ଗାର୍ଗୀ ଶତପଥୀ
ଝାରସୁଗୁଡ଼ା: କୋଇଲା ଖଣି ହେବ ବୋଲି ୪୨ ବର୍ଷ ହେଲା ବନ୍ଦ ରହିଛି ବିକାଶ। ଯେତେ ଜରୁରୀ ଥିଲେ ମଧ୍ୟ ଜମି କିଣାବିକା ପ୍ରତିବନ୍ଧକ ସାଙ୍ଗକୁ ଶୌଚାଳୟ, ପ୍ରଧାନମନ୍ତ୍ରୀ ଆବାସ, ସର୍ବସାଧାରଣ ରାସ୍ତା ନିର୍ମାଣ ଆଦି ଉନ୍ନୟନ କାମ ଠପ୍ ହୋଇଯାଇଛି। ଖାସ୍ ଏଥିପାଇଁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ ଜରାବଗା ଗୌଡ଼ପଡ଼ା ଗ୍ରାମବାସୀ ବିସ୍ଥାପନ ଦାବି ନେଇ ୨୦୨୪ ମସିହାରେ ନିର୍ବାଚନ ବର୍ଜନ ଧମକ ଦେଇଥିଲେ। ବିସ୍ଥାପନର ପ୍ରତିଶ୍ରୁତି ପରେ ସେମାନେ ନିର୍ବାଚନରେ ଅଂଶଗ୍ରହଣ କଲେ। ହେଲେ ଦୁଇବର୍ଷ ପରେ ମଧ୍ୟ ସେମାନଙ୍କୁ ବିସ୍ଥାପିତ କରାଯାଉ ନାହିଁ। ଏମିିତିକି ସର୍ବନିମ୍ନ ସୁବିଧା ସେମାନଙ୍କ ପାଇଁ ଅପହଞ୍ଚ ହୋଇରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଗୌଡ଼ପଡ଼ାର ଗଜେନ୍ଦ୍ର ବାଗ କହନ୍ତି, ଜରାବଗାରେ ହିଁ ପ୍ରଥମ କୋଇଲା ଖଣି ପ୍ରକଳ୍ପ ହେବାର ଥିଲା। ତାହା ହେଲା ନାହିଁ। ଇତିମଧ୍ୟରେ ଦୁଇଟି ଖଣି ହୋଇ ସାରିଛି, କିନ୍ତୁ ତାଙ୍କ ଗାଁ ପାଳି ଆସୁନାହିଁ। ପାଣି ପାଇଁ ଗାଁରେ ହାହାକାର ପଡ଼ିଛି। ପଞ୍ଚାନନ ଭଇଁସା କହନ୍ତି, ୨୬୦ ପରିବାର ପାଇଁ କମ୍ପାନି ପଠାଉଥିବା ପାଣି ଗାଡ଼ି ହିଁ ଭରସା। ଗାଧୋଇବା ଓ ଶୌଚ ପାଇଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି। ଏଠାରେ ଥିବା କୂଅ, ପୋଖରୀ ସବୁ ଶୁଖିଲା। ନଳକୂଅ ଅଚଳ। ଗାଧୋଇବା ପାଇଁ କମ୍ପାନି ପକ୍ଷରୁ ପୋଖରୀରେ ପାଣି ଭର୍ତ୍ତି କରାଯାଏ। ଗୋଷ୍ଠୀ ଶୌଚାଳୟଟିଏ ବି ନିର୍ମାଣ କରାଯାଉନାହିଁ। ସେଥିରେ ପୁଣି ଚତୁଃପାର୍ଶ୍ବର ଧୂଳି ଯୋଗୁଁ ଲୋକେ ଅଣନିଶ୍ବାସୀ ହୋଇ ପଡ଼ୁଛନ୍ତି। ଏଥି ଯୋଗୁଁ ଗାଁ ଲୋକେ ବର୍ତ୍ତମାନ ରୋଗିଣା ହେବାରେ ଲାଗିଛନ୍ତି।
ଜଣ୍ଡିସ୍, ଚର୍ମରୋଗ ଓ ଯକ୍ଷ୍ମା ଏଠାରେ ବଢୁଥିବା ଅଭିଯୋଗ ହୁଏ। ଗାଁ ଛାଡ଼ି ଲୋକେ ଯିବାକୁ ଚାହିଁଲେ ମଧ୍ୟ ଏହି ଅଞ୍ଚଳ କୋଲ୍ ବ୍ଲକ୍ରେ ଅନ୍ତର୍ଭୁକ୍ତ ଥିବାରୁ ଜମି ବିକ୍ରି କରି ଯାଇପାରୁ ନାହାନ୍ତି। ଏପରିକି ସ୍ବାସ୍ଥ୍ୟଗତ ସମସ୍ୟା ଭଳି ଅତି ଜରୁରୀ କାର୍ଯ୍ୟ ପାଇଁ ମଧ୍ୟ ଜମି ବିକ୍ରି ବନ୍ଦ ରହିଛି। କେବଳ ଜରାବଗା ନୁହେଁ, ଲଖନପୁର ତହସିଲ ଅନ୍ତର୍ଗତ ଜାମକାନି, ଚିଙ୍ଗଡିଗୁରା, ଉବଡ଼ା, ଦର୍ଲିପାଲି, ଖୁଟମହୁଲ, ବାଞ୍ଜିପାଲି, କର୍ଲାଜୁରି ସମେତ ୧୫ଟି ଗାଁ ଏଭଳି ସମସ୍ୟା ଭୋଗୁଛନ୍ତି। ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ କହିଛନ୍ତି ଯେ କୋଇଲା ଖଣି ପାଇଁ ଏହି ସବୁ ଜନବସତି ବିଜ୍ଞାପିତ ଅଞ୍ଚଳ ବା ନୋଟିଫାଏଡ୍ ଏରିଆ ପରିଧିକୁ ଆସେ। କେନ୍ଦ୍ର ସରକାରଙ୍କ ସିବିଏ ନୋଟିଫିକେସନ୍ ପରେ ଅଞ୍ଚଳରେ ଜମି କ୍ରୟ-ବିକ୍ରୟ ବନ୍ଦ ହୋଇଯାଏ। ଉଭୟ ସରକାରୀ ଓ ଘରୋଇ ଜମି ଉପରୁ ରାଜ୍ୟ ସରକାର ନିଜ ଅଧିକାର ହରାନ୍ତି। ଫଲରେ ଉନ୍ନୟନ କାର୍ଯ୍ୟ ମଧ୍ୟ ହୋଇପାରେ ନାହିଁ। ଏହି ଅଞ୍ଚଳକୁ ବିସ୍ଥାପିତ କରିବାର ଅଧିକାର ସ୍ଥାନୀୟ ପ୍ରଶାସନର ନାହିଁ।
Raid on mine: ରଥୀପୁର ଚୋରା ଖଣିରେ ଚଢ଼ଉ: ୩ ହାଇୱା, ୨ ଜେସିବି ଜବତ, ଅନ୍ଧାରରେ ଦୌଡ଼ିଲେ ମାଫିଆ
Follow Us