ପାଣି ପାଇଁ ଲଢ଼େଇ, ଦଳ ପାଇଁ ନୁହେଁ: ବିଜୟ
ଝାରସୁଗୁଡ଼ା: ମହାନଦୀର ଓଡ଼ିଶା ପ୍ରବେଶ ପୂର୍ବରୁ ଛତିଶଗଡ଼ର ଶେଷ ବ୍ୟାରେଜ୍ କଲମା ତଳେ ବାଲିବନ୍ଧ ନିର୍ମାଣ ନେଇ ଗତ ଡିସେମ୍ବର ୨୩ ଓ ଜାନୁଆରି ୪ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇଥିଲା। ଯାହାକି ମହାନଦୀ ପ୍ରସଙ୍ଗକୁ ପୁଣିଥରେ ଉଜ୍ଜୀବିତ କରିଛି। ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ ରବି ପାଣି ୩ ଦିନ ହେବ ଝାରସୁଗୁଡ଼ା ଗସ୍ତରେ ଥିବାବେଳେ ଗତକାଲି କଲମା ବ୍ୟାରେଜ୍ ପରିଦର୍ଶନ କରି ବାଲିବନ୍ଧ ସ୍ଥିତି ଅନୁଧ୍ୟାନ କରିଥିଲେ। ସୋମବାର ଝାରସୁଗୁଡ଼ାରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଲଢ଼େଇ ପାଣି ପାଇଁ ହେଉଛି, ଦଳ ପାଇଁ ନୁହେଁ ବୋଲି କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି, ମହାନଦୀରେ ବାଲିବନ୍ଧ ଯୋଗୁ ଜଳପ୍ରବାହ ବ୍ୟାହତ ହେଉଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହେଲା। ତେଣୁ ସେ ନିଜେ କଲମା, ଶୁଖାସୋଢ଼ା ଆଦି ବୁଲିବା ପରେ ସ୍ଥିତି ଭୟଙ୍କର ଥିବା ଜାଣିବାକୁ ପାଇଥିଲେ। ମହାନଦୀ ଉପରେ ଛତିଶଗଡ଼ର ଯେତିକି ଅଧିକାର, ଓଡ଼ିଶାର ବି ସେତିକି। ସେମାନେ ପାଣି ନିଅନ୍ତୁ ମନା ନାହିଁ, କିନ୍ତୁ ଓଡ଼ିଶାବାସୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କଲେ ବିରୋଧ ହେବ। ଆଜିର ଦିନରେ ହୀରାକୁଦ ଜଳଭଣ୍ଡାରରେ ୬୨୬ ଫୁଟ ପାଣି ଥିବା ବେଳେ ମେ’ ମାସକୁ ଆଉ ୧୦ ଫୁଟ କମି ଯାଇଥିବ। ମହାନଦୀ ଜଳବିବାଦ ସମସ୍ୟାର ସମାଧାନ ତୁରନ୍ତ ହେବା ଦରକାର।
ଏଥିପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିବା କଥା। ବର୍ତ୍ତମାନର ସରକାରଙ୍କୁ ଅନୁରୋଧ ଏହା ଉପରେ ତ୍ବରିତ ପଦକ୍ଷେପ ନିଅନ୍ତୁ। ଏଥିପାଇଁ ପ୍ରସ୍ତୁତି, ଇଚ୍ଛାଶକ୍ତି ଦରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି। କେନ୍ଦ୍ରରେ ଯେଉଁ ସରକାର, ଉଭୟ ରାଜ୍ୟରେ ବି ସେହି ସରକାର। କିନ୍ତୁ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କୌଣସି ଅଗ୍ରଗତି ଦେଖିବାକୁ ମିଳିନି। ମୁଖ୍ୟମନ୍ତ୍ରୀ ଏ ନେଇ ଛତିଶଗଡ଼ ସହ ଆଲୋଚନା କରିଛନ୍ତି, କିନ୍ତୁ କ’ଣ ଆଲୋଚନା କରିଛନ୍ତି କିଏ ଜାଣେ? ଶିଳ୍ପାନୁଷ୍ଠାନ ଅଣାଯାଉଛି, କିନ୍ତୁ ଶିଳ୍ପାନୁଷ୍ଠାନକୁ କେତେ ପାଣି ଆବଶ୍ୟକ ଓ ତାହା କେଉଁଠୁ ଆସିବ ତା’ର କଳନା କରାଯାଉନି। ୧୯୯୦ରୁ ୧୯୯୫ ମସିହା ମଧ୍ୟରେ ଝାରସୁଗୁଡ଼ାର ଇବ୍ ନଦୀରେ ଏକ ଜଳ ସଂରକ୍ଷଣ ବ୍ୟବସ୍ଥା ପାଇଁ ତାଙ୍କ ସରକାର ଯୋଜନା କରିଥିଲେ। ଉକ୍ତ ପ୍ରସ୍ତାବ କୁଆଡ଼େ ଗଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।
