ନବୀନ ଚନ୍ଦ୍ର ସାହୁ
ଜୟପୁର: ଆଉ ଶୁଭିବନି ଲାଲ ସଲାମ ନାରା। ଗର୍ଜିବ ନାହିଁ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ବନ୍ଧୁକ। ମାଓ ପ୍ରବଣ ଅଞ୍ଚଳରେ ଏଣିକି ତ୍ବରାନ୍ବିତ ହେବ ବିକାଶ। କୋରାପୁଟ ଜିଲ୍ଲା ମାଓମୁକ୍ତ ଘୋଷଣା ପରେ ଏହି ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ତୃଣମୂଳସ୍ତରରେ ବିକାଶକୁ ପହଞ୍ଚାଇବା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ଖସଡ଼ା। ଯାହା ମାଓ ଇଲାକାବାସୀଙ୍କ ସାମାଜିକ, ଅର୍ଥନୈତିକ ବିକାଶରେ ବିଶେଷ ସହାୟକ ହେବ। ସେହିପରି ନକ୍ସଲଙ୍କ ଭୟରେ ବିସ୍ଥାପିତ ପରିବାର ଓ ଜମିହରାଙ୍କ ମନରେ ମଧ୍ୟ ଆଶା ସଞ୍ଚାର ହୋଇଛି। ୨୦୧୭ ପରେ କୋରାପୁଟ ଜିଲ୍ଲାରେ ମାଓ ଗତିବିଧି କମିଥିଲା। ଫଳରେ ୨୦୨୦ରେ ବିଏସଏଫ ଯବାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ସରକାର। ଗତ ୫/୬ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାରେ ସେମିତି କିଛି ବଡ଼ ଧରଣର ମାଓ କାଯ୍ୟକଳାପ ଦେଖିବାକୁ ମିଳିନି। କୌଣସି ଅଘଟଣ ପରେ ଟ୍ରାନଜିଟ ପଏଣ୍ଟ ଭାବେ ମାଓବାଦୀ ଆସି ପୁଣି ପଳାଇ ଯାଉଥିବାର ନଜିର ରହିଛି। ଏକଦା ମାଓ ଆତଙ୍କରେ ଥରହର ନାରାୟଣପାଟଣା, ବନ୍ଧୁଗାଁ, ବୈପାରିଗୁଡ଼ା ବ୍ଲକରେ ମାଓବାଦୀଙ୍କ ଗତିବିଧି ନଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ମନରୁ ଭୟ ଦୂରେଇନଥିଲା। ୨୦୨୫ ଜୁନ ୧୫ରେ ବୈପାରିଗୁଡ଼ା ବ୍ଲକର କାଠପଡ଼ା ପଞ୍ଚାୟତ ବଡ଼ବେତ ଗାଁ ନିକଟରୁ ଛତିଶଗଡ଼ କ୍ୟାଡରର କୁଞ୍ଜମ ହିଡ଼ମାକୁ ପୁଲିସ୍ ଗିରଫ କରିବା ପରେ ଡିଭିଏଫ୍ ଓ ଏସ୍ଓଜି ଯବାନ ପୁଣି କମ୍ବିଂ ଅପରେସନକୁ ଜୋର୍ଦାର କରିଥିଲେ। ଯାହାର ପରିଣାମ ସ୍ବରୂପ ମାଓ ଗତିବିଧି କମିବା ସହ ଗୁରୁବାର ଛତିଶଗଡ଼ ଏସିଏମ୍ କ୍ୟାଡର ମହିଳା ନକ୍ସଲ ମମତା ପଡ଼ିଆମୀ ଏସ୍ଏଲ୍ଆର୍ ବନ୍ଧୁକ ସହ କୋରାପୁଟ ପୁଲିସ ନିକଟରେ ଆତ୍ମସର୍ମପଣ କରିଛି।
ବିକାଶର ନୂଆ ଇତିହାସ ଲେଖିବ ମାଓମୁକ୍ତ ଅଞ୍ଚଳ
ବିଜିବିଓରେ ୩ ବ୍ଲକ୍ ପାଇଁ ୧୭୧ ପ୍ରକଳ୍ପକୁ ଅନୁମୋଦନ
୨୪ ହଜାର ହିତାଧିକାରୀଙ୍କୁ ମିଳିଛି ଆବାସ କାର୍ଯ୍ୟାଦେଶ
ମାଓ କରିଡର୍ ଏବେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ
