ବିଶ୍ୱଜିତ ଦାଶ
ବରଗଡ଼: ସକାଳେ ଜଳଖିଆ। ତା’ପରେ ମଧ୍ୟାହ୍ନ ଭୋଜନରୁ ନେଇ ରାତ୍ରିଭୋଜନ ପର୍ଯ୍ୟନ୍ତ ସବୁକିଛି ସହିଦ ପୁଅଙ୍କୁ ପ୍ରଥମେ ଦିଅନ୍ତି। ତା’ପରେ ନିଜେ ଖାଆନ୍ତି। ଏପରିକି ରାତିରେ ସହିଦ ପୁଅ ପାଖରେ ଶୋଇଥାନ୍ତି ଜନ୍ମଦାତ୍ରୀ। ଭାଇ ମଧ୍ୟ ନିଜ ସହିଦ ଭାଇଙ୍କ ସ୍ମୃତିସ୍ତମ୍ଭକୁ ପ୍ରତିଦିନ ଯାଇ ମନେ ପକାନ୍ତି। ମାଆ ପାଇଁ ମଲାପୁଅ ଆଜି ବି ଜୀବିତ। ସାନଭାଇ ମଧ୍ୟ ଦଶନ୍ଧିରୁ ଅଧିକ ହେଲା ସାଉଁଟୁଛନ୍ତି ବଡ଼ଭାଇଙ୍କ ସ୍ମୃତି। ଏହା କୌଣସି ଚଳଚ୍ଚିତ୍ରର କାହାଣୀ ନୁହେଁ, ଏକ ପରିବାରର ନିଛକ ଅଙ୍ଗେନିଭା କଥା। 

Advertisment

Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ

ବରଗଡ଼ ସହର ସିମେଣ୍ଟନଗର ବାସିନ୍ଦା ହେଉଛନ୍ତି ଶର୍ମିଳା ମାଝୀ। ତାଙ୍କର ଦୁଇପୁଅ ଓ ତିନିଝିଅ। ବଡ଼ପୁଅ ପଦ୍ମଲୋଚନ ମାଝୀ ୨୦୦୧ ମସିହା ନଭେମ୍ବର ୯ ତାରିଖରେ ସିଆର୍‌ପିଏଫ୍‌ ଯବାନ ଭାବେ ଯୋଗ ଦେଇ ଦେଶମାତୃକାର ସେବା କରୁଥିଲେ। ୨୨୩ ବାଟାଲିୟନ୍‌ରେ ଥିବାବେଳେ ୨୦୧୪ ନଭେମ୍ବର ୨୯ ତାରିଖରେ ନକ୍ସଲ ଦମନ ପାଇଁ ଛତିଶଗଡ଼ ଯାଇଥିଲେ। ସେହିବର୍ଷ ଡିସେମ୍ବର ୧ ତାରିଖରେ କାସଲପଡ଼ା ଚିତାଗୁଫା ଗାଁ ନିକଟରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା। ସହକର୍ମୀ ଯବାନମାନଙ୍କୁ ବଞ୍ଚାଇବାକୁ ଯାଇ ପଦ୍ମଲୋଚନ ଅସୀମ ସାହସ ପ୍ରଦର୍ଶନ କରିଥିଲେ। ନକ୍ସଲଙ୍କ ଗୁଳିର କଡ଼ା ଜବାବ ଦେଇଥିଲେ। ୧୪ ଜଣ ଯବାନଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ସିନା, ନିଜେ ୧୪ଟି ଗୁଳି ଖାଇ ସହିଦ ହୋଇ ଯାଇଥିଲେ। ଏଥିପାଇଁ ତାଙ୍କୁ ମରଣୋତ୍ତର ପରାକ୍ରମ ପଦକରେ ସମ୍ମାନିତ ମଧ୍ୟ କରାଯାଇଥିଲା। ସହିଦ ହେବା ପୂର୍ବରୁ ସେ ଶେଷ ଫୋନ କଲ୍‌ ନିଜ ମା’ଙ୍କ ପାଖକୁ କରିଥିଲେ। ନକ୍ସଲ ଦମନରେ ଯାଉଥିବା କହି ଆଉ ଫେରିନଥିଲେ। କିନ୍ତୁ ପରିବାର ପାଇଁ ସହିଦ ପଦ୍ମଲୋଚନ ମାଝୀ ଆଜି ବି ଜୀବିତ। ସେ ରହୁଥିବା କୋଠରିରେ ତାଙ୍କ ଫଟୋ, ପଦକ, ପ୍ୟାଣ୍ଟସାର୍ଟ ଓ ସାମଗ୍ରୀ ସବୁକିଛି ସଜାଇ ରଖାଯାଇଛି।

Robbery: ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୁଲିସ

ସକାଳ ଜଳଖିଆରୁ ରାତ୍ରିଭୋଜନ ସବୁ ଦିଅନ୍ତି  
ସ୍ମୃତି ସ୍ମାରକୀକୁ ସବୁଦିନ ଯାଆନ୍ତି ସାନଭାଇ

ପ୍ରତିଦିନ ସେହି କୋଠରିରେ ମା’ ସହିଦ ପୁଅକୁ ପ୍ରଥମେ ଖାଇବାକୁ ଦିଅନ୍ତି। ସେହି ଘରେ ପୁଅ ଫଟୋ ପାଖରେ ବିଛଣା ପକାଇ ଶୁଅନ୍ତି। ପୁଅ ସବୁବେଳେ ତାଙ୍କ ପାଖରେ ଥିବା କହନ୍ତି। ଆଖିରୁ ଲୁହ ଝରିଲେ ବି ପୁଅର ସ୍ମୃତିକୁ ପାସୋରି ପାରୁନାହାନ୍ତି ଶର୍ମିଳା। ସେହିପରି ଭାଇ ରାଜେନ୍ଦ୍ର ମାଝୀ ପୁଲିସ ବିଭାଗରେ ବରଗଡ଼ରେ କାର୍ଯ୍ୟରତ। ସେ ବଡ଼ଭାଇଙ୍କ ସ୍ମୃତିରେ ସିମେଣ୍ଟନଗରଠାରେ ସହିଦ ପଦ୍ମଲୋଚନ ମାଝୀ ସ୍ମୃତି ସ୍ମାରକୀ ନିର୍ମାଣ କରିଛନ୍ତି। ପ୍ରତିଦିନ ସେଠାକୁ ଯାଆନ୍ତି। ବଡ଼ଭାଇଙ୍କୁ ମନେ ପକାନ୍ତି। ପରିବାର ସଦସ୍ୟଙ୍କ କହିବାନୁସାରେ, ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ସହିଦ ଦିବସ ପାଳନ ହୁଏ। ସିଆର୍‌ପିଏଫ୍‌ର ଅଧିକାରୀ ଓ ଯବାନମାନେ ଆସନ୍ତି। ଆଖପାଖର ସମସ୍ତଙ୍କୁ ଡକାଯାଇ ଉକ୍ତ ଦିବସରେ ସାମିଲ କରିଥାନ୍ତି। ଉକ୍ତଦିନ ସହିଦ ପଦ୍ମଲୋଚନଙ୍କ ଉପସ୍ଥିତି ସମସ୍ତେ ଅନୁଭବ କରନ୍ତି। ହେଲେ ମା’ ଶର୍ମିଳାଙ୍କ ପାଇଁ ସହିଦ ପଦ୍ମଲୋଚନ ଆଜି ମଧ୍ୟ ଜୀବିତ।