Accident in Jajpur: ରାଜପଥ ସୀମାନ୍ତ ଦୁର୍ଘଟଣା ପ୍ରବଣ, ମାସରେ ୪ ମୃତ : ବ୍ଲାକ୍ ସ୍ପଟ୍‌ ପାଇଁ ପୁଲିସ ପ୍ରସ୍ତାବ

ଯାଜପୁର-ଢେଙ୍କାନାଳ ଜିଲ୍ଲା ସୀମାନ୍ତ ସୁକିନ୍ଦା ଥାନା ମୁଣ୍ଡାକୁଳ ଠାରୁ ବୋତଲଣ୍ଡା ଛକ ପର୍ଯ୍ୟନ୍ତ ପାଖାପାଖି ୧ କିଲୋମିଟର ଦୂରତାର ସଡ଼କ ଦୁର୍ଘଟଣା ପ୍ରବଣ ଜୋନ ଭାବେ ଚିହ୍ନଟ ହୋଇଛି। ଗତ ଅକ୍ଟୋବର ୩ ତାରିଖରୁ ଏଯାବତ୍ ଏହି ସଡ଼କରେ ୪ ମୁଣ୍ଡ ଗଡ଼ିଲାଣି।

Jajpur Accident

Accident in Jajpur Photograph: (Sambad.in)

କାଳିଆପାଣି: ଜାତୀୟ ରାଜପଥ-୫୩ ର ଯାଜପୁର-ଢେଙ୍କାନାଳ ଜିଲ୍ଲା ସୀମାନ୍ତ ସୁକିନ୍ଦା ଥାନା ମୁଣ୍ଡାକୁଳ ଠାରୁ ବୋତଲଣ୍ଡା ଛକ ପର୍ଯ୍ୟନ୍ତ ପାଖାପାଖି ୧ କିଲୋମିଟର ଦୂରତାର ସଡ଼କ ଦୁର୍ଘଟଣା ପ୍ରବଣ ଜୋନ ଭାବେ ଚିହ୍ନଟ ହୋଇଛି। ଗତ ଅକ୍ଟୋବର ୩ ତାରିଖରୁ ଏଯାବତ୍ ଏହି ସଡ଼କରେ ୪ ମୁଣ୍ଡ ଗଡ଼ିଲାଣି। ସବୁ ମୃତକଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ହୋଇଛି। ମେଡିକାଲ ପର୍ଯ୍ୟନ୍ତ ନେବାକୁ ରାହା ମିଳୁନଥିବା ପରିପ୍ରେକ୍ଷୀରେ ଦୁର୍ଘଟଣା ଗୁଡ଼ିକର ଭୟାବହତାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଆସିଛି।

