ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ବିଧାନସଭାର ନିୟମ କହୁଛି ବର୍ଷକୁ ୬୦ ଦିନ ଗୃହ ଚାଲିବ। ୨୦୧୪ ମସିହାରେ ବିଧାନସଭାର କାର୍ଯ୍ୟବିଧି ଆଇନର ୧୭୭ ଧାରା ସଂଶୋଧନ କରାଯାଇ ଏହି ବ୍ୟବସ୍ଥା କରାଯାଇଥିଲା। ତେବେ ଏଥିରେ ଏକ ବ୍ୟବସ୍ଥା ବି ଯୋଡ଼ାଯାଇଥିଲା। ଗୃହ ଚାହିଲେ ପ୍ରତି କ୍ୟାଲେଣ୍ଡର ବର୍ଷରେ ଧାର୍ଯ୍ୟ ୬୦ ଦିନ କାର୍ଯ୍ୟଦିବସକୁ କମାଇ ପାରିବ। ଗତ କିଛି ବର୍ଷ ହେଲା ଦେଖାଯାଉଛି ‘୬୦ ଦିନ’ର ନିୟମ ଗୁରୁତ୍ବ ରଖୁନି। କିନ୍ତୁ ତାହାର ଗଳାବାଟକୁ ବେଶ୍‌ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି। ସରକାରୀ କାର୍ଯ୍ୟ ନଥିବା ଦେଖାଯାଇ କାର୍ଯ୍ୟଦିବସକୁ କମାଇ ଦିଆଯାଉଛି। ନିୟମ ହୋଇଥିବା ୨୦୧୪ ବର୍ଷରୁ ହିଁ ଏହି ଅଘୋଷିତ ପରମ୍ପରା ଆରମ୍ଭ ହୋଇଛି। ସରକାର ବଦଳିଥିଲେ ବି ସେହି ଧାରା ବଦଳୁନି। ବିଜେଡି ସରକାରଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଏହି ପରମ୍ପରାକୁ ବର୍ତ୍ତମାନର ବିଜେପି ସରକାର ସଫଳତାର ସହ ଆଗକୁ ନେଉଛନ୍ତି। ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିଲେ ମଧ୍ୟ ତାହାର ପ୍ରଭାବ ପଡ଼ୁନି। ବିଜେଡି ସରକାର ସମୟରେ ପ୍ରତ୍ୟେକ ବର୍ଷ ବିଧାନସଭାକୁ ଆଗୁଆ ବନ୍ଦ କରିଦିଆଯାଉଥିଲା। ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ଏହାକୁ ଜୋର୍‌ଦାର ସମାଲୋଚନା କରୁଥିଲା। ସରକାର ପଳାୟନପନ୍ଥୀ ହୋଇ ଅଧିବେଶନ ଆଗୁଆ ବନ୍ଦ କରିଦେଉଥିବା ଦଳ ଅଭିଯୋଗ କରିଥିଲା। କିନ୍ତୁ ବିଜେପି କ୍ଷମତାକୁ ଆସିଲା ପରେ ବିଧାନସଭା ଅଧିବେଶନ ନିୟମ ଅନୁଯାୟୀ ୬୦ ଦିନ ବସିବ ବୋଲି ସମସ୍ତେ ଅନୁମାନ କରୁଥିଲେ। କିନ୍ତୁ ଦୁଇ ବର୍ଷ ହେଲା ସେପରି କିଛି ଘଟୁ ନାହିଁ। ଗତବର୍ଷ ୧୬ ଦିନ ଆଗରୁ ବିଧାନସଭା ବନ୍ଦ କରିଦିଆଯାଇଥିଲା ବେଳେ ଏ ବର୍ଷ ୧୮ ଦିନ ଆଗରୁ ବନ୍ଦ କରାଗଲା। ସେହି ସମାନ ଆଳ। ସରକାରୀ କାର୍ଯ୍ୟ ନଥିବାରୁ ଗୃହ ଅଧିକ ଦିନ ଚାଲିବାର ଆବଶ୍ୟକତା ନାହିଁ। 

Advertisment

Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା

ଗତ ବିଧାନସଭା ଅଧିବେଶନ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଥିଲା। ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଗୃହକୁ ସମ୍ବୋଧନ କରିଛନ୍ତି। ନ‌ଭେମ୍ବର ୨୭ ତାରିଖରେ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହରେ ମର୍ମସ୍ପର୍ଶୀ ଭାଷଣ ଦେଇଥିଲେ। ଜନପ୍ରତିନିଧିଙ୍କ ଆଚରଣ ଓ ଉଚ୍ଚାରଣ ଠିକ୍ ରହିବା ଉପରେ ରାଷ୍ଟ୍ରପତି ଗୁରୁତ୍ବାରୋପ କରିଥିଲେ। ଏହି ଅଧିବେଶନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, ଗୃହରେ ହଟ୍ଟଗୋଳ ବିଶେଷ ହୋଇନି। କୌଣସି ଗୋଟିଏ ଦିନ ଗୃହକୁ ବିରୋଧୀ ଅଚଳ କରିନାହାନ୍ତି। କାଁଭାଁ କିଛି ପ୍ରସଙ୍ଗ ପାଇଁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। କିନ୍ତୁ ଅଧିକ ସମୟ ଅଚଳାବସ୍ଥା ହୋଇ ନଥିଲା। ଗୃହ କାର୍ଯ୍ୟରେ ବିରୋଧୀ ବିଜେଡି ଓ କଂଗ୍ରେସ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ଓ ଖର୍ଚ୍ଚଦାବି ଆଲୋଚନା ବେଶ୍‌ ସୁରୁଖୁରୁରେ ଚାଲିଥିଲା। ତେବେ ବିରୋଧୀଙ୍କର ଗୃହ ଚଳାଇବାରେ ଏବେ ଅଦ୍ଭୂତପୂର୍ବ ସହଯୋଗ ବି କିଛି ମହଲରେ ସମାଲୋଚନାର ଶିକାର ହୋଇଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କ ଦୋଷଦୁର୍ବଳତା କାଢ଼ି ସମାଲୋଚନା କରିଥିଲେ ସତ। କିନ୍ତୁ କୌଣସି ବଡ଼ ପ୍ରସଙ୍ଗରେ ସରକାରଙ୍କୁ ଅଡ଼ୁଆରେ ପକାଇବା ଦେଖାଯାଇ ନଥିଲା। ସେଥି ପାଇଁ ଗୃହକୁ ସ୍ବାଭାବିକ ଚଳା‌ଇବାରେ ଶାସକ ଦଳ ସଫଳ ହୋଇଛି ବୋଲି ବହୁ ରାଜ‌ନୈତିକ ସମୀକ୍ଷକ ମତ ଦେଇଛନ୍ତି। ଏପରିକି ନୂଆପଡ଼ା ନିର୍ବାଚନର ପରାଜୟ ବିରୋଧୀ ଦଳର ଉତ୍ପାତକୁ ବନ୍ଦ କରିଦେଇଛି ବୋଲି ଶାସକ ଦଳ ସଭ୍ୟଙ୍କ ତାଚ୍ଛଲ୍ୟ ବି ଶୁଣିବାକୁ ମିଳିଥିଲା।

Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ

ବାଚସ୍ପତି ସୁରମା ପାଢ଼ୀଙ୍କର ଗୃହ ପରିଚାଳନା ବେଶ୍‌ ଉଲ୍ଲେଖନୀୟ ଥିଲା। ବହୁ ବିଧାୟକଙ୍କୁ ଏଥର ଗୃହରେ କହିବା ପାଇଁ ସୁଯୋଗ ଦେଇଥିଲେ। ଶୂନ୍ୟକାଳରେ ପ୍ରାୟ ପ୍ରତ୍ୟେକ ଦିନ ୨୦ରୁ ଅଧିକ ବିଧାୟକ ବିଭିନ୍ନ ପ୍ରସଙ୍ଗ ଉଠାଇବା ଦେଖାଯାଇଥିଲା। ବରିଷ୍ଠ ବିଧାୟକଙ୍କ ସହ ଯୁବ ବିଧାୟକମାନଙ୍କୁ ବି ସୁଯୋଗ ମିଳିଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଅନୁପସ୍ଥିତ ରହିବା ଧାରା ଜାରି ରଖିଛନ୍ତି। ପ୍ରଥମ ଦିନ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସେ ଗୃହକୁ ଆସିଥିଲେ। ପୁଣି ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନା ଦିନ ଖୁବ୍ କମ୍ ସମୟ ପାଇଁ ଗୃହକୁ ଆସି ଚାଲିଯାଇଥିଲେ। ଗୃହରେ ସେ କୌଣସି ପ୍ରସଙ୍ଗ ଉଠାଇ ନାହାନ୍ତି କି କୌଣସି ବିତର୍କରେ ଭାଗ ନେଇନାହାନ୍ତି। ସାଧାରଣତଃ ବିଧାନସଭା ଅଧିବେଶନ ଚାଲିଥିଲା ବେଳେ ବିରୋଧୀ ଦଳ ନେତା କ’ଣ କହୁଛନ୍ତି, ରାଜ୍ୟବାସୀଙ୍କର ଅପେକ୍ଷା ଥାଏ। କିନ୍ତୁ ନବୀନ ବାରମ୍ବାର ସମସ୍ତଙ୍କୁ ନିରାଶ କରୁଛନ୍ତି। ବିଧାନସଭା ଅଧିବେଶନ ପ୍ରତି ତାଙ୍କର ଅନାଗ୍ରହ ଗଣତନ୍ତ୍ରରେ ଏକ ଭୁଲ୍‌ ଉଦାହରଣ ସୃଷ୍ଟି କରୁଛି। 

