ରଘୁନନ୍ଦନ ଆଚାର୍ଯ୍ୟ
ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ର ଦୁର୍ଗମ ପାହାଡ଼ ଉପରେ ରହିଛି ନଗିରା ପଞ୍ଚାୟତର କୁଲଡିହ ଗାଁ। ଦେଶ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିବାକୁ ଯାଉଥିବା ବେଳେ ଏହି ଗାଁର ଲୋକଙ୍କୁ ମୌଳିକ ସୁବିଧା ମିଳୁନି। ସମସ୍ୟାର ପାହାଡ଼ ଭିତରେ ରହୁଥିବା ଏହି ଗାଁ ଲୋକେ କେବଳ ଭୋଟ୍ ଦେବା ବେଳେ ହିଁ ଗଣତନ୍ତ୍ରର ସ୍ବାଦ ପାଇଥାନ୍ତି। ଅନୁଗୁଳ ଜିଲ୍ଲାର ଏହି ସୀମାନ୍ତ ଗାଁକୁ ୧୯୭୮ ମସିହାରେ ପିବିଡିଏ ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ବିକାଶର ସ୍ବାଦ ଚାଖି ପାରିନାହାନ୍ତି ଗ୍ରାମବାସୀ। ରାସ୍ତା, ପ୍ରାଥମିକ ଶିକ୍ଷା, ବିଦ୍ୟୁତ୍, ପାନୀୟଜଳ, ବାସଗୃହ ଆଦିରୁ ବଞ୍ଚିତ ଏଠାକାର ଲୋକେ। କୁଲଡିହ ଗାଁ ଲୋକେ ବାଂଶପାଳ ବ୍ଲକ୍ ଦେଇ ବଣ ଜଙ୍ଗଲ ଭିତରେ ଜୀବନକୁ ବାଜି ଲଗାଇ ଯାତାୟାତ କରିଥାନ୍ତି। ପଞ୍ଚାୟତ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ଗାଁ ରାସ୍ତାରେ କେବଳ ମାଟି ପଡ଼ିଛି।
ହେଲେ ବର୍ଷାଦିନରେ ଏହା ଧୋଇ ହୋଇଯାଏ। ଗାଁରେ ସ୍କୁଲ୍ ନାହିଁ କି ଅଙ୍ଗନବାଡ଼ି ନାହିଁ। ଛୋଟ ପିଲାମାନେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ର କାଦଡିହା ପ୍ରାଥମିକ ବିଦ୍ୟାଳୟକୁ ଯାଇଥାନ୍ତି। ବର୍ଷା ଦିନରେ ଜଙ୍ଗଲ ରାସ୍ତା ଦେଇ ଯିବା ସମ୍ଭବ ହୋଇ ନଥାଏ। ତେଣୁ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। ଉକ୍ତ ଗାଁରେ ବସବାସ କରୁଥିବା ପ୍ରାୟ ୩୦୦ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ନାହିଁ। ଗାଁ ମଝିରେ ପ୍ରବାହିତ ଦୂଷିତ ନାଳରେ ଚୁଆ ଖୋଳି ପାଣି ସଂଗ୍ରହ କରିଥାନ୍ତି। ସରକାରୀ ଯୋଜନା, ପିବିଡିଏ ଯୋଜନା କେବଳ ନାମକୁ ମାତ୍ର। ଏଠାରେ ଆଜି ସୁଦ୍ଧା ବିଦ୍ୟୁତ୍ ପହଞ୍ଚିନାହିଁ।
Car Price: ୟୁରୋପୀୟ କାର ଶସ୍ତା ହେବ; ଆମଦାନୀ ଶୁଳ୍କ ୪୦%କୁ କମିବ
ବାଂଶପାଳ ବ୍ଲକ୍ରୁ ନଗିରା ପଞ୍ଚାୟତର ୧୪ଟି ଗାଁରୁ ୮ଟି ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲେ ସୁଦ୍ଧା ଉକ୍ତ ଗାଁଗୁଡ଼ିକରେ କେବେ ଲାଇଟ୍ ଜଳେ ନାହିଁ। ଅବଶିଷ୍ଟ ବିଦ୍ୟୁତ୍ ନଥିବା ୬ଟି ଗାଁ ମଧ୍ୟରୁ କୁଲଡିହ ଅନ୍ୟତମ। ଗାଁର ବରିଷ୍ଠ ନାଗରିକ ଚୌଧୁରୀ ଦେହୁରୀ କହିଛନ୍ତି, ବିକାଶ କଣ ଆମ ଗାଁ ଲୋକେ ଜାଣି ନାହାନ୍ତି। ନିର୍ବାଚନ ସମୟରେ ଜଙ୍ଗଲ ରାସ୍ତା ଦେଇ ଭୋଟ ମାଗିବାକୁ ନେତାମାନେ ଆସନ୍ତି। ରାସ୍ତା କରାଇଦେବା, ବିଦ୍ୟୁତ୍ ପହଞ୍ଚାଇବା, ପିଲାଙ୍କ ଶିକ୍ଷା ନିମନ୍ତେ ବିଦ୍ୟାଳୟ ଖୋଲିବା ଏମିତି କେତେ କଣ ସ୍ବପ୍ନ ଦେଖାନ୍ତି। କିନ୍ତୁ ଭୋଟ ସରିଗଲେ ସମସ୍ତେ ଭୁଲି ଯାଆନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା କୁଲଡିହ ପରି ଅନେକ ଗାଁ ରହିଛି ଯେଉଁଠି ଆଜି ପର୍ଯ୍ୟନ୍ତ ଲୋକେ ମୌଳିକ ସୁବିଧା ପାଉନାହାନ୍ତି। ଏଥିପ୍ରତି ସରକାର ଓ ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେବା ଆବଶ୍ୟକ।
Follow Us