ଭୁବନେଶ୍ବର: ମୋବାଇଲ୍‌ ଫୋନ୍‌ଠାରୁ ଆରମ୍ଭ କରି ଲାପ୍‌ଟପ୍‌, ଟିଭି, ଗାଡ଼ି ଆଦିରେ ବ୍ୟବହାର ହେଉଥିବା ମେମୋରି ଚିପ୍‌ ଓଡ଼ିଶାରେ ଉତ୍ପାଦିତ ହେବ। କେବଳ ସେତିକି ନୁହେଁ, ବର୍ତ୍ତମାନ ସାରା ବିଶ୍ବରେ ଅଭାବ ଦେଖାଦେଇଥିବା ହାଇ ପରଫର୍ମାନ୍ସ ମ୍ୟାଗ୍‌ନେଟ୍‌ (ରେୟାର୍‌ ଆର୍ଥ) ମଧ୍ୟ ରାଜ୍ୟରେ ଉତ୍ପାଦନ କରାଯିବ। ଖୋର୍ଦ୍ଧାରେ ଏଥିପାଇଁ କାରଖାନା ବସିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୪ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ବୈଠକରେ ସମୁଦାୟ ୪୪,୨୦୦ କୋଟି ଟଙ୍କା ନିବେଶରେ ୧୦ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼ ସମେତ ୧୦ଟି ଜିଲ୍ଲାରେ ଏହି ଶିଳ୍ପଗୁଡ଼ିକୁ ସ୍ଥାପନ କରାଯିବ। ଏହାଫଳରେ ରାଜ୍ୟରେ ୯୦୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 

Advertisment

ପୁଞ୍ଜି ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩-ସୂତ୍ରୀ ଆକ୍ସନ୍‌ ପ୍ଲାନ୍‌
୪୪,୨୦୦ କୋଟି ନିବେଶରେ ମୋହର
ପୁରୀରେ କେବୁଲ୍‌ ଲ୍ୟାଣ୍ଡିଂ ଷ୍ଟେସନ୍‌
କୋରାପୁଟ, ମାଲକାନଗିରିରେ ସିମେଣ୍ଟ କାରଖାନା
୯୦୦୦ ନିଯୁକ୍ତି ସୃଷ୍ଟି ହେବ

ସୂଚନା ଅନୁସାରେ, ଏପିଏସ୍‌ ସେମିନ୍‌କନ୍‌ ପକ୍ଷରୁ ୪୬୨୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ସେମିକଣ୍ଡକ୍ଟର ମେମୋରି ଚିପ୍‌ କାରଖାନା ସ୍ଥାପନ କରାଯିବ। ମାଗ୍‌ନୋଭା ୧୦୫୦ କୋଟି ଟଙ୍କା ନିବେଶରେ ଏକ ହାଇ ପରଫର୍ମାନ୍ସ ମ୍ୟାଗ୍‌ନେଟ୍‌ କାରଖାନା କରିବ। ଭାରତ ଫୋର୍ଜ ଢେଙ୍କାନାଳରେ ୩୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଅଟୋମୋଟିଭ୍, ଏରୋସ୍ପେସ୍‌ ଓ ଉପକରଣ ନିର୍ମାଣ ୟୁନିଟ୍‌ ସ୍ଥାପନ କରିବ। କୋରାପୁଟରେ ଏନ୍‌ଏଲ୍‌ସି ଇଣ୍ଡଷ୍ଟ୍ରିଜ୍‌ ୨୦୦୦ କୋଟି ଟଙ୍କା ଓ ମାଲକାନଗିରିରେ ଡାଲମିଆ ସିମେଣ୍ଟ୍‌ ଭାରତ ଲିମିଟେଡ୍‌ ୨୦୦୦ କୋଟି ଟଙ୍କା ନିବେଶରେ ସିମେଣ୍ଟ କାରଖାନା କରିବେ। ସେହିପରି, ଆଦାନୀ ହାଇଡ୍ରୋ ଏନର୍ଜି ଟ୍ବେଲ୍‌ଭ ପକ୍ଷରୁ ନୟାଗଡ଼ରେ ୯,୭୩୧.୪୭ କୋଟି ଟଙ୍କା, ସଂଗ୍ରାମ ସିଡି ହାଇଡ୍ରୋ କନସୋର୍ଟିୟମ୍‌ କୋରାପୁଟରେ ୯୦୦୦ କୋଟି ଟଙ୍କା, ଗ୍ରିନ୍‌କୋ ଓଆର୦୧ ଆଇଆର୍‌ଇପି କଳାହାଣ୍ଡିରେ ୭୫୦୬.୯୪ କୋଟି ଟଙ୍କା ଓ ଜିନ୍ଦଲ ଗ୍ରିନ୍‌ ପିଏସ୍‌ପି ଟୁ ଦେବଗଡ଼ରେ ୩୭୧୧.୫୬ କୋଟି ଟଙ୍କା ନିବେଶରେ ପମ୍ପ୍‌ଡ ଷ୍ଟୋରେଜ୍ ବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ କରିବେ। ପୁରୀରେ ଶ୍ରୀଟେକ୍‌ ଡାଟା ଲିମିଟେଡ୍‌-ସିଏଲ୍‌ଏସ୍‌ ୧୬୨୨ କୋଟି ଟଙ୍କା ବିନିଯୋଗ କରି ଏକ କେବୁଲ ଲ୍ୟାଣ୍ଡିଙ୍ଗ୍ ଷ୍ଟେସନ୍‌ ପ୍ରତିଷ୍ଠା କରିବ।  

