Mkg Badajatra at Kanya majhi Bandh Photograph: (sambad.in)
ମାଲକାନଗିରି: ମାଲକାନଗିରିରେ ଶନିବାରଠାରୁ ଆରମ୍ଭ ହେଉଛି ଗଣପର୍ବ ବଡଯାତ୍ରା। ଚାରି ରାଜ୍ୟର ହଜାର ହଜାର ଭକ୍ତ ଏବେ ମାଲକାନଗିରିରେ ପହଞ୍ଚିଛନ୍ତି। ବଡଯାତ୍ରା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ପୁଲିସ ପ୍ରଶାସନ ତରଫରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୬ ପ୍ଲାଟୁନ ପୁଲିସକୁ ମୁତୟନ କରାଯାଇଛି। ଆଜି ଚାରି ଠାକୁର କାମରାଜୁ,ପୋତରାଜୁ,ବାଲାରାଜୁ ଓ ମା’ମୁତ୍ୟାଲ୍ମା ମାଲକାନଗିରିସ୍ଥିତ ଏସପି ଅଫିସ ନିକଟରେ ରହିଥିବା କନ୍ୟା ମାଝିବନ୍ଧ ନିକଟରେ ପୂଜା ପାଉଛନ୍ତି। ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ସକାଳରୁ ହିଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା।
ମାଲକାନଗିରି ଜିଲ୍ଲାରେ ପାଳନ କରାଯାଉଥିବା ଏହି ବଡଯାତ୍ରା ମୁଖ୍ୟତଃ କୋୟା ସଂପ୍ରଦାୟର ଏକ ମୁଖ୍ୟଯାତ୍ରା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ସମସ୍ତ ପ୍ରକାର ଆଦିବାସୀ ସମେତ ପଡୋଶୀ ଛତିଶଗଡ,ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ମଧ୍ୟ ଆଦିବାସୀ ସଂପ୍ରଦାୟର ଭକ୍ତମାନେ ଏହି ଦିନରେ ଏକାଠୀ ହୋଇଥାନ୍ତି। ବଡଯାତ୍ରା ନାମକରଣ ପଛରେ ମଧ୍ୟ ବହୁ କିମ୍ବଦନ୍ତୀ ରହିଛି।
ମାଲକାନଗିରି ,ବସ୍ତର,ଆନ୍ଧ୍ରପ୍ରଦେଶର ଗୋଦାବରୀ ଅବବାହିକାରେ ବସବାସ କରୁଥିବା କୋୟାମାନେ ଗଣ୍ଡ ସମାଜର ଏକ ଶାଖା ବୋଲି ପ୍ରମାଣିତ ହୋଇଛି।
ଗଣ୍ଡମାନେ ପୂଜା କରୁଥିବା ମୁଖ୍ୟ ଦେବତା ହେଉଛନ୍ତି ‘ବଡାଦେବ’। ଆବାହନ କାଳରୁ ଗଣ୍ଡମାନେ ଏହି ଦେବତାଙ୍କୁ ଆରାଧ୍ୟଦେବତା ରୂପେ ପୂଜା କରିଆସୁଛନ୍ତି। ସେମାନଙ୍କର ବିଶ୍ବାସ ବଡାଦେବ ହେଉଛନ୍ତି ସକଳ ସଂସାରର ସୃଷ୍ଟି କର୍ତ୍ତା। ବଡାଦେବଙ୍କ ଚିହ୍ନ ହେଉଛି ଗୟଳର ଶିଙ୍ଗ ଥିବା ମୁଣ୍ଡ,ଯାହାକୁ କୋୟା ଜାତିର ସଂକେତ ରୂପେ ବ୍ୟବହାର କରାଯାଏ। ଗଣ୍ଡ ଜାତି ସହ କୋୟା ଜାତିର ସିଧାସଳଖ ସଂପର୍କ ରହିଛି ,ତେଣୁ ବଡାଦେବଙ୍କ ନାମ ଅନୁସାରେ ହୁଏତ ବଡଯାତ୍ରାର ନାମକରଣ କରାଯାଇଥାଇପାରେ ବୋଲି କୁହାଯାଇଛି।
ସେହିପରି ବଡଯାତ୍ରାରେ ପୂଜିତ ହେଉଥିବା ଦେବତାମାନଙ୍କର ନାମକରଣ ଦ୍ରାବିଡ ଭାଷା ପରିବାରର ତେଲୁଗୁ ଓ କୋୟା ଭାଷାର ଶଦ୍ଦ ଅଟେ। କାନମରାଜୁ(କୃଷ୍ଣ),ବାଲରାଜୁ( ଅର୍ଜୁନ),ପୋତରାଜୁ(ଭୀମ), ମୁତ୍ୟାଲମ୍ମା(ଦୁର୍ଗା)। ମୁତ୍ୟାଲମ୍ମଙ୍କୁ କେହି କେହି ଦ୍ରୋପଦୀ ବୋଲି ମଧ୍ୟ କହିଥାନ୍ତି। କୋୟା ସମ୍ପ୍ରଦାୟର ଲୋକେ କୃଷ୍ଣ,ଭୀମ ଓ ଅର୍ଜନକୁ କାହିଁକି ପୂଜା କରନ୍ତି,ତାହାର କିଛି ରହସ୍ୟ ରହିଥିବା କୁହଯାଏ। ଅବଶ୍ୟ ମାଲକାନଗିରିର ଦକ୍ଷିଣ ଭାଗର ଗୋଦାବରୀରେ ଲୋକେ ପୋତରାଜୁ ବା ଭୀମଙ୍କୁ ପୂଜା କରୁଥିବା ଅତି ପ୍ରାଚୀନ।
ଅଧିକ ପଢ଼ନ୍ତୁ: ଶଙ୍ଖ ଭବନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବ ବିଜେଡି!
ପୁରାଣ ଅନୁସାରେ ମାଲାକନଗିରି ବା ସେତେବେଳର ଦଣ୍ଡକାରଣ୍ୟ ଅଂଚଳକୁ ମହାଭାରତ ଯୁଗର ପାଣ୍ଡବମାନେ ଅଜ୍ଞାତ ବାସରେ ଆସିଥିଲେ। ତେବେ ଭୀମଙ୍କ ରୂପ ଓ ବଳିଷ୍ଠ ଚେହେରାରେ ମୁଗ୍ଧ ହୋଇ କୋୟା ସଂପ୍ରଦାୟର କନ୍ୟା ହିଡମ୍ବା ଭୀମଙ୍କ ସହ ବିବାହ କରିଥିଲେ।
ବଡଭାଇ ଯୁଧିଷ୍ଠିର ଭୀମଙ୍କୁ ଦିନବେଳା ହିଡମ୍ବା ସହିତ ରହିବାକୁ ନିର୍ଦେଶ ଦେଇଥିଲେ। ଭୀମଙ୍କ ଔରସରୁ ଘୋଟତ୍କଚ ଜନ୍ମ ହୋଇଥିଲେ। ସେ ବହୁତ ବଳିୟାନ ଥିଲେ। ତେବେ ଭୀମ ପ୍ରଥମେ ଏହି ଅଂଚଳର ଲୋକଙ୍କୁ ଚାଷ କାମ ଶିକ୍ଷା ଦେଇଥିଲେ। ତେଣୁ ଗାଁ ଗାଁରେ କୋୟା ସଂପ୍ରଦାୟର ଲୋକେ ଚାଷ କାମ ଆରମ୍ଭ କରିବା ପୂର୍ବରୁ ଭୀମଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରନ୍ତି। ତେବେ କୃଷ୍ଣ,ଅର୍ଜୁନ ଏବଂ ଭୀମଙ୍କୁ ଏହି ଯାତ୍ରାରେ କାହିଁକି ପୂଜା କରାଯାଏ ତାହାର ଅଧିକା ଗବେଷଣା ଦରକାର ପଡୁଥିବା ବେଳେ କିନ୍ତୁ ଲୋକଙ୍କ ବିଶ୍ବାସ ଓ ଭକ୍ତି ଯୋଗୁଁ ଏହି ଯାତ୍ରାର ମହତ୍ବ ବଢିୟାଇଛି।
ଲୋକେ ନିଜର ମାନସିକ ପୂରଣ ହେଲେ ଏଠାରେ ବିଭିନ୍ନ ପଶୁପକ୍ଷୀର ବଳି ଦେଇଥାନ୍ତି। ମା’ମୁତ୍ୟାଲ୍ପାଙ୍କ ନିକଟରେ ପାଦ ପାଦକେ ବଳି ପଡିଥାଏ। ମାଲକାନଗିରି ରକ୍ତରଂଜିତ ହୋଇଯାଇଥାଏ। ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ। ୧୧ ତାରିଖରେ ଭୋଗ ପରେ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ତେବେ ଯାତ୍ରାକୁ ଆଖି ଆଗରେ ରଖି ମୀନା ବଜାର ସହ ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ଅଂଚଳରୁ ଆସି ପସରା ମେଲାଇ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ସଫଳତା ସମ୍ଭାଳି ପାରିଲେନି ସମୟ-ରଣବୀର: ମିକା ସିଂହ
 
  
 Follow Us