ତାଳଚେର: ସନ୍ଧ୍ୟାରେ ଶୁଭିବନି ମନ୍ଦିରର ଘଣ୍ଟି କିମ୍ବା କୀର୍ତ୍ତନର ସ୍ବର। ଗାଁ ଦାଣ୍ଡରେ ଦେଖିବାକୁ ମିଳିବନି ପିଲାଙ୍କ ଧୂଳିଖେଳ। ସନ୍ଧ୍ୟାରେ ଧୂଳି ଉଡ଼େଇ ଫେରିବେନି ଗୋରୁ। ଲୀନ ହୋଇଯିବ ଗାଁ ମଶାଣି, ସମାଧି। ଖଣି ପାଇଁ ବଳି ପଡ଼ିବ ଯେତେସବୁ ଭାବପ୍ରବଣତା। ଓଡ଼ିଶା ମାନଚିତ୍ରରୁ ହଜିଯିବ ‘ହେଂସମୂଳ’ ଗାଁ। ଅନୁଗୁଳଜିଲ୍ଲା ତାଳଚେର ବ୍ଲକ୍‌ ହେଂସମୂଳ ଗାଁକୁ ଖଣି ପାଇଁ ଉଚ୍ଛେଦ କରାଯାଇଛି। ଗାଁର ୪୨ଟି ପରିବାରର ଘର ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।  ସୂଚନା ମୁତାବକ, ଭୁବ‌ନେଶ୍ବରୀ କୋଇଲା ଖଣି ସମ୍ପ୍ରସାରଣ ପାଇଁ ହେଂସମୂଳକୁ ଉଚ୍ଛେଦ କରାଯାଇଛି। ଆଜି ହଠାତ୍‌ ପୁଲିସ ଓ ଖଣି କର୍ତ୍ତୃପକ୍ଷ ଗାଡ଼ି ନେଇ ଗାଁ ଭିତରେ ପଶିବା ସହିତ ସମସ୍ତଙ୍କ ଘର ସମ୍ମୁଖରେ ରଖିଦେଇଥିଲେ ବୁଲଡୋଜର୍‌। ବିନା କୌଣସି ସୂଚନାରେ ସବୁ ଘର ଭାଙ୍ଗିବା ଆରମ୍ଭ କରିଥିଲେ। କିଛି ପରିବାର ଏହାର ଦୃଢ଼ ବିରୋଧ କରିଥିଲେ ମଧ୍ୟ ଭୟଭୀତ ହୋଇ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

Advertisment

Tensions: ଗ୍ରିନ୍‌ଲାଣ୍ଡକୁ ନେଇ ଉତ୍ତେଜନା ବଢ଼ିଲା

Chakhi Khuntia: ଚାଖି ଖୁଣ୍ଟିଆଙ୍କ ବୀରତ୍ୱ ଓ ତ୍ୟାଗ ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ

 ଏପରିକି ଲୋକମାନେ ନିଜ ଆସବାବପତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ସୁଯୋଗ ପାଇ ନଥିଲେ। ପରେ ଭଙ୍ଗା ଇଟା, ସିମେଣ୍ଟ ଖଣ୍ଡ ମଧ୍ୟରୁ ଜରୁରି ଜିନିଷପତ୍ର ସାଉଁଟୁଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ବରୀ ଖଣି କର୍ତ୍ତୃପକ୍ଷଙ୍କ ସହିତ ପୁଲିସ ଓ ପ୍ରଶାସନ ମିଳିତ ଭାବେ ଏହି ଉଚ୍ଛେଦ କାର୍ଯ୍ୟରେ ସାମିଲ ହୋଇଥି‌ଲେ। ଅପରପକ୍ଷରେ ଗୋଟିଏ ପରିବାର କ୍ଷତିପୂରଣ ପାଇ ନଥିଲେ ମଧ୍ୟ ତାଙ୍କ ଘରକୁ ଜୋର୍‌ଜବରଦସ୍ତ ପୁଲିସ ଲଗାଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଗାଁର ଲଳିତା ବେହେରା, ବିମ୍ବାଧର ସାହୁ, ପଟେଲ ସାହୁ, ମାଳତୀ ସାହୁ, ମଞ୍ଜୁ ସାହୁ ଓ ରଜନୀକାନ୍ତ ସାହୁ ପ୍ରମୁଖ ଘର ନ ଭାଙ୍ଗିବାକୁ ନେହୁରା ହୋଇଥିଲେ ମଧ୍ୟ ସେମାନଙ୍କ କଥାକୁ କେହି କର୍ଣ୍ଣପାତ ନ କରି ଘରଗୁଡ଼ିକୁ ଭାଙ୍ଗି ଚାଲିଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ଉଚ୍ଛେଦରେ ୩ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୧୩ ଜଣ ଇନ୍‌ସ୍ପେକ୍ଟରଙ୍କ ସହିତ ୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଏବଂ ୪ ଜଣ ମାଜିଷ୍ଟ୍ରେଟ୍‌ ଉପସ୍ଥିତି ଥିଲେ।