ଅବିନାଶ ଶର୍ମା
କୋଇଡ଼ା: ଖଣି ରାଜଧାନୀ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର କରୁଣ ଚିତ୍ର ଅନ୍ତରକୁ ଆନ୍ଦୋଳିତ କରୁଛି। ମନେ ହେଉଛି ଜୀବନ ଯେମିତି ଏଠି ମୂଲ୍ୟହୀନ। ଖଣି ତଳେ ବସବାସ କରୁଥିବା ଲୋକଙ୍କ ଜୀବନ କେତେ ଯେ ଯନ୍ତ୍ରଣାଦାୟକ ତା’ର ବାସ୍ତବ ଚିତ୍ର ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରିହେବନାହିଁ। ତେବେ ସବୁଥର ସେହି ପ୍ରଶ୍ନ। ଜିଲ୍ଲା ଖଣିଜ ପାଣ୍ଠିକୁ ବର୍ଷକୁ ୧୫ ହଜାର କୋଟିର ରାଜସ୍ୱ ଦେଉଥିବା ଅଞ୍ଚଳର ଚିତ୍ର ବଦଳୁନି କାହିଁକି?
ଜଳଯନ୍ତ୍ରଣାରେ ଘାଣ୍ଟି ହେଉଛି କୁନ୍ଦୁରୁବୁରୁ
ଶୁଖିଲା ନାଳରେ ଜୀବନ ଖୋଜା
କୋଇଡା ବ୍ଲକ୍ ଜାମୁଡିହି ପଞ୍ଚାୟତ କୁନ୍ଦୁରୁବୁରୁ ଗ୍ରାମ। ଗାଁର ତଳସାହି ପ୍ରାଥମିକ ବିଦ୍ୟାଳୟ ନିକଟରେ ରହିଛି ମୁଣ୍ଡାସାହି, ଯେଉଁଠି ୩୫ରୁ ଅଧିକ ପରିବାର ଝାଟିମାଟି ଘରେ ବସବାସ କରନ୍ତି। ଗାଁ’ ନିକଟରେ ବହିଯାଇଥିବା ପଥୁରିଆ ନାଳରେ ଚୁଆ ପାଣି ସଂଗ୍ରହ କରି ଜୀବନ ଅତିବାହିତ କରୁଛନ୍ତି ଗ୍ରାମବାସୀ। ଅଙ୍ଗନବାଡ଼ି କଣ ଜାଣନ୍ତିନି କଅଁଳ ଶିଶୁ। ସେମାନଙ୍କ ଶରୀର କଙ୍କାଳସାର, ଅଧିକାଂଶଙ୍କ ପେଟ ଫୁଲିଯାଇଛି। ପୁଷ୍ଟିହୀନତାଜନିତ ସେମାନଙ୍କ ସ୍ବାସ୍ଥ୍ୟ ଦେଖିଲେ ଆଖିରୁ ଲୁହ ଝରି ଆସିବ। ସଂପୃକ୍ତ ଅଞ୍ଚଳରେ ନେଟ୍ଵର୍କ ନ ଥିବାରୁ ଆମ୍ବୁଲାନ୍ସ କିମ୍ବା ପୁଲିସ କାହାକୁ ଯୋଗାଯୋଗ କରି ପାରନ୍ତି ନାହିଁ। ସେହିପରି ରୋଜଗାର କହିଲେ ଦିନମଜୁରିଆ ନହେଲେ ଦାଦନ ହିଁ ଭରସା। ସ୍ୱାସ୍ଥ୍ୟ ସୁବିଧା କହିଲେ ଦେଶୀ ଚେରମୂଳ ଓ ଝଡ଼ାଫୁଙ୍କା ପୂଜା। ସନ୍ଧ୍ୟାହେଲେ ହାତୀପଲଙ୍କ ଦୌରାତ୍ମ୍ୟ। ଏମିତିରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଏଠାକାର ଆଦିବାସୀ ପରିବାର।
/filters:format(webp)/sambad/media/media_files/2026/03/04/sffhhfxvb-2026-03-04-02-34-32.jpg)