ବାଲିବନ୍ଧକୁ ତୁରନ୍ତ ହଟାଉ ଛତିଶଗଡ଼, ଅନୁଧ୍ୟାନ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରତିନିଧିମଣ୍ଡଳୀ
ଭୁବନେଶ୍ୱର: ଛତିଶଗଡ଼ ସରକାର ମହାନଦୀ ଜଳକୁ ଶୋଷଣ କରିବା ସହିତ ମହାନଦୀର ତଣ୍ଟି ଚିପିବାକୁ ଆଉ ଏକ ନୂଆ ଚକ୍ରାନ୍ତ କରିଛନ୍ତି। କଲମା ବ୍ୟାରେଜ୍ର ତଳ ମୁଣ୍ଡରେ ପ୍ରାୟ ୧୨ କିମି ପରେ ଏକ ବାଲିବନ୍ଧ କରି ପାଣି ରୋକି ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଉଛନ୍ତି l ବହୁ ବାଦାନୁବାଦ ଓ ଦାବି ପରେ କଲମା ବ୍ୟାରେଜ୍ର ଦୁଇଟି ଫାଟକ ସାମାନ୍ୟ ଖୋଲି ମହାନଦୀରେ ଜଳ ଛାଡ଼ିବା ପରେ ଅନ୍ତତଃ ଓଡ଼ିଶାବାସୀଙ୍କୁ ଟିକେ ଆଶ୍ବସ୍ତି ମିଳିଥିଲା। ମାତ୍ର ତଳ ମୁଣ୍ଡରେ ସେହି ପାଣିକୁ ଅଟକାଇ ରଖିବା କେବଳ ଓଡ଼ିଶା ପ୍ରତି ଅନ୍ୟାୟ ନୁହେଁ, ବରଂ ନଦୀ ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଏହି ବାଲିବନ୍ଧକୁ ତୁରନ୍ତ ହଟାଇବା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ସହ କଥା ହୁଅନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଦାବି କରିଛନ୍ତି। ଆଗାମୀ ୨୨ରୁ ୨୫ତାରିଖ ଭିତରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଏକ ପ୍ରତିନିଧି ଦଳ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ।
Road Problem: ୧୦ଲକ୍ଷର ପିଚୁ ରାସ୍ତା ୨ବର୍ଷ ମଧ୍ୟରେ ନଷ୍ଟ ,ପେଭର ବ୍ଲକ ଗାୟବ
ଓଡ଼ିଶା ତଥା ମହାନଦୀର ଏହି ଚରମ ପରିସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ମଧ୍ୟ ଦାବି କରିଛି। ୨୦୨୩ରେ ଟ୍ରିବ୍ୟୁନାଲ୍ ଓଡିଶା ଗସ୍ତ ସମୟରେ ୫କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଉଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଜନତାଙ୍କ ଅର୍ଥକୁ ଏଭଳି ଖର୍ଚ୍ଚ କରିବା ଦୁର୍ଭାଗ୍ୟଜନକ। ଟ୍ରିବ୍ୟୁନାଲ୍ ହେବାକୁ ୭ ବର୍ଷ ପୂରିବାକୁ ଆଉ ଅଳ୍ପଦିନ ବାକି ରହିଛି l ଆନ୍ତରୀଣ ଆଦେଶ ଦୂରର କଥା ଏପର୍ଯ୍ୟନ୍ତ ସବିଶେଷ ତଥ୍ୟ ଗ୍ରହଣ ମଧ୍ୟ ସମ୍ପୂର୍ଣ ହୋଇନି। ରାଜ୍ୟ ସରକାର ମହାନଦୀ ସମସ୍ୟା ସମାଧାନ ପାଇଁ ଆପୋଷ ସମାଧାନ କଥାର ସ୍ପଷ୍ଟ କରିନାହାନ୍ତି। ସରକାର ସବୁ ରାଜନୈତିକ ଦଳ, ଗଣ ସଂଗଠନ, ବିଶେଷଜ୍ଞ ଓ ବୁଦ୍ଧିଜୀବୀଙ୍କୁ ନେଇ ବିଚାର ବିମର୍ଶ କରି ସର୍ବସମ୍ମତ ସହମତି ଆଣି ତାପରେ ଆପୋଷ ସମାଧାନ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ଦାସଙ୍କ ସମେତ ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନ, ପ୍ରବକ୍ତା ନିରୋଦ ଖୁଣ୍ଟିଆ ଓ ଦୟା ବଞ୍ଚାଅ ଅଭିଯାନ ଆବାହକ ଅର୍ଜୁନ ସାମନ୍ତରାୟ ଦାବି କରିଛନ୍ତି।
Follow Us