House burned down in Balughat Photograph: (sambad.in)
ରାଉରକେଲା: ବୁଧବାର ରାତିରେ ବାଲୁଘାଟ ନୂଆବସ୍ତିରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ରମେଶ ପଣ୍ଡାଙ୍କ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ରାଉରକେଲା ତହସିଲ କାର୍ଯ୍ୟାଳୟର ରାଜସ୍ବ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।
ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା ମିଳିବ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ବାଲୁଘାଟ ନୂଆବସ୍ତିରେ ରମେଶ ପଣ୍ଡାଙ୍କ ପରିବାର ରୁହନ୍ତି। ରମେଶଙ୍କର ପାନପୋଷ ଏନ୍ଏସି ମାର୍କେଟରେ ଆଳୁ ପିଆଜ ଦୋକାନ ରହିଛି। ପ୍ରତିଦିନ ପରି ରମେଶ ବୁଧବାର ଅପରାହ୍ନରେ ଦୋକାନକୁ ବେପାର କରିବାକୁ ଘରୁ ବାହାରି ଯାଇଥିଲେ। ରାତି ପ୍ରାୟ ୯ଟାରେ ରମେଶଙ୍କ ପତ୍ନୀ ଓ ତାଙ୍କର ଦୁଇଝିଅ ଘରେ ତାଲାମାରି ବାଲୁଘାଟ ମା’ମଙ୍ଗଳା ମନ୍ଦିରକୁ ଯାଇଥିଲେ।
ଅଧିକ ପଢ଼ନ୍ତୁ: ମୁଣ୍ଡରେ ହାତ ଦେଇ ବସିଛି ଚାଷୀ: ଲଗାଣ ବର୍ଷା ଯୋଗୁ ଆଗେଇପାରୁନି ଚାଷ, ପଡ଼ିଆ ପଡିଛି ୫୮,୯୨୮ ହେକ୍ଟର ଜମି
ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀ ରମେଶ ଓ ତାଙ୍କ ପତ୍ନୀଙ୍କୁ ଜଣାଇଥିଲେ। ନିଆଁବ୍ୟାପି ଯାଇଥିବାରୁ ଘର ସମସ୍ତ ଆସବାବପତ୍ର, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ରୋଷେଇ ସାମଗ୍ରୀ ଜଳିଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇସାରିଥିଲା। କ୍ଷତିଗ୍ରସ୍ତ ପରିବାର ପାଖ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦେବାକୁ ବସ୍ତିବାସିନ୍ଦା ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ଲଗାଣ ବର୍ଷା: ବହୁ ଅଞ୍ଚଳ ଜଳବନ୍ଦୀ
sundargarh
Follow Us