କଟକ: ନରସିଂହପୁର, ବଡ଼ମ୍ବା ଓ ତିଗିରିଆ ଅଞ୍ଚଳରେ ଚିନ୍ତା ବଢ଼ାଉଛି କିଡ୍‌ନି ରୋଗ। ରୋଗର ମୂଳ ଉତ୍ସରେ ପହଞ୍ଚିବା ପାଇଁ କସରତ ଆରମ୍ଭ ହୋଇଛି। ତିଗିରିଆରେ ଥିବା ମଡେଲ୍‌ ରୁରାଲ୍‌ ହେଲ୍‌ଥ ରିସର୍ଚ୍ଚ ୟୁନିଟ୍‌ (ଏମ୍‌ଆର୍‌ଏଚ୍‌ଆର୍‌ୟୁ) ପକ୍ଷରୁ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌)କୁ ଏକ ତିନିସୂତ୍ରୀ ପ୍ରସ୍ତାବ ପଠାଯାଇଛି। ଯଦି ତାହାକୁ ମଞ୍ଜୁରି ମିଳିଯାଏ, ତାହେଲେ ଗବେଷଣା କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ଓ ରୋଗର ନିରାକରଣ କିମ୍ବା ଅଧିକ ଗୁରୁତର ହେବା ସମ୍ଭାବନାକୁ ବିଳମ୍ବିତ କରାଯାଇପାରିବ ବୋଲି ଏମ୍ଆର୍‌ଏଚ୍‌ଆର୍‌ୟୁର ମୁଖ୍ୟ ଡାକ୍ତର ସୁବ୍ରତ ପାଳ ସୂଚନା ଦେଇଛନ୍ତି। 

Advertisment

The goal of a beggar-free capital: ଭିକାରିମୁକ୍ତ ରାଜଧାନୀ ଲକ୍ଷ୍ୟ ବାଟବଣା: ଭିକ୍ଷାବୃତ୍ତିରେ କୋମଳମତି ଶିଶୁ, କଲମ ବିକିବା ଆଳରେ ଟଙ୍କା ମାଗୁଛନ୍ତି

ଡାକ୍ତର ପାଳଙ୍କ ସୂଚନାନୁସାରେ, କଟକ ଜିଲ୍ଲାରେ ଏହି ତିନୋଟି ବ୍ଲକ୍‌ରେ ଅଧିକ କିଡ୍‌ନି ରୋଗୀ ଅଛନ୍ତି। ଯେଉଁମାନଙ୍କର ରକ୍ତଚାପ ଓ ମଧୁମେହ ରହିଛି ସେମାନଙ୍କ କ୍ଷେତ୍ରରେ କିଡ୍‌ନି ରୋଗ ଅଧିକ ଚିହ୍ନଟ ହେଉଛି। ତେବେ ପାଣି ଓ ମାଟିର ଅପମିଶ୍ରଣ ବିଷୟରେ ଯାହା ଆଲୋଚନା କରାଯାଉଛି, ବାସ୍ତବରେ ସେଥିରୁ ସେମିତି କିଛି ମିଳିନି। ଏହା ଉପରେ ଅଧିକ ବିଶ୍ଲେଷଣ କରାଯାଇନି। ଏବେ ରୋଗର କିପରି ସଂପୂର୍ଣ୍ଣ ନିରାକରଣ କରାଯାଇପାରିବ କିମ୍ବା ଅନ୍ୟାନ୍ୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ ତାହା ଉପରେ ଧ୍ୟାନ ଦିଆଯାଉଛି। ଯେଉଁମାନେ ଡାଏଲିସିସ୍‌ ପାଇଁ ସିଏଚ୍‌ସିକୁ ଆସୁଛନ୍ତି, ସେତେବେଳେକୁ ଷ୍ଟେଜ୍‌ ୪ କିମ୍ବା ୫ ହୋଇଯାଉଛି। ଏହି ସମୟ ବେଳକୁ କିଡ୍‌ନିର ଅଧିକାଂଶ ଭାଗ ନଷ୍ଟ ହୋଇଯାଇଥାଏ। ତେଣୁ ପ୍ରଥମ କିମ୍ବା ଦ୍ବିତୀୟ ଷ୍ଟେଜ୍‌ରୁ ରୋଗର ଚିହ୍ନଟ ହୋଇପାରିଲେ ତାହାର ନିରାକରଣ ଶୀଘ୍ର ହୋଇପାରିବ। ରୋଗର ଉତ୍ସରେ ପହଞ୍ଚିବାର ଆଉ ଏକ ବାଟ ହେଉଛି କିଡ୍‌ନିର ବାୟୋପ୍ସି ପରୀକ୍ଷା। ଏଥିପାଇଁ ଏସ୍‌ସିବି ମେଡିକାଲ୍‌ର ନେଫ୍ରୋଲୋଜି ଓ ଆନାଟୋମି ବିଭାଗର ସହଯୋଗ ଆବଶ୍ୟକ ବୋଲି ଡାକ୍ତର ପାଳ କହିଛନ୍ତି।