ମାଓ ଇଲାକାର ଅବହେଳିତ ଦୃଶ୍ୟପଟକୁ ବଦଳାଇବା ପାଇଁ ନାରାୟଣପାଟଣା, ବନ୍ଧୁଗାଁ, ୨ବୈପାରିଗୁଡ଼ାର ବିକାଶକୁ ଫୋକସ କରିଛନ୍ତି ସରକାର। ୩ ବ୍ଲକରୁ ଗମନାଗମନ ସମସ୍ୟା ଦୂର ପରେ ମାଓ କରିଡର ନାରାୟଣପାଟଣା-ପୋଡାପଦର-ବିଜାଘାଟି ରାସ୍ତା ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ନାରାୟଣପାଟଣା-ଲଙ୍ଗଳବେଡା ରାସ୍ତା, ବୈପାରିଗୁଡ଼ା ବ୍ଲକର ଦୁର୍ଗମ କୁମ୍ଭିଖାରି, ଘୋଡାଘାଟକୁ ମଧ୍ୟ ରାସ୍ତା ନିର୍ମାଣ ସରିଛି। ମାଓ ଭୟରେ ବିକାଶର ସ୍ବାଦ ଚାଖିନଥିବା ମାଝୀଗୁଡ଼ା ପଞ୍ଚାୟତର ଘୋଡ଼ାବେଡା ସମେତ ଆଖପାଖ ଗାଁକୁ ବିକାଶ ପ୍ରକ୍ରିୟାରେ ସାମିଲ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ବନ୍ଧୁଗାଁ ବ୍ଲକର ୪୦ ପ୍ରକଳ୍ପକୁ ୩ କୋଟି, ବୈପାରିଗୁଡ଼ା ବ୍ଲକର ୧୦୮ ପ୍ରକଳ୍ପକୁ ୪.୩୧ କୋଟି, ନାରାୟଣପାଟଣାର ୨୩ ପ୍ରକଳ୍ପକୁ ୧.୬୯ କୋଟି ଅନୁଦାନ ମିଳିଛି। ଏପରି ଭାବେ ୧୪ ବ୍ଲକ୍ର ୮୯୨ ପ୍ରକଳ୍ପ ପାଇଁ ୪୪ କୋଟି ୯୮ ଲକ୍ଷ ଅନୁଦାନ ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ବିକାଶକୁ ତ୍ବରାନିତ ପାଇଁ ସରକାର ୧୯୦୦ ପ୍ରକଳ୍ପ ପାଇଁ ୮୯ କୋଟି ୯୬ ଲକ୍ଷର ଅନୁଦାନ ଯୋଗାଇ ଦେଇଛନ୍ତି। ଅନ୍ୟପକ୍ଷରେ ୨୦୧୭ ପରଠାରୁ ଇତି ମଧ୍ୟରେ କେବଳ ବୈପାରିଗୁଡ଼ା, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ୨୪ ହଜାର ୭୮୬ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସରକାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ମନରେଗାରେ ୩୦୦ ଦିନର କାମ ଯୋଗାଇବାକୁ ସୁନିଶ୍ଚିତ କରିଛନ୍ତି ସରକାର। ଯାହା ମାଓ ଇଲାକାରେ ବିକାଶକୁ ଗତିଶୀଳ କରିବା ସହିତ ଶୀର୍ଷରେ ପହଞ୍ଚାଇବ।
Cricket: ଆଜିଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍: ଆମେରିକାକୁ ଭେଟିବ ଭାରତ
ନବେ ଦଶକରେ କୋରାପୁଟ ଜିଲ୍ଲାରେ ମାଓବାଦୀ ନିଜ ସ୍ଥିତି ଜାହିର କରିଥିଲେ। ଗତ ୩ ଦଶନ୍ଧି ମଧ୍ୟରେ ଜିଲ୍ଲାରେ ଘଟିଥିବା ଅନେକ ଘଟଣା ମଧ୍ୟରୁ ୨୦୦୪ କୋରାପୁଟ ଅସ୍ତ୍ରାଗାର ଲୁଟ, ବିଭିନ୍ନ ଥାନା ଉପରେ ଆକ୍ରମଣ, ୨୦୧୦ ଦାମନଯୋଡ଼ି ହିଲ୍ଟପ ଆକ୍ରମଣ, ୨୦୧୨ ମାର୍ଚ୍ଚରେ ଲକ୍ଷ୍ମୀପୁର ବିଧାୟକ ଝିନ ହିକକାଙ୍କୁ ଅପହରଣ ଏବଂ ଲକ୍ଷ୍ମୀପୁର, ସୁଙ୍କି, ପଟାଙ୍ଗି, ମନ୍ତ୍ରୀଆମ୍ବ, ଝଡ଼ିଆଗୁଡ଼ା ଲ୍ୟାଣ୍ଡମାଇନ ବିସ୍ଫୋରଣ ଭଳି ଛାତିଥରା ଘଟଣା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/16/3-maoists-die-2025-11-16-11-14-13.png)