ସୁନ୍ଦରଗଡ଼: କୃଷି କ୍ଷେତ୍ରରେ ନୂଆ କୌଶଳ ପ୍ରୟୋଗ କରି ସୁନ୍ଦରଗଡ଼ର ଯୁବ ଚାଷୀ ହିରୋଦ ପଟେଲ ବେଶ୍‌ ଚର୍ଚ୍ଚାରେ ଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୧ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ସେ ସ୍ଥାନ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କ କୃଷି ଶୈଳୀକୁ ପ୍ରେରଣାଦାୟକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ହିରୋଦଙ୍କ ପିତା ଶିବଶଙ୍କର ପଟେଲ ପାରମ୍ପରିକ ପଦ୍ଧତିରେ ଧାନ ଚାଷ କରୁଥିଲେ। ୮ ବର୍ଷ ତଳେ ହିରୋଦ କୃଷି କ୍ଷେତ୍ରକୁ ବାପାଙ୍କ ପୁରୁଣା ପଦ୍ଧତି ସହ ପଶିଥିଲେ। 

Advertisment

Paddy: ମଣ୍ଡି ଉପରେ ଭରସା ନାହିଁ! ଆନ୍ଧ୍ର ବେପାରୀଙ୍କୁ ଧାନ ଟେକିଦେଲେଣି ଚାଷୀ

ପରେ ସେ କୃଷିରେ ନୂତନ ଚିନ୍ତାଧାରା, ଅଭିବନ କୌଶଳ ପ୍ରୟୋଗ କରିଥିଲେ। ଯାହା ତାଙ୍କୁ ଅଧିକ ଉନ୍ନତି ଓ ଲାଭ ଆଣି ଦେଇଛି। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍‌ ରତନପୁରର ହିରୋଦ ପାରମ୍ପରିକ ଧାନଚାଷ ସହିତ କଦଳୀ ଓ ମାଛ ଚାଷ ଆରମ୍ଭ କରିଥିଲେ। ଅତି ସୁନ୍ଦର ଭାବେ ତଳେ ପୋଖରୀରେ ମାଛ ଚାଷ ଓ ଉପରେ ତାର ଜାଲି ବିଛାଇ ପରିବା ଫଳାଇଥିଲେ। ପୋଖରୀ ଚାରିପାଖରେ କଦଳୀ, ଆମ୍ବ ଓ ନଡ଼ିଆ ଫଳାଇଛନ୍ତି। ଏହି ପଦ୍ଧତିରେ ଜମିର ସଦୁପଯୋଗ ସହ ଜଳ ସଂରକ୍ଷଣ ଓ ଆୟ ବୃଦ୍ଧି କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କୃଷକମାନେ ତାଙ୍କଠାରୁ କୃଷି କୌଶଳ ବିଷୟରେ ପ୍ରଶିକ୍ଷଣ ଓ ପ୍ରେରଣା ନେଉଛନ୍ତି। କୃଷିରେ ଈର୍ଷଣୀୟ ସଫଳତା ହାସଲ କରିଥିବା ହି‌ରୋଦଙ୍କ କୃଷି ପଦ୍ଧତିରୁ ଶିଖିବାକୁ ପ୍ରଧାନମନ୍ତ୍ରୀ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

Neglect: ପକ୍କା ରାସ୍ତା ଓ ବିଦ୍ୟୁତ ନଥିବା ଗ୍ରାମ ତେନ୍ତୁଳିପଡ଼ା