ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ‘ମହାନଦୀ ଜଳ ବିବାଦର ସମାଧାନ ଆପୋସ ଆଲୋଚନା ମାଧ୍ୟମରେ ହେବ। ଛତିଶଗଡ଼ ସହ ଆଲୋଚନା କରାଯାଇ ସମାଧାନର ବାଟ ନିଶ୍ଚିତ ବାହାରିବ।’ ରାଜ୍ୟ ସରକାର ପ୍ରାୟ ଏକ ବର୍ଷ ହେଲା ଏହି ଦୁଇ ଧାଡ଼ି  ବାରମ୍ବାର କହି ଚାଲିଛନ୍ତି। କିନ୍ତୁ ସେହି ସମାଧାନର ପ୍ରକ୍ରିୟା କେତେ ବାଟ ଗଲା, ସେ ସମ୍ପର୍କରେ ରାଜ୍ୟବାସୀ ସନ୍ଦେହରେ ଓ ଅନ୍ଧାରରେ। ସନ୍ଦେହ ଏଇଥି ପାଇଁ ବଢ଼ୁଛି ଯେ ଯଦି ଆପୋସ ଆଲୋଚନା ଆଗେଇଛି, ତେବେ ଟ୍ରିବ୍ୟୁନାଲ୍‌ ସଦସ୍ୟମାନେ କାହିଁକି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରୁ ଓଡ଼ିଶାକୁ କିଛି ଫାଇଦା ମିଳିବାର ସମ୍ଭାବନା ହିଁ ଦେଖାଯାଉନି। 

Advertisment

Air ambulance Accident: ଦିଲ୍ଲୀ ଯିବାବେଳେ ଓଡ଼ିଶା ସୀମାନ୍ତରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଜାଣନ୍ତୁ ବିସ୍ତୃତ ଖବର

ମହାନଦୀ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଓ ସଦସ୍ୟ ୨୬ ତାରିଖରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେମାନେ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ମହାନଦୀ ଅବବାହିକା ପରିଦର୍ଶନ କରିବେ। ରାଜ୍ୟ ସରକାର ସେମାନଙ୍କୁ ରାଜ୍ୟ ଅତିଥିର ମାନ୍ୟତା ଦେଇ ବୁଲାଇବେ। ତେବେ ଏହି ଗସ୍ତକୁ ନେଇ ରାଜ୍ୟବାସୀ ଆଶାବାଦୀ ନ ହେବା ପଛରେ ଯଥେଷ୍ଟ କାରଣ ବି ରହିଛି। ୨୦୨୩ ମେ’ ମାସରେ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଓ ଛତିଶଗଡ଼ ବୁଲିଥିଲେ। ୯ ଦିନ ଓଡ଼ିଶାରେ ରହି ସବୁ ଜାଗା ପରିଦର୍ଶନ କରିଥିଲେ। କିନ୍ତୁ ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସାମାନ୍ୟ ଆଶ୍ବସ୍ତ କଲା ପରି କୌଣସି ଅନ୍ତରୀଣ ରାୟ ଆସିପାରି ନାହିଁ। ଓଡ଼ିଶା ସରକାରଙ୍କ ପକ୍ଷରୁ ଅଣମୌସୁମୀ ସମୟରେ ଜଳ ପ୍ରବାହ ନେଇ ଅନ୍ତରୀଣ ରାୟ ପାଇଁ ବାରମ୍ବାର ଯୁକ୍ତି ସତ୍ତ୍ବେ ତାହା ଟ୍ରିବ୍ୟୁନାଲ୍‌ରେ ଗୃହୀତ ହୋଇ ନାହିଁ। ତିନି ବର୍ଷ ତଳେ ଟ୍ରିବ୍ୟୁନାଲ୍‌ ସଦସ୍ୟମାନେ କ୍ଷେତ୍ର ପରିଦର୍ଶନ କଲା ପରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଥିବା ନିଶ୍ଚିତ ଅନୁଭବ କରିଥିବେ। କିନ୍ତୁ ତାହା ସତ୍ତ୍ବେ କୌଣସି ଅନ୍ତରୀଣ ରାୟ ଆସି ନ ଥିଲା। ଏମିତିରେ ଟ୍ରିବ୍ୟୁନାଲ୍‌ର କାର୍ଯ୍ୟକାଳ ତିନି ଥର ବୃଦ୍ଧି ହୋଇସାରିଲାଣି। ଏବେ ପୁନର୍ବାର ସମ୍ପ୍ରସାରଣ ନେଇ ଆବେଦନ ହୋଇଛି।