ଗାଁ’ର ପଟ ମୁଣ୍ଡା (୩୦) କହିଲେ, ‘କାହିଁ କେତେଦିନୁ ଆମେ ନିକଟ ନାଳରୁ ହିଁ ପାଣି ଆଣି ବ୍ୟବହାର କରୁଛୁ ,ବର୍ଷା ହେଲେ ନାଲିଆ ପାଣି ଆଉ ଖରା ଆସିଲେ ନାଳ ଶୁଖିଯାଏ। ଗୋଟିଏ ନଳକୂପ ସହିତ ପାଣିଟାଙ୍କି ଅଛି। ହେଲେ କେବେ ପାଣି ଆସେନି। ଅଙ୍ଗନବାଡ଼ି କେନ୍ଦ୍ରରୁ ପିଲାଙ୍କୁ କେବେ ଅଣ୍ଡା, ଛତୁଆ, ଲଡୁ ମିଳୁନି’। ଟୁରି ମୁଣ୍ଡା (୫୮) କହନ୍ତି ‘ଯନ୍ତ୍ରଣାରେ ଆମର ଜୀବନ ସରିଗଲାଣି। କେହି ଆମ ଦୁଃଖ ବୁଝିିଲେ ନାହିଁ’। ସେହିପରି ସରେନ ମୁଣ୍ଡା ( ୩୨)ଙ୍କ କହିବା ଅନୁଆରେ, ‘ଗ୍ରାମରେ କିଛି ରୋଜଗାର ନାହିଁ, କିଛି ମଜୁରି ମିଳିଲେ କରୁ, ନହେଲେ ଦାଦନ ଖଟିବାକୁ ଯାଉ। ଅଳ୍ପ ଚାଷ କଲେ ବି ହାତୀ ଆସି ସବୁ ଛାରଖାର କରିଦେଉଛି। ପାଣି, ଅଙ୍ଗନବାଡ଼ି, ଶିକ୍ଷା, ଘର, ଖାଇବା ଆଦି ସବୁକ୍ଷେତ୍ରରେ ଆମେ ସଂଘର୍ଷ କରୁଛୁ।’ ନୁଆସ ମୁଣ୍ଡା (୩୮) ଅତ୍ୟନ୍ତ ଦୁଃଖରେ କହିଲେ, ‘ଦୁର୍ଘଟଣାରେ ମୋର ହାତ, କାନ୍ଧ ଓ ଗୋଡ଼ ଭାଙ୍ଗିଯାଇଛି। ତିନିଦିନ ପରେ କୋଇଡ଼ା ଡାକ୍ତରଖାନା ଯାଇଥିଲି। ସେଠାରେ ଏକ୍ସରେ କରିବାରୁ ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା। ରାଉରକେଲା ଯିବା ପାଇଁ କହିଲେ, ହେଲେ ହାତରେ ଟଙ୍କାଟିଏ ନାହିଁ; ଯିବି କେମିତି। ସେଥିପାଇଁ ଚେରମୂଳି ଔଷଧକୁ ଭରସା କରିଛି।’
ଏ ସଂପର୍କରେ କୋଇଡ଼ା ବିଡିଓ ରଶ୍ମିରେଖା ପାତ୍ରଙ୍କୁ ପଚରାଯିବାରୁ ସେ କହିଥିଲେ, ‘କୁନ୍ଦୁରୁବୁରୁ ମୁଣ୍ଡାସାହିରେ ଯଦି ପାଣି ସମସ୍ୟା ରହିଛି ସେ ଆରଡବ୍ଲ୍ୟୁଏସ୍ଏସ୍ ଜେଇଙ୍କ ସହିତ ପରିଦର୍ଶନରେ ଯିବେ। ଯାହା କାର୍ଯ୍ୟକ୍ଷମ ନାହିଁ ତାକୁ ସଜଡ଼ାଯିବ ଏବଂ ଦରକାର ପଡ଼ିଲେ ନୂଆ ନଳକୂଅ ଖୋଳାଯିବ। ଅପପୁଷ୍ଟି ସମସ୍ୟା ନେଇ ସିଡିପିଓଙ୍କୁ ପଚାରି ବୁଝିବି ଏବଂ ଶିଶୁଙ୍କୁ ଠିକ୍ ଖାଦ୍ୟ ମିଳୁଛି କି ନାହିଁ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/04/dgjjgdjdgj-2026-03-04-02-34-17.jpg)