ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଅନେକଙ୍କ ପାଇଁ ଜାନକୀବଲ୍ଲଭ ହେଉଛନ୍ତି ଜଣେ ପ୍ରେରଣାଦାୟୀ ଗୁରୁ। ତାଙ୍କ ଜୀବନୀରୁ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶିକ୍ଷା ହେଉଛି, ସମସ୍ୟାରେ ବିଚଳିତ ନ ହୋଇ କର୍ମମୟ ଜୀବନରେ ଆଗକୁ ବଢ଼ି ଚାଲିବା। ନିରନ୍ତର କର୍ମ ଓ ଧୈର୍ଯ୍ୟ ହେଉଛି ସଫଳତାର ଅନ୍ୟ ନାମ। ଜାନକୀବଲ୍ଲଭ ଥିଲେ ଅସାଧାରଣ ବିଦ୍ୱାନ ଓ ବାଗ୍ମୀ। ୧୯୮୦ ମସିହାରେ ଓଡ଼ିଶାରେ ବ୍ୟାପକ ଶିଳ୍ପାୟନର ଉଦ୍ୟମ ଭାବେ ହଜାର ଦିନରେ ହଜାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆହ୍ବାନ ଦେଇଥିଲେ। ସମ୍ବଳର ଅଭାବ, ଉଦ୍ୟୋଗୀ ପ୍ରସ୍ତୁତ ନ ହେବା କିମ୍ବା ଇକୋସିଷ୍ଟମ୍ର ଅଭାବ ରହିବା କାରଣରୁ ତାଙ୍କର ଏହି ସ୍ବପ୍ନ ହୁଏତ ସଫଳ ରୂପାୟନ ହୋଇପାରିନାହିଁ। ମାତ୍ର ତାଙ୍କର ଏହି ଅଭିପ୍ରାୟକୁ କେହି ପ୍ରଶ୍ନ କରିପାରିବେ ନାହିଁ। ତାଙ୍କର ସ୍ବପ୍ନକୁ ଆମ ସରକାର ପୂରଣ କରିବାକୁ ଯାଉଛନ୍ତି।
Neha Singh Rathod : ଲୋକ ଗାୟିକା ନେହା ସିଂ ରାଠୋରଙ୍କୁ ଅଟକ ରଖିଲା ପୁଲିସ
ଆସନ୍ତା କିଛି ବର୍ଷରେ ୧୮ ଲକ୍ଷ କୋଟିର ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଯାହା ରାଜ୍ୟର ୧୪ ଲକ୍ଷ ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇବ। ଆଜି ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦ୍ଘାଟନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ସ୍ବର୍ଗତ ଜାନକୀବଲ୍ଲଭ ହେଉଛନ୍ତି ଦୁଇଟି ଦିଗରୁ ପ୍ରଣମ୍ୟ। ପ୍ରଥମଟି ତାଙ୍କ ସାରସ୍ୱତ ଓ ସଂସ୍କୃତି ସଚେତନ ବ୍ୟକ୍ତିତ୍ୱ। ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରି ସେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସକ୍ରିୟ ଯୋଗଦାନ କରିଛନ୍ତି। ଦ୍ୱିତୀୟଟି ତାଙ୍କ ନେତୃତ୍ୱର ଦିଗ। ଧୈର୍ଯ୍ୟ, ସାଙ୍ଗଠନିକ ଦକ୍ଷତା ଏବଂ ନିଷ୍ଠା ବଳରେ ନିଜର ଜନସେବକ ଭୂମିକାକୁ ଅବ୍ୟାହତ ରଖିପାରିଲେ ଜଣେ ନେତୃତ୍ୱକୁ ଦୀର୍ଘଜୀବୀ କରିପାରିବ ବୋଲି ସେ ପ୍ରମାଣ କରିଛନ୍ତି। ତାଙ୍କର ସ୍ଥିତପ୍ରଜ୍ଞ ଗୁଣ ତାଙ୍କୁ ରାଜନୀତିରେ ଜଣେ ଧୁରୀଣ ବ୍ୟକ୍ତିତ୍ବ ଭାବେ ପ୍ରତିଷ୍ଠା ପ୍ରଦାନ କରିଥିଲା। ସ୍ବର୍ଗତ ପଟ୍ଟନାୟକ ଏକାଧାରରେ ଥିଲେ ଜଣେ ପ୍ରତିଷ୍ଠିତ ରାଜନେତା, କୃତବିଦ୍ୟ ସାମ୍ବାଦିକ ଓ ସମ୍ପାଦକ, ସାରସ୍ୱତ ସାଧକ, ଅନୁବାଦକ ଓ ପ୍ରସିଦ୍ଧ ପ୍ରାଚ୍ୟ-ବିଦ୍ୟା ବିଶାରଦ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ୧୯୭୧ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଜାନକୀ ବାବୁଙ୍କ ରାଜନୈତିକ ଇନିଂସ୍ ଥିଲା ଉଲ୍ଲେଖନୀୟ। କେନ୍ଦ୍ରରେ ଉପମନ୍ତ୍ରୀ, ରାଷ୍ଟ୍ର ମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀ ସହ ସେ ଓଡ଼ିଶାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବିରୋଧୀ ଦଳ ନେତା ଭାବରେ ପ୍ରଭାବୀ କାର୍ଯ୍ୟ କରିଛନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଆସାମ ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଛନ୍ତି। ଛାତ୍ର ରାଜନୀତିରେ ମଧ୍ୟ ତାଙ୍କର ସକ୍ରିୟ ଯୋଗଦାନ ରହିଥିଲା। ସାମ୍ବାଦିକତା ଓ ସାହିତ୍ୟର ରସାୟନ ଥିଲା ଜାନକୀବଲ୍ଲଭଙ୍କ ସହଜାତ ପ୍ରବୃତ୍ତି। ୧୯୪୯ ମସିହାରୁ ସେ ସାମ୍ବାଦିକତାକୁ ବ୍ରତ ଓ ବୃତ୍ତି ଭାବରେ ଗ୍ରହଣ କରିଥିଲେ। ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଜଣେ ଉଚ୍ଚାଙ୍ଗ ସାହିତ୍ୟ ସାଧକ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୫୬ ମସିହାରେ ଜାନକୀ ବାବୁ ଲେଖିଥିବା ‘ଗୌତମ ବୁଦ୍ଧ’ ପୁସ୍ତକଟି ଥିଲା ତାଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ସାହିତ୍ୟିକ କୃତି। ପରେ ରାମାୟଣ, ମହାଭାରତ ଓ ଶ୍ରୀମଦ ଭାଗବତର ଓଡ଼ିଆ ଗଦ୍ୟାନୁବାଦ କରିଥିଲେ। ଆସାମର ରାଜ୍ୟପାଳ ଭାବରେ ତାଙ୍କ ଅଭିବ୍ୟକ୍ତିଗୁଡ଼ିକ ମଧ୍ୟରେ ‘ଆସାମରୁ ଲେଖୁଛି’ ଓ ଆତ୍ମଜୀବନୀର ଅଂଶ ‘ଅସମାପ୍ତ ଆତ୍ମଲିପି’ରେ ତାଙ୍କର ସାରସ୍ବତ ଦୃଷ୍ଟିଭଙ୍ଗୀର ପ୍ରମାଣ ମିଳେ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ଜାନକୀବାବୁ ୬୦ ବର୍ଷରୁ ଅଧିକ ସମୟ ଓଡ଼ିଶାର ଜନଜୀବନକୁ ପ୍ରଭାବିତ କରିଥିଲେ। ତାଙ୍କ ଜୀବନ ଥିଲା ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ତ୍ରିବେଣୀ ସଙ୍ଗମ। ସଂସ୍କୃତ ଭାଷା ଓ ସାହିତ୍ୟରେ ତାଙ୍କର ଯଥେଷ୍ଟ ଦକ୍ଷତା ଥିଲା। ୧୪ ବର୍ଷ ଧରି ଓଡ଼ିଶାର କୃଷି, ଶିକ୍ଷା, ଆଇଟି ଭଳି ଅନେକ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ଧୈର୍ଯ୍ୟ ଓ ସାଙ୍ଗଠନିକ ଦକ୍ଷତା ତାଙ୍କର ସଂପତ୍ତି ଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଧୈର୍ଯ୍ୟ ଓ ସାଙ୍ଗଠନିକ ଦକ୍ଷତା ଜାନକୀବାବୁଙ୍କ ସଂପତ୍ତି: ନବୀନ
ଓଡ଼ିଶା ରାଜନୀତିର ଜଣେ ଅଜାତଶତ୍ରୁ: ବୀରପ୍ପା ମୋଇଲି
କୌଣସି ଦଳ ଭିତରେ ସୀମିତ ନୁହନ୍ତି ଜାନକୀବାବୁ: ନିରଞ୍ଜନ
