ଭୁବନେଶ୍ବର: ପୂଜ୍ୟପୂଜା ଭାରତୀୟ ପରମ୍ପରାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଓଡ଼ିଶାରେ ଏହି ପରମ୍ପରାକୁ ଆଗେଇ ନେବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଛି। କେବଳ ଜୟନ୍ତୀ ଓ ଶ୍ରାଦ୍ଧ ଉତ୍ସବ ପାଳନରେ ପୂଜ୍ୟପୂଜାକୁ ସୀମିତ ନରଖି ଏଥି ପାଇଁ ବଡ଼ ଯୋଜନା କରାଯାଇଛି। ବରପୁତ୍ରଙ୍କ ଜନ୍ମମାଟିକୁ ବିକଶିତ କରିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ସରିଛି। ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ୭୫ଟି ପ୍ରତିମୂର୍ତ୍ତି ସ୍ଥାପନ କରି ରାଜ୍ୟ ଓ ଜାତି ପ୍ରତି ସେମାନଙ୍କ ଅବଦାନକୁ ପର ପିଢ଼ିକୁ ଜଣାଇବା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୬ରେ ହିଁ ଏହିସବୁ କାମ ସାରିବାକୁ ଯୋଜନା ରହିଛି। ଫଳରେ ଏଇ ବର୍ଷଟି ପୂଜ୍ୟପୂଜା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବାର ସମ୍ଭାବନା ରହିଛି।
Paddy: କଟନି ଛଟନି ବିବାଦକୁ ନେଇ ମଣ୍ଡିରୁ ୨ରୁ ୩ଦିନ ପରେ ଉଠୁଛି ଧାନ
ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଯାଏ। ଭୁବନେଶ୍ବରକୁ ବାଦ୍ ଦେଲେ ଅନ୍ୟ ସ୍ଥାନରେ ଖୁବ୍ କମ୍ ପ୍ରତିମୂର୍ତ୍ତି ରହିଛି। ପୂର୍ବରୁ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ବେଶ୍ କସ୍ରତ କରିବାକୁ ପଡ଼ୁଥିଲା। ଗୋଟିଏ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ନିଷ୍ପତ୍ତି ନେଇ ବଜେଟ୍ ବନ୍ଦୋବସ୍ତ କରି ନିର୍ମାଣ କଲା ବେଳକୁ ମାସ ମାସ ଲାଗିଯାଉଥିଲା। ଫଳରେ ପୂଜ୍ୟପୂଜା ପ୍ରତି ଆନ୍ତରିକତା ନେଇ ପ୍ରଶ୍ନ ଉଠୁଥିଲା। ଏବେ ସରକାର ଏକାଥରେ ବରପୁତ୍ରଙ୍କ ୭୫ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିଥିବା ସ୍ବାଧୀନତା ସଂଗ୍ରାମୀ, କବି, ସାହିତ୍ୟିକ, ଶିକ୍ଷାବିତ୍, ସମାଜ ସଂସ୍କାରକଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବ। ସେମାନଙ୍କ ଜୀବନବ୍ୟାପୀ ସାଧନା ଓ ବଳିଦାନକୁ ସମ୍ମାନ ଜଣାଇ ପରପିଢ଼ି ପାଇଁ ସେମାନଙ୍କ ସ୍ମୃତିକୁ ସଂରକ୍ଷିତ କରାଯିବ। କେଉଁ ଜିଲ୍ଲାରେ କାହାର ପ୍ରତିମୂର୍ତ୍ତି ନିର୍ମାଣ ହେବ, ତାହା ବି ସ୍ପଷ୍ଟ ହୋଇସାରିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବ, ଯାହା ମଧ୍ୟରେ କେବଳ ଭୁବନେଶ୍ବରରେ ରହିଛି ୧୩ ପ୍ରତିମୂର୍ତ୍ତି। ସଂସ୍କୃତି ବିଭାଗ ପକ୍ଷରୁ ଏଥି ପାଇଁ ପାଖାପାଖି ୧୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୦୨୬ରେ ହିଁ ସବୁ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥି ପାଇଁ ଆବଶ୍ୟକ ବୈଷୟିକ ପ୍ରକ୍ରିୟା ଚାଲିଛି।
ବରପୁତ୍ରଙ୍କ ୭୫ ପ୍ରତିମୂର୍ତ୍ତି ସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ
‘ବରପୁତ୍ର ଐତହ୍ୟ ଗ୍ରାମ’ର କାର୍ଯ୍ୟକାରିତା ପାଇଁ ବଡ଼ ଯୋଜନା
ଭୁବନେଶ୍ବରରେ ସ୍ଥାପନ ହେବ ୧୩ ପ୍ରତିମୂର୍ତ୍ତି
