କୋରାପୁଟ: ଜାଡ଼ରେ ଥରୁଛି କୋରାପୁଟ। ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ତଳକୁ ଖସିବା ପରେ କୋରାପୁଟର ରାଜୁଗୁଡ଼ାରେ ଚଳିତବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ରାଜୁଗୁଡ଼ା ଗ୍ରାମର ଧାନଖଳାରେ ଥିବା ଧାନ କେଣ୍ଡା ଉପରେ ମଙ୍ଗଳବାର ରାତିରେ ତୁଷାରପାତ ହୋଇଥିଲା। ବୁଧବାର ସକାଳେ ସ୍ଥାନୀୟ ଲୋକମାନେ ଦେଖିବା ପରେ ଖଳାରେ ଭିଡ଼ ଜମିଥିଲା। ପ୍ରବଳ ଜାଡ଼ ସାଙ୍ଗକୁ ଘନ କୁହୁଡି ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। କୋରାପୁଟ-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ରାଜୁଗୁଡ଼ା ଗାଁରେ ବୁଧବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ କରାଯାଇଛି। ପାରଦ ଦିନକୁ ଦିନ ଖସୁଥିବାରୁ ଭୋରରୁ ସକାଳ ୯ଟା ଏବଂ ସନ୍ଧ୍ୟାରେ ଲୋକେ ପଦାକୁ ବାହାରିବାକୁ ଡରୁଛନ୍ତି। ଶୀତଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ଘୋଡ଼ାଇବା ସହିତ ନିଆଁ ପାଖରେ ବସି ରହୁଛନ୍ତି। ଗ୍ରାମାଞ୍ଚଳ ଓ ପାର୍ବତ୍ୟାଞ୍ଚଳରେ ଥିବା ଗାଁଗୁଡ଼ିକରେ ତାପମାତ୍ରା ଆହୁରି ତଳକୁ ଖସୁଥିବାରୁ ଜୀବନଯାତ୍ରା ବ୍ୟାହତ ହୋଇଛି।

Advertisment

Assembly: ବିଧାନସଭାରେ ‘୬୦ ଦିନ’ର ଛଳନା: ଯଥେଷ୍ଟ ଆଗରୁ ସରିଯାଉଛି ଅଧିବେଶନ

ପାଣିପାଗ ବିଭାଗର ସୂଚନାନୁଯାୟୀ, କୋରାପୁଟ ଜିଲ୍ଲା ସଦର ମହକୁମାରେ ପାରଦ ୧୦.୭ ଡିଗ୍ରି ରହିଥିବା ବେଳେ ସେମିଳିଗୁଡ଼ାରେ ୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ହିଲ୍‌ ଷ୍ଟେସନ୍ ଭାବେ ରାଜ୍ୟର ଦୁଇଟି ସର୍ବନିମ୍ନ ପାରଦ ରେକର୍ଡ ମଧ୍ୟରେ ସେମିଳିଗୁଡ଼ା ରହିଛି। ୧୧ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ମଧ୍ୟମଧରଣର କୁହୁଡି ରହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସେମିଳିଗୁଡ଼ା ସମେତ ପଟାଙ୍ଗି, ଲମତାପୁଟ, ଲକ୍ଷ୍ମୀପୁର ଅଞ୍ଚଳରେ ମଧ୍ୟ କମ୍ ତାପମାତ୍ରା ରହିଛି। ଡିସେମ୍ବର ପ୍ରଥମ ସପ୍ତାହରେ ଶୀତ ପ୍ରକୋପ ଆରମ୍ଭ ହୋଇଥିବା ବେଳେ ଆଗକୁ ଆହୁରି ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଶୀତର ମଜା ନେବା ପାଇଁ ବାହାର ରାଜ୍ୟ ଓ ଜିଲ୍ଲାର ହଜାର ହଜାର ପର୍ଯ୍ୟଟକ କୋରାପୁଟ ଅଭିମୁଖେ ଆସି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଭୋଜିଭାତର ଆସର ଜମାଉଛନ୍ତି।

Police-Maoist clash: କନ୍ଧମାଳରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ: ସିଲ୍‌କସୁଗା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