ଯାଜପୁର/ବାଲିକୁଦା: ଯାଜପୁର ଜିଲ୍ଲାର ଉଦୟଗିରି ବୌଦ୍ଧବିହାରରେ ଦ୍ୱିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଆଜି ଉଦ୍‌ଘାଟିତ ହୋଇଛି। ଜାନୁଆରି ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି ସମ୍ମିଳନୀରେ ଭାରତ ସମେତ ୧୭ ଦେଶରୁ ପ୍ରାୟ ୧୮୭୭ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀ ଯୋଗ ଦେଇଛନ୍ତି। ଲାଇଟ୍‌ ଅଫ୍‌ ବୁଦ୍ଧ ଧର୍ମ ଫାଉଣ୍ଡେସନ୍‌ ଇଣ୍ଟରନ୍ୟାସନାଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ୱାଙ୍ଗମୋ ଡିକ୍ସେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ସମ୍ମାନିତ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଉପସ୍ଥିତ ଥିଲେ। ପ୍ରଥମେ ଉଦୟଗିରି ଉପାସନାସ୍ଥଳ ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରାରେ ସମସ୍ତେ ସାମିଲ ହୋଇଥି‌ଲେ। ଧର୍ମଗୁରୁ କ୍ୟାବେଜୀ ଗେଟୁଲ ଜିଗମେ ନରବୁ ରିନପୋଚେ, ଗ୍ୟେପା ଦର୍ଜି ରିନପୋଚେ, ଲାମା ସୋନମ୍ ଟସି ରିନପୋଚେ, କର୍ମ ଲୋଡେ ସାଙ୍ଗପୋ, କାନସିନ ଲେକେଡା ପ୍ରମୁଖ ବୁଦ୍ଧ ଧର୍ମର ମହତ୍ତ୍ବ ବିଷୟରେ କହିବା ସହ ମନ୍ତ୍ରପାଠ କରିଥିଲେ।

Advertisment

'Sambad' Corporate Excellence Awards 2026: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ବ୍ରାଣ୍ଡ୍ ହେଉଛି ଏକ ପରିଚୟ


ଆୟୋଜିତ ସଭାରେ ଯାଜପୁର ସାଂସଦ ଶ୍ରୀ ବେହେରା କହିଥିଲେ ଯେ ଭାରତର ଭବିଷ୍ୟତ ଯୁଦ୍ଧରେ ନୁହେଁ, ବରଂ ବୁଦ୍ଧଙ୍କ ମାର୍ଗରେ ରହିଛି। ବୌଦ୍ଧ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଯାଜପୁର। ପ୍ରାଚୀନ ସମୟରେ ଏଠାରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଥିଲା, ଯେଉଁଠି ଦେଶବିଦେଶରୁ ବିଦ୍ୟାର୍ଥୀ ଆସି ଅଧ୍ୟୟନ କରୁଥିଲେ। ଗୁରୁ ପଦ୍ମସମ୍ଭବ ଭାରତ, ତିବ୍ବତ, ଚୀନ୍‌ ସହ ସମଗ୍ର ଦକ୍ଷିଣ ଏସିଆରେ ବୌଦ୍ଧ ଦର୍ଶନର ପ୍ରଚାରପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

International cyber: ଅନ୍ତର୍ଜାତୀୟ ସାଇବର ଠକେଇ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ

ଏହି ବୌଦ୍ଧ ସମ୍ମିଳନୀ ସାରା ବିଶ୍ୱକୁ ମାର୍ଗଦର୍ଶନ କରିବ ବୋଲି ସାଂସଦ କହିଥିଲେ। ବଡ଼ଚଣା ବିଧାୟକ ଶ୍ରୀ ନାୟକ କହିଲେ, ଉଦୟଗିରିଠାରେ ପ୍ରାଚୀନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଥିଲା ଏବଂ ଏଠାରୁ ହିଁ ଗୁରୁ ପଦ୍ମସମ୍ଭବ ବୌଦ୍ଧ ଧର୍ମର ପ୍ରସାର କରିଥିଲେ। ବିଶ୍ବ ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଆମମାନଙ୍କ ପରିଚୟ ବୋଲି ସେ କହିଥିଲେ। ଜିଲ୍ଲାପାଳ ପ୍ରଶାସନ ତରଫରୁ ଆୟୋଜନ ବିଷୟରେ ସୂଚନା ଦେବା ସହ ଏଥିରେ ବିଭିନ୍ନ ସ୍ଥାନରୁ ବୌଦ୍ଧ ସନ୍ନ୍ୟାସୀ, ପର୍ଯ୍ୟଟକ ଯୋଗ ଦେଇ ଉପାସନା, ଧାର୍ମିକ ରୀତିନୀତି ଓ ଆଲୋଚନାଚକ୍ର ନିମନ୍ତେ ବ୍ୟବସ୍ଥା ହୋଇଥିବା କହିଥିଲେ। ଲାଇଟ୍‌ ଅଫ୍ ବୁଦ୍ଧ ଫାଉଣ୍ଡେସନ୍‌, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ଭାରତ, ଭିଏତନାମ, ଥାଇଲାଣ୍ଡ, ମାଲେସିଆ, ଇଣ୍ଡୋନେସିଆ, ବ୍ରିଟେନ, ଆମେରିକା, ଫ୍ରାନ୍‌ସ, ଅଷ୍ଟ୍ରେଲିଆ, ଜାପାନ, ରୁଷିଆ, ମିଆମାର, ନେପାଳ, ଭୁଟାନ, ତିବ୍ବତ, ଶ୍ରୀଲଙ୍କା, ବଙ୍ଗଳାଦେଶରୁ ବୌଦ୍ଧ ଧର୍ମାବଲମ୍ବୀ, ଐତିହାସିକ ଯୋଗଦେଇଛନ୍ତି। ୬ ଦିନଧରି ବୌଦ୍ଧ ଐତିହ୍ୟ ଓ ଦର୍ଶନ ସମ୍ବନ୍ଧରେ ଆଲୋଚନାଚକ୍ରରେ ଭାଗନେବା ସହ ସମସ୍ତେ ରତ୍ନଗିରି-ଲଳିତଗିରି-ଉଦୟଗିରି ହୀରକ ତ୍ରିଭୁଜ ପରିଦର୍ଶନ କରିବେ। ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଦର୍ପଣ ତହସିଲଦାର, ବିଡିଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସମ୍ମିଳନୀର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ। ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ଅଧ୍ୟକ୍ଷା ଡ. ଅରୁନ୍ଧତୀ ଦେବୀ, ଆବାହକ ମହେଶ୍ୱର ବଳ ମଞ୍ଚାସୀନ ଥିଲେ।