ଅପର ପକ୍ଷରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଆପୋସ ସମାଧାନ ପାଇଁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟ ସରକାର ସୂଚନା ଦେଲେଣି। ଏହା ମଧ୍ୟରେ ବର୍ଷେ ବିତିଯାଇଥିଲେ ବି କୌଣସି ଆଖିଦୃଶିଆ ଅଗ୍ରଗତି ହୋଇ ନାହିଁ। ରାଜ୍ୟ ସରକାର ମହାନଦୀ ବିବାଦ ପ୍ରସଙ୍ଗରେ ଏକ ସର୍ବଦଳୀୟ କମିଟି କରିଛନ୍ତି। ସେହି କମିଟିର ବୈଠକ ଦୁଇ ଥର ବସିଲାଣି। ଏହି ପ୍ରସଙ୍ଗରେ ଅନ୍ତଃମନ୍ତ୍ରୀସ୍ତରୀୟ କମିଟିର ବୈଠକ ବି ଏକାଧିକ ଥର ବସିଲାଣି। ଜାନୁଆରି ଶେଷ ସପ୍ତାହରେ ମନ୍ତ୍ରୀସ୍ତରୀୟ କମିଟି ଛତିଶଗଡ଼ ଯିବ ବୋଲି ଗଣମାଧ୍ୟମରେ ସରକାର ଘୋଷଣା କରିଥିଲେ। ତାହା ପୂର୍ବରୁ ସର୍ବଦଳୀୟ କମିଟି ଏବଂ ମହାନଦୀ ପ୍ରସଙ୍ଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଇଥିଲା। ନା ଆଲୋଚନା ହେଲା ନା ମନ୍ତ୍ରୀସ୍ତରୀୟ କମିଟି ଛତିଶଗଡ଼ ଗଲେ। କାହିଁକି ଏହା ସ୍ଥଗିତ ରହିଲା, ତାହାର ଠୋସ୍ କାରଣ ବି ସାର୍ବଜନୀନ କରାଗଲା ନାହିଁ। ତେବେ ଛତିଶଗଡ଼ ସରକାର ଏ ଦିଗରେ ସହଯୋଗ କରୁ ନଥିବା ଜଣାପଡ଼ିଛି। ସେଥି ପାଇଁ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ଉପରେ ରାଜ୍ୟ ସରକାର ସହଯୋଗ ମାଗିଛନ୍ତି। କିନ୍ତୁ କେନ୍ଦ୍ରରୁ ଏନେଇ ସବୁଜ ସଙ୍କେତ ମିଳିପାରି ନାହିଁ। ସେଥି ପାଇଁ ରାଜ୍ୟ ସରକାର ଆଉ ଆଲୋଚନାକୁ ଆଗେଇ ନେଇପାରୁ ନାହାନ୍ତି କି ମନ୍ତ୍ରୀମାନେ ଛତିଶଗଡ଼ ଗସ୍ତ କରୁ ନାହାନ୍ତି। 

ଗଡ଼ୁଛି ସମୟ, କ୍ଷତି ସହୁଛି ଓଡ଼ିଶା
୨୦୨୩ରେ ୯ ଦିନ ଗସ୍ତ କରିଥିଲେ ବି ଓଡ଼ିଶା ଆଶ୍ବସ୍ତ ହୋଇ ନ ଥିଲା

