odisha high court Photograph: (sambad.in)
କଟକ: ରାଜ୍ୟରେ ସରକାରୀ କର୍ମଚାରୀ ବାରମ୍ବାର ଆନ୍ଦୋଳନ କରିବା ଓ ଦାବି ପୂରଣ ପାଇଁ କାର୍ଯ୍ୟ କ୍ଷେତ୍ରରୁ ଅନୁପସ୍ଥିତ ରହୁଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଦର୍ଶାଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ରାଜ୍ୟରେ ବାରମ୍ବାର ସରକାରୀ ଅଧିକାରୀ ଓ କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ସେମାନଙ୍କ ଚାକିରି ସର୍ତ୍ତାବଳୀ ଅନୁସାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷେଧ ହୋଇଥିଲେ ମଧ୍ୟ ଏପରି ସ୍ଥିତି ବାରମ୍ବାର ଦେଖିବାକୁ ମିଳୁଛି। କିଛି ଦିନ ହେବ ଶିକ୍ଷକଙ୍କ ଆନ୍ଦୋଳନ ଚର୍ଚ୍ଚାର ବିଷୟ ହୋଇଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଶିକ୍ଷକଙ୍କ ଆନ୍ଦୋଳନ ଚାଲିିବା ସମୟରେ ସ୍କୁଲରେ ପାଠ ପଢା କେମିତି ହେଉଛି ବୋଲି ଶୁଣାଣି ବେଳେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏଭଳି ସ୍ଥିତି ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ।
ଆହୁରି ପଢନ୍ତୁ- Varanasi Stadium, Trishul Lights: ତ୍ରିଶୂଳରୁ ଆଲୋକ ପଡ଼ିବ, ପଡ଼ିଆରେ ମ୍ୟାଚ୍ ଖେଳାଯିବ… ଷ୍ଟାଡିୟମରେ କ୍ରୀଡ଼ା ଓ ଭକ୍ତିର ଝଲକ
ହାଇକୋର୍ଟ ଜନସ୍ବାର୍ଥ ମାମଲାର ପ୍ରତିପକ୍ଷ ମୁଖ୍ୟ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ଓଏଏସ୍ ଆସୋସିଏସନ, ଓଡ଼ିଶା ରାଜସ୍ବ ଅମଲା ସଂଘକୁ ନୋଟିସ୍ ଜାରି କରି ୨ ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ପାଇଁ ଧାର୍ଯ୍ୟ କରାଯାଇଛି। ଜନସ୍ବାର୍ଥ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜୁନ ୩୦ରେ ଭୁବନେଶ୍ବର ପୌର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ କାର୍ଯ୍ୟାଳୟ ପରିସରରେ କେତେକ ବ୍ୟକ୍ତି ଆକ୍ରମଣ କରିଥିଲେ। ଶାସକ ଦଳର ସମର୍ଥକ ଘଟଣାରେ ସଂପୃକ୍ତ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ବିଏମସି କର୍ମଚାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଦିନ ସାରା ଧାରଣା ଦେଇଥିଲେ। ଶ୍ରୀ ସାହୁଙ୍କ ଏତଲା ଆଧାରରେ ଖାରବେଳନଗର ଥାନାରେ ରୁଜୁ ମାମଲାରେ ପୁଲିସ ପ୍ରଥମେ ତିନି ଜଣଙ୍କୁ ଗିରଫ କରିଥିଲା।
ଆହୁରି ପଢନ୍ତୁ- Next PM Of Bangladesh: ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ: ଦୌଡ଼ରେ ୪ ନାମ
କିନ୍ତୁ ଏହି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ଦାବି କରି ଓଏଏସ ଆସୋସିଏସନ ପ୍ରତିନିଧି ମୁଖ୍ୟ ସଚିବଙ୍କୁ ସାକ୍ଷାତ କରିଥିଲେ। ଏଥି ସହିତ ବିଭିନ୍ନ ଜିଲ୍ଲାରେ ଓଏଏସ ଅଧିକାରୀମାନେ ପ୍ରତିବାଦରେ ସାମୂହିକ ଛୁଟିରେ ଚାଲି ଯାଇଥିଲେ। ଫଳରେ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ଓ ସାଧାରଣ ଲୋକେ ନାନା ସମସ୍ୟାରେ ପଡ଼ିଥିଲେ। ଶେଷରେ ଶ୍ରୀ ପ୍ରଧାନଙ୍କୁ ପୁଲିସ ଗିରଫ କରିଥିଲା। ତଦନ୍ତ ଓ ଗିରଫଦାରୀ ତଦନ୍ତକାରୀ ଏଜେନ୍ସିର କାର୍ଯ୍ୟ ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଗିରଫ ପାଇଁ ଚାପ ପ୍ରୟୋଗ କରିବା ଏକ ପ୍ରକାର ବ୍ଲାକମେଲ୍ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏହାପରେ ଅଗଷ୍ଟ ମାସରେ ଓଡ଼ିଶା ରାଜସ୍ବ ଅମଲା ସଂଘ ବିଭିନ୍ନ ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇବା ସହିତ ସଦସ୍ୟମାନେ ସାମୁହିକ ଛୁଟି ନେଇଥିଲେ। ଏହା ଦ୍ବାରା ମଧ୍ୟ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ ଅନୁସାରେ ସରକାରୀ କର୍ମଚାରୀମାନେ ଧର୍ମଘଟ ବା ଆନ୍ଦୋଳନ କରି ପାରିବେ ନାହିଁ। ଏହି ନିୟମକୁ କଡାକଡି ଭାବେ ପାଳନ କରାଯାଉ ନାହିଁ। ଆନ୍ଦୋଳନ କରି କାର୍ଯ୍ୟ କ୍ଷେତ୍ରରୁ ଅନୁପସ୍ଥିତ ରହୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦରମା କାଟ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଚାକିରିରୁ ବହିଷ୍କାର ଭଳି କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଓ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।
Follow Us