ଗତକାଲି ସୁକିନ୍ଦାରୁ ଭୁବନ ଆଡ଼କୁ ଯାଉଥିବା ଏକ ୧୪ ଚକିଆ ହାଇୱା ବୋତଲଣ୍ଡା ଗାଁର ସାଇକଲ ଆରୋହୀ ସୁକୁରା ଦେହୁରୀଙ୍କୁ ଚଢ଼ାଇଦେଇ ୨ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ମୃତଦେହଟି ଗାଡ଼ିର ଡାହାଣ ପାର୍ଶ୍ବ ଆଗ ଚକରେ ଲାଖି ରହିଥିବାରୁ ଅଭିଯୁକ୍ତ ଡ୍ରାଇଭର ରାଜପଥରେ ଗାଡ଼ି ରଖି ଫେରାର୍ ହୋଇଯାଇଥିଲା। ଲୋକେ ଗାଡ଼ିକୁ ଠେଲିଠେଲି ପଛକୁ ହଟାଇ ମୃତଦେହ ଉଦ୍ଧାର କରିଥିଲେ। ସଡ଼କ ସାରା ରକ୍ତ ଛିଟା ଓ ଦେହାବଶେଷ ପଡ଼ି ରହିଥିଲା। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଉତ୍ତ୍ୟକ୍ତ ଲୋକଙ୍କ ପକ୍ଷରୁ ରାଜପଥରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ଗତ ୧୦ ତାରିଖରେ ସେହି ସ୍ଥାନରେ ଏକ ଅଜଣା ଗାଡ଼ି ଧକ୍କାରେ ସାଇକଲ ଆରୋହୀ ବୁଲା ମୁଢ଼ି ବେପାରୀ ଭୁବନ ଥାନା ନୟାନୀଳକଣ୍ଠପୁର ଗାଁର ନୃସିଂହ ଚରଣ କାଣ୍ଡି(୬୫)ଙ୍କର ମୃତ୍ୟୁ ହୋଇଥିଲା। ଗତମାସ ୧୫ ତାରିଖରେ ମୁଣ୍ଡାକୁଳ ଠାରେ ସୁକିନ୍ଦା ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ(ବିଏସ୍‌ଏସ୍‌ଓ) ବୁଲୁ ବେହେରା(୨୫)ଙ୍କର ଏକ ଅଜଣା ଗାଡ଼ି ଧକ୍କାରେ ଦେହାନ୍ତ ହୋଇଥିଲା। ନିଜ ବାଇକ୍‌ରେ ପୈତୃକ ଘର ଭୁବନ ଥାନା ଚଣ୍ଡିପାଳ ବାଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଅକ୍ଟୋବର ୩ ତାରିଖରେ ଏହି ସଡ଼କରେ ପଥଚାରୀ ସୁକିନ୍ଦା ଥାନା ପୁବଳ ଗାଁର ବୁଦୁରାମ ମୁଣ୍ଡା(୪୫)ଙ୍କର ପ୍ରାଣହାନୀ ହୋଇଥିଲା। ବୁଦୁରାମଙ୍କ ମୃତ୍ୟୁରେ ୪ ପୁଅ ଓ ଝିଅଙ୍କୁ ନେଇ ପତ୍ନୀ ଗୁରୁବାରୀ ମୁଣ୍ଡା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଦାଦନ ଶ୍ରମିକ ବଡ଼ପୁଅ ରାଜେଶ(୨୦), ସ୍କୁଲଛାତ୍ର ଆଶିଷ(୧୩), ଶିବ(୯) ଓ ଅର୍ଜୁନ(୬) ଓ ନାବାଳିକା ଝିଅ ପୁଷ୍ପାଙ୍କ ଭବିଷ୍ୟତକୁ ନେଇ ସେ ମ୍ରିୟମାଣ। ଦୁର୍ଘଟଣାରେ ୩ ଗୋଟି ଗରିବ ପରିବାର ଉଜୁଡ଼ି ଯାଇଛି। ଓଏଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସ୍ବର୍ଗତ ବିଏସ୍‌ଏସ୍‌ଓ ବୁଲୁ ବେହେରାଙ୍କ ଅପ୍ରତ୍ୟାଶିତ ମୃତ୍ୟୁରେ ବାପା କ୍ଷୁଦ୍ରଚାଷୀ କୁଳମଣି ବେହେରାଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ଘର ପଛପଟେ ପୁଲିସ କନେଷ୍ଟବଳଙ୍କ ମୃତଦେହ ଲୁଚାଇଥିଲା ଅଭିଯୁକ୍ତ

ଏଠାରେ ସିରିଜ୍ ଦୁର୍ଘଟଣାଜନିତ ମୃତ୍ୟୁ ସଂପର୍କରେ ଥାନା ଅଧିକାରୀ ବିଲ୍ବ ମଙ୍ଗଳ ସେଠୀଙ୍କୁ ପଚାରିବାରେ ଜାତୀୟ ରାଜପଥ ହୋଇଥିବାରୁ ଯାନବାହନ ଏଠା‌ରେ ଅତିକମ୍‌ରେ ୪୦ ରୁ ୫୦ ବେଗରେ ଯାତାୟତ କରିବା ସ୍ବାଭାବିକ ବୋଲି କହନ୍ତି। ତେବେ ମାସକର ଦୁର୍ଘଟଣାର ସ୍ଥିତି, ଏସବୁର ଭୟାବହତା ଓ ତଦନ୍ତ ଆଧାରରେ ଏହି ଇଲାକାକୁ ବ୍ଲାକ୍‌ସ୍ପଟ୍‌ ଭାବେ ସୂଚିତ କରାଯିବା ପାଇଁ ଖୁବଶୀଘ୍ର ସେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି।
 

ଗାର୍ଲଫ୍ରେଣ୍ଡକୁ ଆଇଫୋନ ଗିଫ୍ଟ ଦେବା ପାଇଁ ଗଞ୍ଜେଇ ଚାଲାଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe