ଭୁବନେଶ୍ବର: ଆଦିବାସୀଙ୍କ ପ୍ରତି ସରକାରଙ୍କର ଦରଦ ନାହିଁ। ସେମାନଙ୍କୁ ଅବହେଳା କରାଯାଉଛି। ‌ଜଙ୍ଗଲ ଜମି ପଟ୍ଟା ମିଳୁନି। ସ୍ବତନ୍ତ୍ର ଉନ୍ନୟନ ପରିଷଦ କାମ କରୁନି। ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ। ଏପରି ଅବହେଳା ଗ୍ରହଣୀୟ ନୁହେଁ ବୋଲି ବିରୋଧୀ ଦଳ ବିଧାୟକମାନେ କହିଛନ୍ତି। ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ବିଧାୟକମାନେ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଲେ, ରାଜ୍ୟରେ ଜନସଂଖ୍ୟାରେ ଏସ୍‌ସି/ଏସ୍‌ଟି ହେଉଛନ୍ତି ୪୦ ଭାଗ। କିନ୍ତୁ ସେମାନଙ୍କୁ ସଂଖ୍ୟା ଅନୁପାତରେ ସଂରକ୍ଷଣ ମିଳୁନି। ଦେଶରେ ଏସ୍‌ସି/ଏସ୍‌ଟି ନିର୍ଯାତନା ହାରଠାରୁ ଓଡ଼ିଶାରେ ନିର୍ଯାତନା ହାର ଅଧିକ। ୧୭ଟି ଜିଲ୍ଲାରେ ଅନ୍ବେଷା ଯୋଜନା ଜାରି ରହିବ ବୋଲି ବିଭାଗୀୟ ମନ୍ତ୍ରୀ ଘୋଷଣା କରୁ ନାହାନ୍ତି। ରମେଶ ଚନ୍ଦ୍ର ବେହେରା କହିଥିଲେ, ଏହି ବର୍ଗ ପାଇଁ ପୂର୍ବରୁ ଥିବା ବହୁ ଯୋଜନାକୁ ସରକାର ବନ୍ଦ କରି ଦେଇଛନ୍ତି। କେତେକ ଯୋଜନା ପାଇଁ ଅନୁଦାନ କମିଛି। ଏହି ବିଭାଗରେ ଏବେ କଟ୍‌ନିଛଟ୍‌ନି ଚାଲିଛି। ଅନ୍ବେଷା ଓ ଆକାଂକ୍ଷା ଯୋଜନା ଏହାର ଉଦାହରଣ। ପ୍ରଦୀପ କୁମାର ଦିଶାରୀ କହିଥିଲେ, ଆଦିବାସୀଙ୍କ ପାଇଁ ହୋଇଥିବା ଯୋଜନା ବନ୍ଦ କରାନଯାଉ। ନଚେତ୍ ଲୋକ କହିବେ ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଯୋଜନା ବନ୍ଦ କରିଦେଲେ। 

Advertisment

Dead Body: ନିଖୋଜ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

କଟ୍‌ନିଛଟ୍‌ନି ନାଁରେ ଚାଷୀଙ୍କୁ ନିର୍ଯାତନା ଦିଆଯାଉଛି
ସରକାର ଆଦିବାସୀଙ୍କ ବିକାଶ କରୁଛନ୍ତି: ଶାସକ ଦଳ

ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ, ବଳକା ଚାଉଳକୁ ଏଫ୍‌ସିଆଇ ଉଠାଣ ଲାଗି କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ କମିଟି ଆଲୋଚନା କରନ୍ତୁ। ମିଲରମାନଙ୍କ ପାଖରେ ବଳକା ଚାଉଳ ରହିଥିବାରୁ ଧାନ ସଂଗ୍ରହରେ ବିଳମ୍ବ ହେଉଛି। ରୋମାଞ୍ଚ ରଞ୍ଜନ ବିଶ୍ବାଳ କହିଥିଲେ, ଧାନ ଏମ୍‌ଏସ୍‌ପି ୨୩୦୦ ଟଙ୍କା ଥିଲା, ବୋନସ୍ ୮୦୦ ଟଙ୍କା ଦେଉଥିଲ। ହେଲେ ଏବେ ଏମ୍‌ଏସ୍‌ପି ୬୯ଟଙ୍କା ବଢ଼ିଲା ବୋଲି କ’ଣ ବୋନସ୍‌ ୮୦୦ ଟଙ୍କାରୁ ୬୯ ଟଙ୍କା କମାଇଦେବ? ଏବେ ବି କଟ୍‌ନିଛଟ୍‌ନି ନାଁରେ ଚାଷୀଙ୍କୁ ନିର୍ଯାତନା ଦିଆଯାଉଛି। ବିଜେଡି ପକ୍ଷରୁ ମାଧବ ଚନ୍ଦ୍ର ଧଡ଼ା ଆଲୋଚନାରେ ଭାଗ ନେଇ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ।
କଂଗ୍ରେସ ବିଧାୟକ ସିଏସ୍‌ ରାଜନ ଏକ୍କା କହିଲେ, ଏବର ସରକାର ବିରୋଧୀ ଦଳରେ ଥିବା ବେଳେ ପେସା ଆଇନ ଲାଗୁ ହେଉ ବୋଲି କହିଥିଲେ। କିନ୍ତୁ ଏବେ ସେଥି ପ୍ରତି ଗୁରୁତ୍ବ ଦେଉ ନାହାନ୍ତି। ଗ୍ରାମସଭା ବିନା ହଜାର ହଜାର ଏକର ଜମିକୁ କମ୍ପାନିଙ୍କୁ ଦିଆଯାଉଛି। ଗଞ୍ଜାମରେ ଦଳିତ ଭାଇଙ୍କୁ ଡ୍ରେନ୍‌ ପାଣି ପିଆଇଲେ, କିନ୍ତୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି। ଦାଶରଥୀ ଗମାଙ୍ଗୋ କହିଥିଲେ, ଗରିବ ଖଟିଖିଆଙ୍କ ପାଇଁ କଂଗ୍ରେସ ସରକାର ଯୋଜନା କରିଛି। ପୂର୍ବରୁ ବିଜେଡି ରଙ୍ଗ ମାରୁଥିବା ବେଳେ ବର୍ତ୍ତମାନର ସରକାର ରଙ୍ଗ ବଦଳାଉଛନ୍ତି।

Mandei: ମଣ୍ଡେଇ-୨୦୨୫ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ

ବିଜେପି ସଭ୍ୟମାନେ ଯୁକ୍ତି ବାଢ଼ିଥିଲେ, ରାଜ୍ୟରେ ବିଜେପି ସରକାର ଆସିବା ପରେ ଚାଷୀ ପଞ୍ଜୀକରଣ ବଢ଼ିଛି, ଚାଷୀ ଅଧିକ ଧାନ ବିକିବାକୁ ସୁଯୋଗ ପାଉଛି। ପ୍ରତି ଚାଷୀ ପରିବାର ଗତ ବର୍ଷ ଅତି କମ୍‌ରେ ୪୦ରୁ ୫୦ ହଜାର ଟଙ୍କା ଅଧିକ ପାଇଛନ୍ତି। ରାଜ୍ୟରେ ଏସ୍‌ଟି, ଏସ୍‌ସି ପିଲାଙ୍କ ପାଇଁ ଅଧିକ ସ୍ବତନ୍ତ୍ର ସ୍କୁଲ ଓ ହଷ୍ଟେଲ ହେଉଥିବାରୁ ପିଲାଙ୍କ ଆଗ୍ରହ ବଢ଼ୁଛି। ଆମ ସରକାର ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କାମ କରୁଛି ବୋଲି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ପ୍ରକାଶ ସେଠୀ, ରଘୁରାମ ମାଛ, ପ୍ରତାପ ଚନ୍ଦ୍ର ନାୟକ, ଦୁର୍ଗା ପ୍ରସନ୍ନ ନାୟକ, ନରସିଂହ ମାଡ଼କାମି, ଉମାଚରଣ ମଲ୍ଲିକ, ନରସିଂହ ଭାତ୍ରା, ରୁପୁ ଭାତ୍ରା ଓ ଓମ୍‌ପ୍ରକାଶ ମିଶ୍ର ପ୍ରମୁଖ କହିଥିଲେ। ବାଚସ୍ପତି ଆଲୋଚନା ହୋଇଥିବା ଉଭୟ ବିଭାଗର ଅତିରିକ୍ତ ଅନୁଦାନକୁ ପାରିତ କରିବା ସହ ୩୬ଟି ବିଭାଗର ଅତିରିକ୍ତ ଅନୁଦାନକୁ ଗିଲୋଟିନ୍‌ରେ ପାରିତ କରିଥିଲେ।