ଅବିନାଶ ଶର୍ମା
କୋଇଡ଼ା: ଜୀବନ ଏଠି ଯନ୍ତ୍ରଣା ପାଲଟି ଯାଇଛି। ଜିଇବା ପାଇଁ ଅନବରତ ସଂଘର୍ଷ ଭିତରେ ସୁକୁସୁକୁ ହେଉଛି ଜୀବନ। ଇଏ ହେଉଛି ବ୍ଲକ୍ ମୁଖ୍ୟାଳୟରୁ ମାତ୍ର ୨ କିମି ଦୂରରେ ଥିବା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ପଞ୍ଚାୟତ ଟୁକୁଟୋଲା ଗ୍ରାମର କରୁଣ ଚିତ୍ର। ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଅଧିକାଂଶ ରୋଗୀ। ପେଟ ପାଇଁ ଯେଉଁଠି ସବୁ ଅକୁଳାଣ, ସେଠି ରୋଗ ଚିକିତ୍ସା କଥା ପଚାରେ କିଏ?
ଟୁକୁଟୋଲାରେ ଝାଟିମାଟି ଘରେ ରହୁଥିବା ୫୦ ପରିବାରର ଲୋକସଂଖ୍ୟା ପ୍ରାୟ ୩ ଶହ। ଗାଁରେ କିଛି ବି ମୌଳିକ ସୁବିଧା ନାହିଁ। ସରକାରୀ ସୁବିଧା କହିଲେ ମୁଣ୍ଡ ପିଛା ୫ କିଲୋ ଚାଉଳ। ଗାଁରେ ସୌରଚାଳିତ ନଳକୂପଟିଏ ଅଛି। କିନ୍ତୁ ଖଣିର ଲୁହାଗୁଣ୍ଡ ଯୋଗୁ ତାହା କାମରେ ଲାଗେନି। ଲୋକେ ଚୁଆ, ଝରଣା ପାଣି ଉପରେ ନିର୍ଭରଶୀଳ। ଗାଁରେ ଅଙ୍ଗନବାଡ଼ି ନାହିଁ। ଦୁଇ କିମି ଦୂର ଆରିୟାନରେ ଅଛି। କିନ୍ତୁ ସେଠାକୁ ଶିଶୁ, କିଶୋରୀ, ମହିଳା ଯାଇପାରନ୍ତି ନାହିଁ। ଫଳରେ ସରକାରୀ ସୁଷମ ଖାଦ୍ୟ ପାଆନ୍ତି ନାହିଁ। ଗ୍ରାମବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସ୍ବପ୍ନ। ତେବେ କିଛି ଲୋକ ଭତ୍ତା ପାଉଥିବାବେଳେ ଆହୁରି ଅନେକ ବଞ୍ଚିତ। ମୂଲମଜୁରି, କାଠବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି।
Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ
ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଅଧିକାଂଶ ରୋଗୀ
ରକ୍ତହୀନତା ଓ ଅପପୁଷ୍ଟି ଶିଶୁଙ୍କ ଚିର ସହଚର
ସରକାରୀ ଚାଉଳ ପେଟକୁ ନିଅଣ୍ଟ, ଭତ୍ତା ଓ ଆବାସ ସ୍ବପ୍ନ
ଉଦ୍ବେଗର ବିଷୟ ହେଉଛି, ଗାଁରେ ଶ୍ରମକ୍ଷମ ଲୋକ ସଂଖ୍ୟା କମ୍। ଅଧିକାଂଶ ରୋଗୀ। ଗାଁରେ ବାତରୋଗ, ଜଣ୍ଡିସ୍, ଚର୍ମରୋଗ ସାଧାରଣ କଥା। ରକ୍ତହୀନତା ଓ ଅପପୃଷ୍ଟି ଶିଶୁଙ୍କର ଚିର ସହଚର। ସରକାରୀ ଚାଉଳ ପେଟକୁ ନିଅଣ୍ଟ। ଗାଁ ନିକଟରେ ଖଣି ଥିଲେ ମଧ୍ୟ ଲୋକଙ୍କୁ କାମ ନାହିଁ। ତେଣୁ ଆର୍ଥିକ ଅବସ୍ଥା ଅତି ଶୋଚନୀୟ। ରୋଗବଇରାଗ ହେଲେ ସଭିଏଁ ଦେଶୀ ଚିକିତ୍ସା ଉପରେ ନିର୍ଭରଶୀଳ। ଡାକ୍ତରଖାନା ଯିବାକୁ ସାମର୍ଥ୍ୟ ନାହିଁ। ଗାଁର ୭୦ ବର୍ଷୀୟ ପକ୍ଷାଘାତ ଆକ୍ରାନ୍ତ ମଙ୍ଗଳ ଲାଗୁରି କହନ୍ତି, ‘୩୦ ବର୍ଷ ତଳେ ଖଣି କମ୍ପାନିରେ କାମ କରୁଥିଲୁ। ନୂଆ କମ୍ପାନି ଆମକୁ କାମ ଦେଲାନି। ସନ୍ତାନ ନାହିଁ, ବୁଢ଼ାବୁଢ଼ୀ ଦୁଇଜଣ। ୧୦ କେଜି ସରକାରୀ ଚାଉଳରେ ପେଟ ପୂରୁନି। ଭତ୍ତା ବି ମିଳୁନି। ଗାଁର ଦମ୍ପତି ମଙ୍ଗଲୁ ଓ ନେଲମୁଣ୍ଡି ମୁଣ୍ଡା ବାପଅଜା ଅମଳରୁ ଭଙ୍ଗା ଝାଟିମାଟି ଘରେ ବାସ କରୁଛନ୍ତି। ଭତ୍ତା, ଆବାସ କି ରାସନ କିଛି ମିଳୁନି। କାଠ ବିକିଲେ ତାଙ୍କର ଗୁଜୁରାଣ ମେଣ୍ଟୁଛି ବୋଲି କ୍ଷୋଭର ସହ କହନ୍ତି।
Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ
ଗାଁର ସମସ୍ୟା ବାବଦରେ ବିଡିଓ ସମରେନ୍ଦ୍ର କୁମାର ସାରାଙ୍କୁ ପଚାରିବାରୁ ବହୁକାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି। ଏଥିସହ ଗାଁ’କୁ ସମସ୍ତ ବିଭାଗର ଟିମ୍ ପଠାଇ ଅନୁଧ୍ୟାନ କରି ଯଥାଶୀଘ୍ର ଓ ସମ୍ଭବ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ବି ଦେଇଛନ୍ତି। ଗାଁର ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସିଡିଏମ୍ଓ ଡା. ସୁରେଶ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ଆସନ୍ତାକାଲି (ଶୁକ୍ରବାର) ଗାଁକୁ ଏକ ଟିମ୍ ପଠାଇ ଅନୁଧ୍ୟାନ କରାଯିବା ସହ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ରାଜ୍ୟ ରାଜକୋଷକୁ ସର୍ବାଧିକ ଖଣି ରାଜସ୍ବ ଦେଉଥିବା ଧନୀ ବ୍ଲକ୍ କୋଇଡ଼ାର ଏ ଚିତ୍ର ବାସ୍ତବରେ ଏକ ବିଡ଼ମ୍ବନା।
Follow Us