ଝାରସୁଗୁଡ଼ା: ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ହେଉନି। ମହାନଦୀରେ ଛତିଶଗଡ଼ର ଶେଷ ବ୍ୟାରେଜ୍‌ କଲମାର ଉଛୁଳା ପାଣିକୁ ବି ସେଠାକାର ସରକାର ବାଲିବନ୍ଧ ଦେଇ ଟାଣି ନେଉଛନ୍ତି। ଏବେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଲଖନପୁର ବ୍ଲକ୍‌ ଅଧୀନ ୧୯ ଖଣ୍ଡ ମୌଜାର ଜୀବନରେଖା କୁହାଯାଉଥିବା କେଲୋ ନଦୀର ଅବସ୍ଥା ମଧ୍ୟ ଅନୁରୂପ। ଛତିଶଗଡ଼ ସରକାର ମହାନଦୀର ପାଣି ଶୋଷି ନେଉଥିବା ବେଳେ କେଲୋ ନଦୀକୁ ଡ୍ରେନେଜ୍‌ ପ୍ରକଳ୍ପ ଭାବେ ବ୍ୟବହାର କରୁଛନ୍ତି। ଫଳସ୍ବରୂପ ଓଡ଼ିଶା ପାର୍ଶ୍ବକୁ ଉକ୍ତ ନଦୀର ପାଣି ଆସିବା ବେଳକୁ ସେଥିରୁ କେବଳ ଆବର୍ଜନା ଓ ଦୁର୍ଗନ୍ଧ ବାହାରୁଛି। ଉକ୍ତ ପାଣିକୁ କେବଳ ଚାଷ କାମ ବ୍ୟତୀତ ଅନ୍ୟ କୌଣସି କାମରେ ବ୍ୟବହାର କରାଯାଇ ପାରୁନାହିଁ। 

Advertisment

Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ

ଛତିଶଗଡ଼ର ରାୟଗଡ଼ ସହର ଦେଇ ପ୍ରବାହିତ ହେଉଥିବା କେଲୋ ନଦୀ ଏକଦା ରାୟଗଡ଼ ସହରବାସୀଙ୍କ ପାଇଁ ପାନୀୟ ଜଳର ଏକମାତ୍ର ମାଧ୍ୟମ ଥିଲା। କିନ୍ତୁ ବର୍ଦ୍ଧିତ ଔଦ୍ୟୋଗୀକରଣ ଯୋଗୁ ଶିଳ୍ପାନୁଷ୍ଠାନଗୁଡ଼ିକ ଏହି ନଦୀକୁ ସୁଲଭ ଡ୍ରେନ୍‌ ଭାବେ ବିବେଚନା କରୁଛନ୍ତି। ଖାଲି ସେତିକି ନୁହେଁ, ରାୟଗଡ଼ ସହରର ସ୍ବେରେଜ୍‌ ପାଣି ବି ଏହି ନଦୀକୁ ବିନା ବିଶୋଧନରେ ଛାଡ଼ି ଦିଆଯାଉଛି। ଫଳରେ ସେଠାକାର‌ ଲୋକେ ନଦୀ ପାଣିକୁ ପିଇବା ତ’ ଦୂରର କଥା, ଗାଧୋଇବା ସଂପର୍କରେ ଦୁଇଥର ଚିନ୍ତା କରୁଛନ୍ତି। ଏ ନେଇ ଖୋଦ୍‌ ଛତିଶଗଡ଼ର ଗଣମାଧ୍ୟମରେ ବର୍ଷତମାମ୍‌ ମାଳମାଳ ଖବର ପ୍ରକାଶ ପାଉଛି। ମାତ୍ର ଛତିଶଗଡ଼ ସରକାର ଏହି ନଦୀର ସଫେଇ ପାଇଁ କୌଣସି ବ୍ୟବସ୍ଥା କରୁନଥିବା ବେଳେ ନଦୀକୁ ଦୂଷିତ ଜଳ ଛାଡ଼ିବା ଦିଗରେ ବି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯାହାର ସବୁଠୁ ଅଧିକ ପ୍ରଭାବ ପଡ଼ୁଛି ତଳମୁଣ୍ଡରେ ଥିବା ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ୫ଟି ପଞ୍ଚାୟତରେ। ସେପଟେ,ଏହି ନଦୀ ଛତିଶଗଡ଼ର ପୁସୌର ବ୍ଲକ୍‌ର ବଡ଼ମାଳ ଦେଇ ଓଡ଼ିଶାରେ ପ୍ରବେଶ କରିଥିବା ବେଳେ କନକତୋରା, ବାଦିମାଲ, ପିଥିଣ୍ଡା ପଞ୍ଚାୟତ ଦେଇ ମହାନଦୀରେ ମିଶିଛି। ଏବେ କେଲୋ ନଦୀର ଓଡ଼ିଶା ପଟରେ ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ରହିଥିବାରୁ ନଦୀର ଜଳସ୍ତର ଭଲ ରହିଛି।

Subhadra Art Gallery:ଲଣ୍ଡନରେ ମୋଦୀ@୩.୦ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ, ଚିତ୍ରକଳା ମାଧ୍ୟମରେ ବିକାଶ ପାଇଁ ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଭିନବ ପ୍ରୟାସ

ଆଉ ମାସକ ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇଲେ କେଲୋ ନଦୀରୁ ବି ପାଣି କମିବାକୁ ଲାଗିବ। ଲୁହାବଗାର ଚାଷୀ କାଳୀଚରଣ ମେହେରଙ୍କ ଅଭିଯୋଗ ଅନୁସାରେ, ନଦୀରୁ ପାଣି କମିଗଲେ ଉପର ମୁଣ୍ଡରୁ କେବଳ ଆବର୍ଜନା ମିଶା ପାଣି ଆସୁଛି। ଯେଉଁ ପାଣି ଆଦୌ ବ୍ୟବହାରଯୋଗ୍ୟ ନୁହେଁ। ଉଲ୍ଲେଖ‌ଯୋଗ୍ୟ, ରାଜ୍ୟ ସରକାରଙ୍କ ଆଖିରେ ଧୂଳି ଦେଇ ଛତିଶଗଡ଼ ସରକାର ଓଡ଼ିଶା ସୀମାରୁ ଅଳ୍ପ ଦୂରରେ କେଲୋ ନଦୀରେ ଦୁଇଟି ପ୍ରକଳ୍ପ ନିର୍ମାଣ କରିସାରିଛନ୍ତି। ଯେଉଁଥିରୁ ସେଠାକାର ଶିଳ୍ପାନୁଷ୍ଠାନ ଓ ଚାଷ ଜମିକୁ ପାଣି ଯାଉଥିବା ବେଳେ ଖରାଦିନେ ଓଡ଼ିଶା ପାର୍ଶ୍ବ ଶୁଖିଲା ପଡ଼ୁଛି।