PMAY: ସହରାଞ୍ଚଳ ଗୃହନିର୍ମାଣ ମିସନକୁ ସୁଦୃଢ଼ କରିବ ‘ପିଏମଏୱାଇ-ଅର୍ବାନ ବନ୍ଧୁ’

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବେ ପାରମ୍ପରିକ ଶିଳ୍ପ ବ୍ୟତୀତ ଆଧୁନିକ, ପ୍ରଯୁକ୍ତିବିଦ୍ୟା ପରିଚାଳିତ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଏବେ ଉଦୀୟମାନ ଶିଳ୍ପ କ୍ଷେତ୍ରରେ ଆମେ ନୂଆ ସୁଯୋଗ ସୃଷ୍ଟି କରିପାରୁଛୁ। ବିଶେଷ କରି ଆଧୁନିକ ବିନିର୍ମାଣ ଓ ଅକ୍ଷୟ ଶକ୍ତି ଉତ୍ପାଦନରେ ଓଡ଼ିଶାର ସ୍ଥିତି ସୁଦୃଢ଼ ହେଉଛି। ଏହାଦ୍ୱାରା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ତ୍ୱରାନ୍ୱିତ ହୋଇପାରୁଛି। କେବଳ ପୁଞ୍ଜି ଆକର୍ଷଣ ନୁ‌ହେଁ, ବରଂ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଆମର ଲକ୍ଷ୍ୟ। ଏଥିପାଇଁ ଅଧିକାରୀମାନେ ଦଳଗତ ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ। ପୁଞ୍ଜି ହାତେଇବା ଲାଗି ମୁଖ୍ୟମନ୍ତ୍ରୀ ତିନି ସୂତ୍ରୀ ଆକ୍ସନ୍‌ ପ୍ଲାନ୍‌ ଘୋଷଣା କରିଛନ୍ତି। ପ୍ରଥମଟି ହେଉଛି ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଥିବାରୁ ରାଜ୍ୟର ଅଭିଯାନକୁ ଆହୁରି ଦୃଢ଼ କରାଯିବ। ଦ୍ବିତୀୟରେ ଆମ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ହେବ। ତୃତୀୟ ବିଷୟଟି ହେଉଛି ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଲାଗୁଥିବା ସମୟକୁ କମ୍‌ କରିବାକୁ ହେବ।