ଭୁବନେଶ୍ବର: ରାତି ଅଧରେ ସଂଘବଦ୍ଧ ହୋଇ ‘ଓୟୋ’ ଲଜ୍‌ରେ ପହଞ୍ଚିଲେ। ରୁମ୍‌ ଦେବାକୁ ଦାବି କଲେ। ଲଜ୍‌ କର୍ମଚାରୀ ମନାକରିବାରୁ ବିଭିନ୍ନ କୋଠରୀରେ ପଶି ଭଙ୍ଗାରୁଜା କଲେ। ‌ଓୟୋ ମ୍ୟାନେଜରକୁ ନିସ୍ତୁକ ମାଡ଼ମାରି ଅପହରଣ କରିନେଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ଶିବାଂଶ ପାଲେସ୍‌ରେ। ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଓୟୋ ମ୍ୟାନେଜରଙ୍କୁ ଉଦ୍ଧାର କରିବା ସହ ୫ ଅପହର୍ତ୍ତାଙ୍କୁ ଗିରଫ କରିଛି। ସେମା‌ନେ ହେଲେ ପୁରୀଜିଲ୍ଲା ପିପିଲି ଅଞ୍ଚଳର ସତ୍ୟଜିତ ବାରିକ ଓରଫ ଅଶୋକ(୨୫), କେନ୍ଦ୍ରାପଡ଼ାର ଅର୍ଜୁନ ମାନ୍ନା(୨୭), ରାଧାଶ୍ୟାମ ବାରିକ(୩୫), ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ମାନସ ରଂଜନ ପାଇକରାୟ ଓରଫ ପପୁ(୩୭) ଓ ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର ଦୀପ୍ତିରଂଜନ ପରିଡ଼ା(୨୮)। ପୁଲିସ ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ ସ୍କର୍ପିଓ, ୧୪ଟି ମୋବାଇଲ୍‌ ଫୋନ୍‌ ଆଦି ଜବତ କରିଛି।

Advertisment

Cricket: ଆଜିଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଆମେରିକାକୁ ଭେଟିବ ଭାରତ

ରୁମ୍‌ ନଦେବାରୁ ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ
ଭଙ୍ଗାରୁଜା କଲେ, ଟଙ୍କା ନେଇଗଲେ ୫ ଅପହର୍ତ୍ତା ଗିରଫ
ସ୍କର୍ପିଓ, ମୋବାଇଲ୍‌ ଓ ଟଙ୍କା ଜବତ

ସୂଚନା ମୁତାବକ, ଗୁରୁବାର ରାତି ପାଖାପାଖି ସାଢ଼େ ୩ଟା ସମୟରେ  ୭/୮ ଯୁବକ ଏକ ସ୍କର୍ପିଓରେ ଆସି ଗଣ୍ଡମୁଣ୍ଡାସ୍ଥିତ ଓୟୋରେ ପହଞ୍ଚିଥିଲେ। ମ୍ୟାନେଜର ରାକେଶ ରୋଶନ ବେହେରଙ୍କୁ ଭେଟି ରୁମ୍‌ ଦେବାକୁ କହିଥିଲେ। ଖଣ୍ଡଗିରି ଯାତ୍ରା ଚାଲିଥିବାରୁ ସମସ୍ତ ରୁମ୍‌ ବୁକ୍‌ ଥିବା ମ୍ୟାନେଜର କହିଥିଲେ। ଯାହାକୁ ନେଇ ଅଭିଯୁକ୍ତମାନେ ରାଗିଯାଇ ମ୍ୟାନେଜରଙ୍କ ଉପରେ ପାଟିତୁଣ୍ଡ କରିଥିଲେ। ପାଟିତୁଣ୍ଡ ଦେଖି ଅନ୍ୟ କର୍ମଚାରୀ ବିରୋଧ କରିବାରୁ ଯୁବକମାନେ ରାଗିଯାଇ ଗାଡ଼ିରୁ ଖଣ୍ଡା ଓ ବାଡ଼ି ଆଣି ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣ ଦେଖି କର୍ମଚାରୀମାନେ ଜୀବନ ବିକଳରେ ଦୌଡ଼ିଥିଲେ। ସୁଯୋଗ ପାଇ ଅଭିଯୁକ୍ତମାନେ ଲଜ୍‌ର ଟିଭି, ବେଡ୍‌, ଫ୍ରିଜ୍‌ ଆଦି ଆସବାବପତ୍ର ଭାଙ୍ଗିଦେଇଥିଲେ। ପରେ ମ୍ୟାନେଜରଙ୍କୁ ମାଡ଼ମାରି ଅପହରଣ କରି ନେଇଯାଇଥିଲେ।

Paddy: ଶେଷ ହେଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ

ଅନ୍ୟ କର୍ମଚାରୀ ଛାତ ଡେଇଁ  ବାହାରକୁ ଯାଇ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ମାଲିକ ଶିବ ପ୍ରସାଦ ମହାରଣା ପୁଲିସକୁ ଘଟଣା ସମ୍ପର୍କରେ ଜଣାଇବା ସହ ଲଜ୍‌ରେ ପହଞ୍ଚିଥିଲେ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଲଜ୍‌ରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ତଳ ମହଲାରୁ ଉପର ମହଲା ଯାଏ ରକ୍ତ ଛିଟା ଦେଖି ସମସ୍ତେ ଦ୍ବନ୍ଦ୍ବରେ ଥିଲେ। ତେଣୁ ମ୍ୟାନେଜରଙ୍କୁ ଠାବ ପାଇଁ ପୁଲିସ ଅପରେସନ୍‌ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ପୁଲିସ ଅପହର୍ତ୍ତାଙ୍କୁ ଚିହ୍ନଟ ପରେ ଟ୍ରାକିଂ କରି ସେମାନଙ୍କୁ ଚନ୍ଦ୍ରଶେଖରପୁରସ୍ଥିତ ଏକ ଲଜ୍‌ରୁ ଠାବ କରିଥିଲା। ଲଜ୍‌ରେ ଚଢ଼ଉ କରି ୫ଜଣଙ୍କୁ ଗିରଫ କରିବା ସହ ମ୍ୟାନେଜରଙ୍କୁ ଉଦ୍ଧାର କରିଥିଲା। ଆଜି  ୫ଜଣଙ୍କୁ କୋର୍ଟ ଚାଲାଣ  କରାଯାଇଛି।  ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।