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.ବୀରପ୍ପା ମୋଇଲି ସ୍ବର୍ଗତ ଜାନକୀବାବୁଙ୍କୁ ରାଜନୀତିର ଜଣେ ଅଜାତଶତ୍ରୁ ଭାବେ ବର୍ଣ୍ଣନା କରିଥିଲେ। ଶ୍ରୀ ମୋଇଲି କହିଥିଲେ ଯେ ଓଡ଼ିଶାରେ ଏକ ସ୍ବଚ୍ଛ, ପାରଦର୍ଶୀ ଓ ସହାନୁଭୂତିଶୀଳ ପ୍ରଶାସନକୁ ସେ ପରିଚାଳନା କରିପାରିଥିଲେ। ରାଜନୀତିରେ ତାଙ୍କର ଗଭୀର ଜ୍ଞାନ ରହିଥିଲା। ମହାଭାରତର ଆଧୁନିକ କର୍ଣ୍ଣ ହେଉଛନ୍ତି ଜାନକୀବାବୁ। ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ଭଳି କ୍ଷେତ୍ରରେ ତାଙ୍କର ଅବଦାନକୁ କେହି ଭୁଲିପାରିବେ ନାହିଁ। ସରକାରଙ୍କ ସବୁ ବିଭାଗ ଓଡ଼ିଆ ଭାଷାରେ ପ୍ରଚଳନ କରିବା ପାଇଁ ଆଦେଶପତ୍ର ଜାରି କରିଥିଲେ। ବରିଷ୍ଠ କଂଗ୍ରେସ ନେତା ସାଂସଦ ରଣଦୀପ ସୂର୍ଜେୱାଲା କହିଲେ, ୧୯୮୦ ଦଶକରେ ଏକ ରାଜନୈତିକ ଅସ୍ଥିରତା ଭିତରେ ଗତି କରୁଥିବା ଓଡ଼ିଶାରେ ଏକ ସ୍ଥିର ସରକାର ପ୍ରଦାନ କରିଥିଲେ ସ୍ବର୍ଗତ ଜାନକୀବଲ୍ଲଭ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ଦେଶରେ ଖାଦ୍ୟ ସୁରକ୍ଷାରେ ଯେଉଁ ୨ଟଙ୍କିଆ ଚାଉଳର ବ୍ୟବସ୍ଥା କରିଥିଲେ ତାହାର ମୂଳଭିତ୍ତି ଥିଲା ଜାନକୀବାବୁ ଆରମ୍ଭ କରିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରୁ। ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ତାଙ୍କ ସମୟରେ ଯେଉଁସବୁ କାର୍ଯ୍ୟ ହୋଇଛି ତାହା ଓଡ଼ିଶା ଇତିହାସ ଲେଖାଯିବା ବେଳେ ପ୍ରମୁଖତାରେ ରହିବ।
ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ଜାନକୀବାବୁ ଗୋଟିଏ ରାଜ୍ୟରେ ସୀମିତ ନୁହନ୍ତି। କ୍ଷମତା ନୁହେଁ, ସମ୍ବିଧାନକୁ ସର୍ବାଗ୍ରେ ରଖିଥିଲେ। ବ୍ୟକ୍ତି ବଦଳରେ ଲୋକତନ୍ତ୍ରକୁ ଆଗରେ ରଖିଥିଲେ ଓ ତାଙ୍କ ଶାସନର ପ୍ରଚାର ପ୍ରସାର କରି ନ ଥିଲେ। ଓଡ଼ିଶାରେ ବର୍ତ୍ତମାନ ସାମାଜିକ ନ୍ୟାୟ ଓ ସଂରକ୍ଷଣ ଏକ ପ୍ରମୁଖ ପ୍ରସଙ୍ଗ। ରାଜ୍ୟ ସରକାର ଏହା ଉପରେ ବିଚାର କରନ୍ତୁ। ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଲେ, ଜାନକୀ ବାବୁଙ୍କୁ ଆମେ କୌଣସି ଦଳ ଭିତରେ ସୀମିତ ରଖିପାରିବା ନାହିଁ। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡ଼ିଆ ଭାଷାରେ ସରକାରଙ୍କ ସବୁ ବିଭାଗ ପରିଚାଳନା ପାଇଁ ହଜାର ହଜାର ଟାଇପ୍ ରାଇଟର୍ କିଣିଥିଲେ। ଇଂରାଜୀ ଭାଷାରେ ଫାଇଲ୍ ପଠାଇଥିବାରୁ ଦୁଇ ଥର ମୋର ଫାଇଲକୁ ଫେରାଇଦେଇ ଓଡ଼ିଆରେ ଲେଖି ପଠାଇବାକୁ କହିଥିଲେ। ବାସ୍ତବରେ ସେ ଥିଲେ ଓଡ଼ିଆ ଅସ୍ମିତାର ପ୍ରକୃତ ରକ୍ଷାକର୍ତ୍ତା। ସିନେମା ହଲ୍ରେ ଯଦି ଓଡ଼ିଆ ଚଳଚ୍ଚିତ୍ର ୮ ସପ୍ତାହ ଚାଲୁ ନ ଥିଲା ତା’ ହେଲେ ସଂପୃକ୍ତ ହଲ୍ର ଲିଜ୍ ବାତିଲ କରାଯାଉଥିଲା। ତାଙ୍କୁ ଛୋଟ ଦେଖାଇବା ଲାଗି ତାଙ୍କ ବିରୋଧରେ ସିବିଆଇ, ଭିଜିଲାନ୍ସ ଭଳି ମାମଲା ହୋଇଥିଲା, ମାତ୍ର ଗୋଟିଏ ବି ମାମଲା ପ୍ରମାଣିତ ହୋଇପାରିନାହିଁ।
