ଭୁବନେଶ୍ବର: ୨୦୩୬ ସୁଦ୍ଧା ରାଜ୍ୟ ସରକାର ବିକଶିତ ଓଡ଼ିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାକୁ କିପରି ଧାର୍ଯ୍ୟ ସମୟରେ ହାସଲ କରାଯିବ ସେନେଇ ନୀତି ଆୟୋଗଙ୍କ ସହଯୋଗରେ ରାଜ୍ୟ ସରକାର କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଲୋକସେବା ଭବନରେ ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଏବଂ ନିତି ଆୟୋଗ ସଦସ୍ୟ ଅରବିନ୍ଦ ବିରମାନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାର ବିକାଶ ପାଇଁ କେଉଁ ସବୁ ଦିଗକୁ ପ୍ରାଧାନ୍ୟ ଦିଆଯିବ, କାର୍ଯ୍ୟକାରୀ ହେଉଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ଆଗାମୀ ଦିନରେ ନିତି ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବାକୁ ଥିବା ସହଭାଗିତାକୁ ନେଇ ଆଲୋଚନା କରିଥିଲେ।
Ranji Trophy: ପରାଜୟ ଏଡ଼ାଇବାକୁ ଓଡ଼ିଶାର ସଂଘର୍ଷ
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର ଓଡ଼ିଶା ଅଭିବୃଦ୍ଧିର ଇଞ୍ଜିନ୍ ହେବ
ନିତି ଆୟୋଗ ଉପାଧ୍ୟକ୍ଷ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପକୁ ପ୍ରଶଂସା କରି କହିଥିଲେ, ଭୁବନେଶ୍ବରକୁ ଏକ ମଡେଲ୍ ସିଟିରେ ପରିଣତ କରିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ହେବ। ଏଥିପାଇଁ ସୁଦୃଢ଼ ସ୍ବେରେଜ୍ ପରିଚାଳନା, ପରିମଳ ବ୍ୟବସ୍ଥା, ସବୁଜୀକରଣ ଏବଂ ସ୍ଥାୟୀ ସହରାଞ୍ଚଳ ଭିତ୍ତିଭୂମିକୁ ଗୁରୁତ୍ବ ଦେବାକୁ ହେବ। ଭୁବନେଶ୍ବରକୁ ଦେଶର ଏକ ମଡେଲ୍ ସହରରେ ପରିଣତ କରିବା ପାଇଁ ‘ଟେକ୍ସାସ୍ ମଡେଲ୍’ ଆପଣାଇବାକୁ ହେବ। ସବୁଜ ଶକ୍ତି ପରିବର୍ତ୍ତନ, ତଥ୍ୟ ଭିତ୍ତିକ ଶାସନ, ଦକ୍ଷତା ଇକୋସିଷ୍ଟମରେ ସଂସ୍କାର, ଜନଜାତି ସଶକ୍ତୀକରଣ ଏବଂ ଫ୍ରଣ୍ଟିୟର୍ ଟେକ୍ ଲ୍ୟାବ୍ ଅଧୀନରେ ଲିଭିଂ ଲ୍ୟାବ୍ସ ଆଦି କ୍ଷେତ୍ରରେ ନୀତି ଆୟୋଗଙ୍କ ସହ ଓଡ଼ିଶାର ସକ୍ରିୟ ସହଯୋଗକୁ ସେ ପ୍ରଶଂସା କରିଥିଲେ। ନିତି ଆୟୋଗ ସଦସ୍ୟ ଅରବିନ୍ଦ ବିରମାନି ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ।
Ganja Seized: ଚାଲାଣ ପୂର୍ବରୁ ପୁଲିସ ଧରିପକାଇଲେ ୧କୁଇଣ୍ଟାଲ ଗଞ୍ଜେଇ
ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିକଶିତ ଓଡ଼ିଶା ଗଠନରେ ନିତି ଆୟୋଗଙ୍କ ସହଯୋଗ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ରରେ ୯୦ଟି ଅଗ୍ରାଧିକାର ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ସହରାଞ୍ଚଳ ଓ ଶିଳ୍ପ ଦୃଶ୍ୟପଟକୁ ପରିବର୍ତ୍ତନ କରାଯାଇପାରିବ। ଏହି ଯୋଜନା ଓଡ଼ିଶା ଅଭିବୃଦ୍ଧିର ଇଞ୍ଜିନ୍ ହେବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ନୀତି ଆୟୋଗ ସମସ୍ତ ସହଯୋଗ କରିବ। ଏହି ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡି.କେ ସିଂହ, ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜିବ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Follow Us