ଏଥର ଅନେକ ଉଲ୍ଲେଖନୀୟ ଘଟଣା ଭିତରେ କଳା ଅଧ୍ୟାୟ ସୃଷ୍ଟି କଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ। ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣ ଠିକ୍ ରହିବା ନେଇ ରାଷ୍ଟ୍ରପତି ଦେଇଥିବା ପରାମର୍ଶର ପ୍ରଭାବ ତାଙ୍କ ଉପରେ ପଡ଼ିଲା ନାହିଁ। ଆଦୌ ପ୍ରାସଙ୍ଗିକତା ନ ଥାଇ ବି ମହାତ୍ମା ଗାନ୍ଧୀଙ୍କୁ ଆଲୋଚନା ଭିତରକୁ ଟାଣି ନକରାତ୍ମକ ମନ୍ତବ୍ୟ ଦେଲେ। ତାଙ୍କର ଏପରି ଆଚରଣ ପାଇଁ ସରକାର ବି ଅପଦସ୍ଥ ହେଲେ। ଗୃହର ମୂଲ୍ୟବାନ ସମୟ ବରବାଦ ହେଲା। ଶେଷରେ ସରକାର ବିଧାୟକଙ୍କ ମନ୍ତବ୍ୟକୁ ନିନ୍ଦା କରିବା ଯାଏଁ କଥା ଗଲା। ଯଦିଓ ଶ୍ରୀ ଖଟୁଆଙ୍କ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦିଆଯାଇଛି, ତେବେ ଗୃହ ବାହାରେ ସେ ନିନ୍ଦିତ ହୋଇଛନ୍ତି। ଅଧିବେଶନର ଶେଷ ଦିନରେ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତୀୟ ବିଲ୍‌ ସର୍ବସମ୍ମତିକ୍ର‌ମେ ପାରିତ ହୋଇଛି। ବହୁ ଦିନ ହେଲା ଏଥି ପାଇଁ ଦାବି ଉଠୁଥିଲା। ତେବେ ଦରମା ପ୍ରସଙ୍ଗରେ ଯେମିତି ସବୁ ଦଳର ବିଧାୟକଙ୍କ ସ୍ବର ସମାନ ଥିଲା, ସେମିତି ରାଜ୍ୟର କୌଣସି ଗୋଟିଏ ବି ପ୍ରସଙ୍ଗରେ ସହମତି ଆସିଥିଲେ ତାହା ଏକ ଐତିହାସିକ ଉଦାହରଣ ସୃଷ୍ଟି କରିଥା’ନ୍ତା ବୋଲି ସଚେତନ ନାଗରିକମାନେ ମତ ଦେଉଛନ୍ତି। 
ବର୍ଷ    ଦିନ
୨୦୧୪    ୪୮
୨୦୧୫    ୫୨
୨୦୧୬    ୪୫
୨୦୧୭    ୪୭
୨୦୧୮    ୪୨
୨୦୧୯    ୪୩
୨୦୨୦    ୩୦
୨୦୨୧    ୪୩
୨୦୨୨    ୩୧
୨୦୨୩    ୩୪
୨୦୨୪    ୪୪
୨୦୨୫    ୪୨