କଟକ: ଏକ ଘର ଉଚ୍ଛେଦ ମାମଲାରେ ହାଇକୋର୍ଟ ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। କିନ୍ତୁ ଥାନା ଆଇଆଇସି ଓ ତହସିଲ କର୍ମଚାରୀ ଏହାକୁ ମାନିବା ବଦଳରେ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଲେ। ଉଚ୍ଛେଦ ପ୍ରକ୍ରିୟା ଆଇନସଙ୍ଗତ ନୁହେଁ ବୋଲି କହି ପୁଲିସକୁ ନୋଟିସ୍‌ ଦେଖାଇବାରୁ ଘରମାଲିକଙ୍କ ଝିଅକୁ ୫ଘଣ୍ଟା ଧରି ଥାନାରେ ଅଟକ ରଖି ନିର୍ଯାତନା ଦିଆଗଲା। କଟକ ଡିସିପିଙ୍କ ନିକଟରେ ଏଭଳି ଅଭିଯୋଗ ଆଣିଥିବା ପରିବାର ଏବେ ପିଲା ଛୁଆଙ୍କୁ ଧରି ବିଡ଼ାନାସୀ ପୁଲିସ କଲୋନିସ୍ଥିତ ଦକ୍ଷିଣ ଦେଉଳସାହି ମୌଜାର ପ୍ଲଟ୍‌ ନମ୍ବର ୫୩୩ରେ ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି।

Advertisment

Arrest: ୫କୁଖ୍ୟାତ ଚୋର ଗିରଫ; ଚଢ଼ଉ ବେଳେ ଚମ୍ପଟ ମାରିଲା ସର୍ଦାର

ଲୋକନାଥ ପାଲଙ୍କ ବାପାଙ୍କୁ ଦାନସୂତ୍ରରେ ମିଳିଥିବା ଜମିରେ ସେମାନେ ରହିଆସୁଥିଲେ। ପରବର୍ତ୍ତୀ ସମୟରେ ଜମି ଗୃହ ବିଭାଗ ଅଧୀନକୁ ଚାଲିଯାଇଥିଲା। ଏହାକୁ ନେଇ କୋର୍ଟରେ ମାମଲା ଗଡୁଥିଲା। ଫେବ୍ରୁଆରି ୭ ତାରିଖରେ ଘର ଉଚ୍ଛେଦ ପାଇଁ ତହସିଲରୁ ନୋଟିସ୍‌ ଆସିଥିଲା। ଏହାକୁ ନେଇ ଲୋକନାଥ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୩ ତାରିଖରେ କୋର୍ଟ ଆବେଦନକାରୀଙ୍କୁ ପକ୍ଷ ରଖିବାର ସୁଯୋଗ ଦେଇ ତହସିଲଦାର ୬ ସପ୍ତାହ ମଧ୍ୟରେ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଲେ। ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଉଚ୍ଛେଦ କରା ନ ଯିବାକୁ କହିଥିଲେ। ଏହି ନିର୍ଦ୍ଦେଶକୁ ଉଚ୍ଛେଦ କରିବାକୁ ଆସିଥିବା ତହସିଲ ଅଧିକାରୀ ଓ ବିଡ଼ାନାସୀ ଥାନା ଆଇଆଇସିଙ୍କୁ ଦିଆଯାଇଥିଲେ ବି ସେମାନେ ତାହାକୁ ଗ୍ରହଣ କରି ନଥିଲେ। ଲୋକନାଥଙ୍କ ଓକିଲ ଫୋନ୍‌ କରି କୋର୍ଟଙ୍କ ନିର୍ଦ୍ଦେଶ ଶୁଣାଇଥିଲେ ବି ସେମାନେ ଖାତିର କରି ନଥିଲେ। ଲୋକନାଥଙ୍କ ଝିଅ ସ୍ବର୍ଣ୍ଣପ୍ରଭା ବିଡ଼ାନାସୀ ଥାନା ଆଇଆଇସିଙ୍କୁ ଏ ସଂପର୍କରେ ପ୍ରଶ୍ନ କରିବାରୁ ତାଙ୍କୁ ଥାନାକୁ ଟାଣି ନିଆଯାଇଥିଲା। ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେବା ସହିତ ‌ଗାଳିଗୁଲଜ କରାଯାଇଥିଲା। ଦୁଷ୍କର୍ମ ଧମକ ସହ ମିଛ ମାମଲାରେ ଫସାଇ ଦେବାକୁ ଆଇଆଇସି ଚେତାବନୀ ଦେଇଥିଲେ। ନିରୂପାୟ ହୋଇ ସେ ଏକ କାଗଜରେ ଦସ୍ତଖତ ଦେଇ ଥାନାରୁ ଘରକୁ ଫେରିଥିଲେ। 

Uttarakhand High Court: ଏହା ପ୍ରେମ, କାମନା ନୁହେଁ; ଯୁବକଙ୍କ ବିରୋଧରେ ପୋକ୍ସୋ ମାମଲା ଖାରଜ କଲେ ଉତ୍ତରାଖଣ୍ଡ ହାଇକୋର୍ଟ

ଘଟଣା ସଂପର୍କରେ ସ୍ବର୍ଣ୍ଣପ୍ରଭା କଟକ ଡିସିପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଥିବା ମଧ୍ୟ ସେ ଅବଗତ କରାଇଛନ୍ତି। କିନ୍ତୁ ଘଟଣାକୁ ୫ଦିନ ବିତିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହା ବିରୋଧରେ ପୁଣି ଥରେ କୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ସ୍ବର୍ଣ୍ଣପ୍ରଭା କହିଛନ୍ତି। ଏ ସଂକ୍ରାନ୍ତରେ ବିଡ଼ାନାସୀ ଥାନା ଆଇଆଇସିଙ୍କ ପ୍ରତିକ୍ରିୟା ମିଳି ନ ଥିଲା ବେଳେ କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ କହିଛନ୍ତି, ପୁଲିସ ଜମିରେ ସେମାନେ ଜବରଦଖଲ କରି ରହୁଥିଲେ। ସେମାନଙ୍କୁ ସେଠାରୁ ଉଚ୍ଛେଦ କରିବାକୁ ପୁଲିସ ପକ୍ଷରୁ ଆମକୁ ନୋଟିସ୍‌ ଆସିଥିଲା। କେହି ଓକିଲ ଫୋନ୍‌ ଯୋଗେ କୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ କହିଲେ ତାହାକୁ ଆମେ ଗ୍ରହଣ କରିପାରିବୁନି। ବ୍ୟକ୍ତିଗତ ଭାବେ କୋର୍ଟ ଉଚ୍ଛେଦ କରିବାକୁ ମନା କରିଥିବା ସ୍ପଷ୍ଟ ହେବାପରେ ଉଚ୍ଛେଦ ବନ୍ଦ ରହିଥିଲା ବୋଲି ତହସିଲଦାର କହିଛନ୍ତି।