜର କାର୍ଯ୍ୟଦକ୍ଷତା ପାଇଁ ଆପଣ ପ୍ରଥମ ମହିଳା ଶ୍ରେଷ୍ଠ ବିଧାୟିକା ଭାବରେ ସମ୍ମାନିତ ହୋଇଥିଲେ। ସମଗ୍ର ନାରୀ ଜାତି ପାଇଁ ଏହା ଏକ ଦୃଷ୍ଟାନ୍ତମୂଳକ ଉଦାହରଣ। ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ରାଷ୍ଟ୍ରପତି ଭାବେ ଆପଣ ଯେଉଁ ଭୂମିକା ନିଭାଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଅନନ୍ୟ ଉଦାହରଣ। ସାର୍ବଜନୀନ ଏବଂ ରାଜନୈତିକ ଜୀବନରେ ଆପଣଙ୍କ ପଦାଙ୍କ ସମସ୍ତଙ୍କ ପାଇଁ ଅନୁକରଣୀୟ।’
ଜୀବନୀ ସବୁଠାରୁ ପ୍ରେରଣାଦାୟୀ କାହାଣୀ: ରାଜ୍ୟପାଳ
ସମଗ୍ର ନାରୀ ଜାତି ପାଇଁ ଦୃଷ୍ଟାନ୍ତମୂଳକ ଉଦାହରଣ: ମୁଖ୍ୟମନ୍ତ୍ରୀ
ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି: ବିରୋଧୀ ଦଳ ନେତା
ଜନଜାତି ସମ୍ପ୍ରଦାୟର ଶ୍ରେଷ୍ଠ ଓ ସୁଯୋଗ୍ୟା ସନ୍ତାନ: ବାଚସ୍ପତି
Imran Khan Death Mystery: ଇମ୍ରାନଙ୍କ ମୃତ୍ୟୁ ଗୁଜବକୁ ନେଇ ପାକିସ୍ତାନ ସଂସଦରେ ହଙ୍ଗାମା
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଟ୍ଟନାୟକ କହିଥିଲେ, ଗର୍ବର କଥା ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ରାଜନୈତିକ କ୍ୟାରିୟର ପଚିଶ ବର୍ଷ ତଳେ ଏହି ବିଧାନସଭାରୁ ଆରମ୍ଭ କରିଥିଲେ। ଆଜି ସେ ରାଷ୍ଟ୍ରପତି ହୋଇ ମାଟିର ଗୌରବ ବୃଦ୍ଧି କରିଛନ୍ତି। ବିବିଧତା ମଧ୍ୟରେ ଏକତା ହେଉଛି ଆମ ଦେଶର ସୌନ୍ଦର୍ଯ୍ୟ। ଭାରତୀୟ ରାଜନୀତିକୁ ସୁଦୃଢ଼ କରିବାରେ ବିଭିନ୍ନ ଭାଷା, ଜୀବନଶୈଳୀ, ଓ ଚିନ୍ତାଧାରାର ଭୂମିକା ରହିଛି। ଭାଷା ଭିତ୍ତିରେ ଭାରତରେ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି କରିବା ନିମନ୍ତେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନକୁ ମନେ ପକାଇବା ଏହି ଅବସରରେ ଉପଯୁକ୍ତ। ସେ ସାମ୍ବିଧାନିକ ପଦ୍ଧତି ଗ୍ରହଣ କରି ଅନ୍ୟ ଜାତୀୟ ନେତାମାନଙ୍କ ସହିତ ଏହି ଐତିହାସିକ ଲକ୍ଷ୍ୟ ହାସଲ କରିପାରିଥିଲେ। ଓଡ଼ିଶାକୁ ଗୌରବର ନୂତନ ଶିଖର ଆରୋହଣ କରିବା ପାଇଁ ଆମେ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ସ୍ବାଗତ ଭାଷଣ ଦେଇ ବାଚସ୍ପତି ସୁରମା ପାଢ଼ୀ କହିଲେ, ରାଷ୍ଟ୍ରପତି ଓଡ଼ିଶା ଜନଜାତି ସମ୍ପ୍ରଦାୟର ଶ୍ରେଷ୍ଠ ଓ ସୁଯୋଗ୍ୟା ସନ୍ତାନ। ଓଡ଼ିଶାର ବିଧାନସଭା ଇତିହାସରେ ରାଷ୍ଟ୍ରପତିଙ୍କର ଏହି ଐତିହାସିକ ସମ୍ବୋଧନ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସଂଯୋଗ କରିବ। ଶ୍ରୀମତୀ ମୁର୍ମୁ ଓଡ଼ିଆ ଜାତିକୁ ନୂଆ ପରିଚୟ ଦେଇଛନ୍ତି। ଏହି ଅବସରରେ ବିଧାନସଭାର କିଛି ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ବାଚସ୍ପତି ଗୃହରେ ତଥ୍ୟ ରଖିଥିଲେ।
Follow Us