ଏହି ଅବସରରେ ନବଜ୍ୟୋତି ପଟ୍ଟନାୟକଙ୍କ ଦ୍ବାରା ସଂକଳିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଉପରେ ରଚିତ ପୁସ୍ତକ ‘ଆଧୁନିକ ଓଡ଼ିଶାର ନିର୍ମାତା’ ଉନ୍ମୋଚିତ ହୋଇଥିଲା। ଏହାସହ ତାଙ୍କ ଜୀବନୀ ଓ ୧୪ ବର୍ଷର ଶାସନ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ପାଇଁ ଆସିଥିବା ୩ଟି ପ୍ରମୁଖ ଦାବିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ପିସିସି ସଭାପତି ଭକ୍ତଚରଣ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅନନ୍ତ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସୁରେଶ ରାଉତରାୟ, ଶ୍ରୀକାନ୍ତ ଜେନା, ମିନାକ୍ଷୀ ବାହିନୀପତି, ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ବାମପନ୍ଥୀ ନେତା ସୁରେଶ ପାଣିଗ୍ରାହୀ, ରାମକୃଷ୍ଣ ପଣ୍ଡା, ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ, ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବି ଦାସ, ସଂସ୍କୃତ ବିଶାରଦ ହରେକୃଷ୍ଣ ଶତପଥୀ, ଶିଳ୍ପପତି ତାରାରଂଜନ ପଟ୍ଟନାୟକ, ହାରୋ ଅଧ୍ୟକ୍ଷ ଜେ.କେ ମହାନ୍ତି, ଜାନକୀବଲ୍ଲଭ ସ୍ମୃତି କମିଟି ପକ୍ଷରୁ ସଞ୍ଜୟ ପଟ୍ଟନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାବାଦ୍ ବରିଷ୍ଠ ରାଜନେତା ପଞ୍ଚାନନ କାନୁନ୍ଗୋ, ପ୍ରଫୁଲ୍ଲ ଘଡ଼ାଇ, ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ, ଦାଶ ବେନହୁର ପ୍ରମୁଖ ଜାନକୀବାବୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଆର୍ଥିକ ଅଭିବୃଦ୍ଧି ନେଇ କରିଥିବା ଉଦ୍ୟମର ସ୍ମୃତିଚାରଣ କରିଥିଲେ। ଗୋବିନ୍ଦ ଭୂୟାଁ ଧନ୍ୟବାଦ ଦେଇଥିଲେ। ମୃତ୍ୟୁଞ୍ଜୟ ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ।
ପ୍ରାରମ୍ଭରେ ଓଡ଼ିଶାର ବରେଣ୍ୟ ସନ୍ଥ ଶ୍ରୀମଦ ପରମହଂସ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, କଣାସ ମଠର ମହନ୍ତ ବାବା ବିଶ୍ବମ୍ବର ଦାସ, ମହାରାଜା ଆଚାର୍ଯ୍ୟ ଧର୍ମରାଜ, ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ପ୍ରମୋଦ ଆଚାର୍ଯ୍ୟ ମଞ୍ଚ ଉପରେ ଶ୍ରୀଜଗନ୍ନାଥଙ୍କ ଆଳତି ସଂପନ୍ନ କରିଥିଲେ। କାର୍ଯ୍ୟକ୍ରମକୁ ନବଜ୍ୟୋତି ପଟ୍ଟନାୟକ, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକ (କନିଷ୍ଠ), ବିଶ୍ବଜିତ ଦାଶ, ଶୁଭେନ୍ଦୁ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ବେଉରା, ଯୋଗୀନାଥ ବାହୁବଳେନ୍ଦ୍ର, ମନୋଜ ବିଶ୍ବାଳ, ଆଲୋକ ମହାନ୍ତି, ଦୀପକ ମହାପାତ୍ର, ମିହିର ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/04/fshfhfh-2026-01-04-01-08-32.jpg)