ଖାଲି ସେତିକି ନୁହେଁ, ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମ ବା ଜନ୍ମସ୍ଥାନକୁ ବିକଶିତ କରାଯାଇ ‘ବରପୁତ୍ର ଐତିହ୍ୟ ଗ୍ରାମ’ରେ ପରିଣତ କରାଯିବ। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ୨୫ଟି ଐତିହ୍ୟ ଗ୍ରାମର ବିକାଶ ଯୋଜନାକୁ ଗତ ଡିସେମ୍ବର ମାସରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି। ବରପୁତ୍ରଙ୍କ ଗାଁକୁ ବିକଶିତ କରାଯିବା ସହ ସମ୍ପୂର୍ଣ୍ଣ ଗ୍ରାମପଞ୍ଚାୟତକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ବିକଶିତ ଓ ସୌନ୍ଦର୍ଯ୍ୟକରଣ କରାଯିବ।
Health: ରାଇରଙ୍ଗପୁର ଉପଖଣ୍ଡର ଅଧିକାଂଶ ହସ୍ପିଟାଲରେ ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ର ଅଭାବ
ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ‘ବରପୁତ୍ର ଐତିହ୍ୟ ଗ୍ରାମ’ରେ ସର୍ବାଧିକ ୧୫ କୋଟି ଟଙ୍କା ଖର୍ଚ୍ଚରେ ବିକଶିତ କରାଯିବ। ଏଥିସହ ଏହି ସମ୍ପୂର୍ଣ୍ଣ ଯୋଜନା ପାଇଁ ୩୪୫ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଛି। ବରପୁତ୍ରମାନଙ୍କ ଜନ୍ମସ୍ଥଳୀକୁ ଐତିହାସିକ ସାଂସ୍କୃତିକ ସ୍ମୃତିସ୍ଥଳ ଓ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରାଯିବ। ଯାହା ଭବିଷ୍ୟତର ଯୁବପିଢ଼ିଙ୍କୁ ରାଜ୍ୟକୁ ବରପୁତ୍ରଙ୍କ ଅବଦାନ ସମ୍ପର୍କରେ ସଚେତନ କରାଇବ। ଏହି ଯୋଜନାରେ ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟରେ ପରିଣତ କରାଯିବ। ବ୍ୟାଖ୍ୟାନ କେନ୍ଦ୍ର, ଶିଶୁ ଉଦ୍ୟାନ, କାରୁକଳା ଓ ପାକଶାଳା ଷ୍ଟଲ୍ ଆଦି ପ୍ରତିଷ୍ଠା ହେବ। ଗ୍ରାମରେ ଜାଗାର ଉପଲବ୍ଧତା ଦେଖି ଡିପିଆର୍ ପ୍ରସ୍ତୁତ ହେବ। ତେବେ ପରବର୍ତ୍ତୀ ସମୟରେ ଏହି ସୌନ୍ଦର୍ଯ୍ୟକରଣର ରକ୍ଷଣାବେକ୍ଷଣା କିପରି ହେବ, ସେଥି ପାଇଁ ବିଭାଗ ସ୍ତରରେ ଯୋଜନା ପ୍ରସ୍ତୁତ ହେଉଛି।
‘ମହାପୁରୁଷଙ୍କୁ ମନେ ପକାଇବା ଆମର ଜାତୀୟ କର୍ତ୍ତବ୍ୟ’
ପୂଜ୍ୟପୂଜା ଆମ ସଂସ୍କୃତି ଓ ଅସ୍ମିତାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମ ରାଜ୍ୟ ତଥା ଦେଶ ପ୍ରତି ଅବଦାନ ରଖିଥିବା ମହାପୁରୁଷଙ୍କୁ ମନେ ପକାଇବା ଆମର ଜାତୀୟ କର୍ତ୍ତବ୍ୟ। ସେଥି ପାଇଁ ବରପୁତ୍ରମାନଙ୍କ ସ୍ମୃତି ରକ୍ଷା କରିବାକୁ ଅଧିକ ସଂଖ୍ୟାରେ ପ୍ରତିମୂର୍ତ୍ତି ନିର୍ମାଣ ସହ ବରପୁତ୍ର ଐତିହ୍ୟ ଗ୍ରାମର ପରିକଳ୍ପନା କରାଯାଇଛି। ଖୁବ୍ ଶୀଘ୍ର ମୂର୍ତ୍ତି ନିର୍ମାଣ ସହ ଐତିହ୍ୟ ଗ୍ରାମର ବିକାଶ କରାଯିବ। ଗ୍ରାମଗୁଡ଼ିକର ଭିତ୍ତିଭୂମି କେବଳ ବିକଶିତ ହେବନି, ସେସବୁ ପର୍ଯ୍ୟଟନ ଓ ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପାଲଟିଯିବ। ପ୍ରଥମ ପର୍ଯ୍ୟାୟରେ ୨୫ଟି ଗ୍ରାମରେ ବିକାଶ ହେବ। ପରବର୍ତ୍ତୀ ସମୟରେ ଅନ୍ୟ ବରପୁତ୍ରମାନଙ୍କର ଗ୍ରାମକୁ ମଧ୍ୟ ଏହି ତାଲିକାରେ ସ୍ଥାନ ଦିଆଯିବ। ସେହିପରି ଅଧିକ ପ୍ରତିମୂର୍ତ୍ତି ମଧ୍ୟ ଆଗାମୀ ଦିନରେ ନିର୍ମାଣ ହେବ।
ସୂର୍ଯ୍ୟବଂଶୀ ସୂରଜ
ମନ୍ତ୍ରୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/03/madubabu-2026-01-03-02-13-08.jpg)