The goal of a beggar-free capital: ଭିକାରିମୁକ୍ତ ରାଜଧାନୀ ଲକ୍ଷ୍ୟ ବାଟବଣା: ଭିକ୍ଷାବୃତ୍ତିରେ କୋମଳମତି ଶିଶୁ, କଲମ ବିକିବା ଆଳରେ ଟଙ୍କା ମାଗୁଛନ୍ତି

ଆଇସିଏମ୍‌ଆର୍‌କୁ ଦିଆଗଲା ୩ ସୂତ୍ରୀ ପ୍ରସ୍ତାବ
କିଡ୍‌ନି ବାୟୋପ୍ସି ପାଇଁ ନେଫ୍ରୋଲୋଜି ଓ ଆନାଟୋମି ଡାକ୍ତରଙ୍କ ସହାୟତା ନିଆଯିବ
ମଞ୍ଜୁରି ମିଳିଲେ ତିଗିରିଆ ରିସର୍ଚ୍ଚ ୟୁନିଟ୍‌ ଆରମ୍ଭ କରିବ ଗବେଷଣା

ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏହି ପ୍ରସଙ୍ଗରେ କହିଛନ୍ତି, ନରସିଂହପୁର ଓ ବଡ଼ମ୍ବାରେ ଅଧିକ କିଡ୍‌ନି ରୋଗ ଦେଖାଦେଉଥିବା ଦୁଇଟି ଗ୍ରାମକୁ ଚିହ୍ନଟ କରାଯାଇଛି। ସେଠାରୁ ପାଣି ନମୁନା ଆଣି ଜିଲ୍ଲାସ୍ତରୀୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇଛି। ମୁଖ୍ୟତଃ ଆର୍ସେନାଲ୍‌ ଓ ଲୌହ କଣିକା ଅଧିକ ରହୁଥିବାରୁ ସେସବୁ ଅଞ୍ଚଳକୁ ମେଗା ପାନୀୟ ଜଳ ପ୍ରକଳ୍ପ ଅଧୀନରେ ପାଣି ଯୋଗାଇ ଦିଆଯିବ। ଆଉ ୬ ମାସ ମଧ୍ୟରେ ଏସବୁ କାର୍ଯ୍ୟ ଶେଷ ହେବ। ଅନ୍ୟପକ୍ଷରେ ପ୍ରଭାବିତ ଅଞ୍ଚଳରେ ଗୋଟିଏ ଜଳ ବିଶୋଧନାଗାର ନିର୍ମାଣ ପାଇଁ ଯୋଜନା ହୋଇଥିଲା। କିନ୍ତୁ ଏହା ବ୍ୟୟବହୁଳ ହୋଇଥିଲା ବେଳେ ବୃହତ୍‌ ପ୍ରକଳ୍ପ ପାଇଁ ଆଉ ୬ମାସ ଥିବାରୁ ଏହି ଯୋଜନାକୁ ଏବେ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ତିଗିରିଆ ଏମ୍‌ଆର୍‌ଏଚ୍‌ଆର୍‌ୟୁରେ ପାଣି ନମୁନା ପରୀକ୍ଷା ପାଇଁ ଆଉ ଏକ ପରୀକ୍ଷାଗାର ଆରମ୍ଭ କରିବାକୁ ଯୋଜନା ରହିଛି। ଖୁବ୍‌ଶୀଘ୍ର ଏହା ଆରମ୍ଭ ହୋଇଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।