ସଚେତନ ନାଗରିକମାନଙ୍କ କହିବା କଥା, ଛତିଶଗଡ଼ ଯେହେତୁ ଭୁଲ୍ କରୁଛି ତେଣୁ ଆପୋସ ସମାଧାନରେ ଅସହଯୋଗ କରିବା ସ୍ବାଭାବିକ। ମହାନଦୀ ଜଳ ପ୍ରସଙ୍ଗରେ ଓଡ଼ିଶା କ୍ଷତିଗ୍ରସ୍ତ ରାଜ୍ୟ ଥିବାରୁ ଓଡ଼ିଶା ଲଢ଼େଇ କରୁଛି। କିନ୍ତୁ ଛତିଶଗଡ଼ ଲାଭରେ ଥିବାରୁ ସେ ଏ ଦିଗକୁ ଗୁରୁତ୍ବ ଦେଉ ନାହିଁ। ଓଲଟା ଓଡ଼ିଶାର ପ୍ରତିବାଦକୁ ହେୟଜ୍ଞାନ କରି ମହାନଦୀ ଉପରେ ବ୍ୟାରେଜ୍, ବାଲିବନ୍ଧ ନିର୍ମାଣ କରିଚାଲିଛି। ଅଣମୌସୁମୀ ସମୟରେ ଓଡ଼ିଶାକୁ କ୍ଷତି ପହଞ୍ଚାଇ ଚାଲିଛି। ତେଣୁ ଛତିଶଗଡ଼ ସହ ଆପୋସ ସମାଧାନ ପାଇଁ ରାଜ୍ୟ ସରକାର କିପରି ଆଶାବାଦୀ, ତାହା ବୁଝାପଡ଼ୁ ନାହିଁ। ଏହା କେବଳ ସମୟ ଗଡ଼ିବା ବ୍ୟତୀତ ଆଉ କିଛି ନୁହେଁ ବୋଲି ଲୋକ ବୁଝିସାରିଲେଣି। 

A man was brutally beaten: ଛୁଆ ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼:ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ମହାନଦୀ ପ୍ରସଙ୍ଗରେ ଓଡ଼ିଶାରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ସମାଧାନ ପାଇଁ ଯେତିକି ଆଗ୍ରହୀ ନୁହେଁ, ରାଜନୀତି ରୁଟି ସେକିବାକୁ ସେତିକି ତତ୍ପର। ମହାନଦୀ ଜଳବିବାଦର ସମାଧାନ ବାଟ ବାହାରୁ ନ ଥିବାରୁ ବର୍ତ୍ତମାନର ମନ୍ତ୍ରୀମାନେ ପୂର୍ବ ସରକାରକୁ ଦାୟୀ କରିଚାଲିଛନ୍ତି। ଆଉ ବିଜେଡି ବର୍ତ୍ତମାନର ସରକାରକୁ ଦାୟୀ କରୁଛି। କିନ୍ତୁ ଉଭୟ ସରକାରଙ୍କ ସମୟରେ ମହାନଦୀ ବିବାଦର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ ହୋଇ ନ ଥିବା ସମସ୍ତେ ଅନୁଭବ କରୁଛନ୍ତି। ପୂର୍ବ ସରକାର ସମୟରେ ସମସ୍ତ ପ୍ରକାର ସୁଯୋଗ ଥିଲେ ବି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ହକ୍ ଛଡ଼ାଇ ଆଣିବାକୁ ତତ୍‌କା‌ଳୀନ ବିଜେଡି ସରକାର ଜୋରଦାର ଉଦ୍ୟମ କରି ନଥିଲେ। ସେହିପରି ବର୍ତ୍ତମାନର ସରକାର ବି କୌଣସି ଅଦୃଶ୍ୟ କାରଣରୁ ଏହି ପ୍ରସଙ୍ଗରେ ପାଦେ ଆଗେଇ ପାଦେ ପଛାଉଥିବା ଦେଖିବାକୁ ମିଳୁଛି। 

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ୨୦୨୩ ମସିହାରେ ଟ୍ରିବ୍ୟୁନାଲ୍‌ ସଦସ୍ୟ ଓ ବିଶେଷଜ୍ଞମାନଙ୍କ ଗସ୍ତ ବ୍ୟୟବହୁଳ ଥିଲା। ଓଡ଼ିଶା ରାଜକୋଷରୁ ଏଥି ପାଇଁ ପ୍ରାୟ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ରାଜ୍ୟ କ’ଣ ଲାଭ ପାଇଲା, ତାହା ଜଣାପଡ଼ିଲାନି। କାବେରୀ ଜଳବିବାଦରେ ଟ୍ରିବ୍ୟୁନାଲ୍‌ ଏକ ବର୍ଷ ଭିତରେ ଅନ୍ତରୀଣ ରାୟ ଦେଇଥିଲେ। କିନ୍ତୁ ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ୍‌ କିଛି ରାୟ ଦେଉ ନାହାନ୍ତି। ତେଣୁ ଏହି ଗସ୍ତକୁ ଆମେ ନାପସନ୍ଦ କରୁଛୁ। ପ୍ରତିକାତ୍ମକ ଭାବେ ଏହାର ପ୍ରତିବାଦ ବି କରିବୁ।