ଦେଓଗାଁ/ସମ୍ବଲପୁର: ‘ଛୋଟବେଳୁ ମାଆଙ୍କୁ ହରାଇଥିଲି। କିଛିମାସ ପୂର୍ବରୁ ବାପାଛେଉଣ୍ଡ ହୋଇଗଲି। ସ୍ନାତକ ପାଠ ପଢ଼ିଛି। ଅନେକ ଚେଷ୍ଟା ପରେ ଚାକିରି ଖଣ୍ଡିଏ ମିଳିଲା ନାହିଁ। ତେଣୁ ଦାଦନ ଖଟିବାକୁ ପ୍ରସ୍ତୁତ ହେଉଛି’। ଏହା କହିଛନ୍ତି ଜାତୀୟସ୍ତରର କବାଡ଼ି ଖେଳାଳି ସୀତା ଜାନି (୨୧)। ବଲାଙ୍ଗୀର ଦେଓଗାଁ ଅନ୍ତର୍ଗତ ହାତୀସରାର ସୀତାଙ୍କୁ ବହୁଦିନ ଧରି ଖେଳାଳି ପ୍ରମାଣପତ୍ର ଦିଆଯାଉ ନ ଥିଲା। ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ପ୍ରମାଣପତ୍ର ମିଳିଛି। ହେଲେ ପ୍ରମାଣପତ୍ର ମିଳିବାରେ ବିଳମ୍ବ ଯୋଗୁ ଚାକିରି ପାଇପାରି ନାହାନ୍ତି। ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଦାଦନ ଯିବେ ବୋଲି କହି ସରକାରୀ ବ୍ୟବସ୍ଥା ଉପରେ  ପ୍ରଶ୍ନ ଉଠାଇଛନ୍ତି।

Advertisment

Pongal: ପୋଙ୍ଗଲ ପାଇଁ ଉତ୍ସବମୁଖର ନବରଙ୍ଗପୁର

ସୀତା କହନ୍ତି, ସପ୍ତମଶ୍ରେଣୀରେ ପଢ଼ିବା ସମୟରେ କବାଡ଼ି ଖେଳିବା ଆରମ୍ଭ କରିଥିଲେ। ୨୦୧୭ ମସିହାରେ ଛତିଶଗଡ଼ର ବିଳାସପୁରରେ ଅନୁଷ୍ଠିତ ଜାତୀୟ କବାଡ଼ିରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହାପୂର୍ବରୁ ସେ ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିଅନ୍‌ସିପ୍‌ରେ ଭାଗ ନେଇଥିଲେ। ତାଙ୍କୁ ବିଭିନ୍ନ ସମୟରେ ପ୍ରଶଂସା ମିଳିଛି। ଆର୍ଥିକ ଓ ସାମାଜିକ ଭାବେ ଦୁର୍ବଳବର୍ଗର ହୋଇ ମଧ୍ୟ ଉଭୟ ଖେଳ ଓ ପାଠପଢ଼ାରେ ଭଲ କରୁଥିଲେ। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରୁ ଯୁକ୍ତ ତିନି ସମ୍ମାନ (ଓଡ଼ିଆ) ସମ୍ପୂର୍ଣ୍ଣ କରିଛନ୍ତି। କିଛିମାସ ପୂର୍ବରୁ ବାପାଙ୍କ ଅଚାନକ ଦେହାନ୍ତ ପରେ ସବୁ ସ୍ବପ୍ନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସୀତା କହନ୍ତି, ସେ ବର୍ତ୍ତମାନ ବୁଢ଼ୀ ବଡ଼ମା’ଙ୍କ ସହ ରହୁଛନ୍ତି। ତାଙ୍କ ଭତ୍ତା ଅର୍ଥରେ ଚଳୁଛନ୍ତି। ଅନେକ ଚେଷ୍ଟା ପରେ ବି ଚାକିରି ମିଳିଲା ନାହିଁ। ଏଣୁ କୌଣସି ଏକ ଗୋଷ୍ଠୀ ସହିତ ମିଶି ଦାଦନ ଖଟିବାକୁ ଯିବି ବୋଲି ସେ କହିଛନ୍ତି। କିନ୍ତୁ କାହାକୁ ଚିହ୍ନି ନାହିଁ, ତେଣୁ କେମିତି ଯିବି ଜାଣିପାରୁ ନାହିଁ। ମୋ’ ପାଖରେ କୌଣସି ବିକଳ୍ପ ମଧ୍ୟ ନାହିଁ ବୋଲି ସୀତା କହିଛନ୍ତି। ବଲାଙ୍ଗୀର କ୍ରୀଡ଼ା ଅଧିକାରୀ ପରାଶର ବାଗଙ୍କୁ ପଚାରିବାରୁ ସେ ସୀତାଙ୍କ ସମ୍ପର୍କରେ ଅବଗତ ନଥିବା କହିଥିଲେ। କୌଣସି ଖେଳାଳିଙ୍କୁ ନିଯୁକ୍ତି ଦେବା କ୍ଷମତା ତାଙ୍କର ନାହିଁ ବୋଲି କହିଥିଲେ।

Pongal: ତାମିଲ ସଂସ୍କୃତି ସମଗ୍ର ଦେଶର ଏକ ସହଭାଗୀ ଐତିହ୍ୟ: ପ୍ରଧାନମନ୍ତ୍ରୀ